ଅଜଣା ଭାଇ ହାତରେ ସାବିତ୍ରୀ ସଜ : ଶହ ଶହ ମହିଳାଙ୍କୁ ଫଳମୂଳ ଦେଇ ଆସିଲେ ସୁଜୟ

ଅଜଣା ଭାଇର ହାତରୁ ସାବିତ୍ରୀ ସଜ ନେଲାବେଳେ କଇଁକଇଁ ହୋଇ କାନ୍ଦି ପକାଇଥିଲେ ମହିଳାମାନେ

ସାବିତ୍ରୀ ସଜ ଧରି ବସ୍ତିରେ ପହଞ୍ଚିଲା ଅଜଣା ଭାଇ

ନିଜ ଭାଇ ନହେଲେ ବି ମୋ ଆୟୁଷ ତାକୁ ଲାଗିଯାଉ । ଭାଇ କଥା କହିଲା ବେଳକୁ କୋହରେ ଭରି ଯାଉଛି କଣ୍ଠ, ଆଖିକୁ ଆସିଯାଉଛି ଲୁହ। ଆଜି ପବିତ୍ର ସାବିତ୍ରୀ ବ୍ରତ । ଆଉ ଏହି ପବିତ୍ର ଦିନରେ ଯେଉଁ ମହିଳାଙ୍କ ପାଖରେ ନିଜ ଭାଇମାନେ ପହଞ୍ଚି ପାରିନାହାଁନ୍ତି, ତାଙ୍କ ପାଖରେ ଲୁଗାପଟା, ଫଳଫୁଲୁରି ଓ ଶଙ୍ଖା ସିନ୍ଦୂର ଧରି ସକାଳୁ ପହଞ୍ଚିଛନ୍ତି ଯୁବ ସମାଜସେବୀ ସୁଜୟ ନାୟକ।

ସୁଜୟ ନାୟକ ପେସାରେ ବ୍ୟବସାୟୀ, କିନ୍ତୁ ଆଗ୍ରହ ଲୋକଙ୍କ ସେବାରେ। ସାବିତ୍ରୀ ପୂର୍ବଦିନ ସେ ଏହି ସଜ ଧରି ପହଞ୍ଚିଥିଲେ ଅନେକ ଗରିବ ଓ ଅଭାବୀ ଭଉଣୀଙ୍କ ପାଖରେ ପହଞ୍ଚିଥିଲେ। ଯେଉଁ ମହିଳାଙ୍କ ଭାଇ ନାହାନ୍ତି ତାଙ୍କ ପାଇଁ ସେ ଭାଇ ପାଲଟିଛନ୍ତି । କରୋନା କାଳରୁ ଜାରି ରହିଛି ତାଙ୍କର ଏହି କାମ ।

ଗତ ଦୁଇବର୍ଷ ଧରି କରୋନା ଯୋଗୁଁ ଭାଇମାନେ ଭଉଣୀଙ୍କ ପାଖରେ ପହଞ୍ଚି ପାରୁ ନଥିଲେ। ଏହା ଲକ୍ଷ୍ୟ କରି କଟକ ଭୁବନେଶ୍ୱରର କିଛି ଅଂଚଳର ଅଜଣା ଭଉଣୀଙ୍କ ପାଖରେ ସାବିତ୍ରୀ ସଜ ଧରି ପହଞ୍ଚିଥିଲେ ସୁଜୟ । ତେବେ ସେତେବେଳର ଭଉଣୀଙ୍କ ଆଖିର ଆନନ୍ଦର ଲୁହ ଦେଖି ଏହି କାର୍ଯକ୍ରମ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ।

ଆଜିର ଦୁନିଆରେ ନିଜ ଭାଇ ଭଉଣୀଙ୍କ ଭିତରେ ଭଲ ସଂପର୍କ ରହିପାରୁନଥିବା ବେଳେ ଗରିବ ଓ ଅଜଣା ଭଉଣୀଙ୍କ ମୁହଁରେ ଟିକିଏ ହସ ଦେବାକୁ ସୁଜୟ ଯେଉଁ କାମ କରୁଛନ୍ତି ତାହା ସତରେ ପ୍ରଶଂସନୀୟ ।