ନାଁକୁ ସରକାରଙ୍କ ମାଳ ମାଳ ଯୋଜନା ; ଯେଉଁଠି ମଣିଷ ରହୁଛନ୍ତି, ସେଇଠି ଗାଈ ବି ରହୁଛନ୍ତି

ଯେଉଁଠି ମଣିଷ ରହୁଛନ୍ତି, ସେଇଠି ଗାଈ ବି ରହୁଛନ୍ତି । ନୁଆଁଣିଆ ଚାଳଛପର ଘର, ଉପରେ ପଲିଥିନ ପଡ଼ିଛି । ଆଉ ଏହାରି ଭିତରେ ଏକାଠି ରହୁଛନ୍ତି ଗୋଟିଏ ପରିବାର ଓ ତାଙ୍କର ଗୃହପାଳିତ ପଶୁ । ଏଇଠି ରୋଷେଇ ହେଉଛି, ପୁଣି ବାଛୁରୀ ମଧ୍ୟ ରହୁଛି। ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ତାହା ଯାଉଛି କୁଆଡ଼େ?

Special Story

News Summary

ସରକାରୀ ବାବୁଙ୍କୁ ଭେଟିବା ପରେ ବି ଫଳ ଶୂନ

କାହାକୁ କହିବି ମୋ ଦୁଃଖ?

ତେଲକୋଇ: ଯେଉଁଠି ମଣିଷ ରହୁଛନ୍ତି, ସେଇଠି ଗାଇ ବି ରହୁଛନ୍ତି । ନୁଆଁଣିଆ ଚାଳଛପର ଘର ସାଙ୍ଗକୁ ଉପରେ ପଡ଼ିଛି ପଲିଥିନ । ଆଉ ଏହାରି ଭିତରେ ଏକାଠି ରହୁଛନ୍ତି ଗୋଟିଏ ପରିବାର ଓ ତାଙ୍କର ଗୃହପାଳିତ ପଶୁ । ଏଇଠି ରୋଷେଇ ହେଉଛି, ପୁଣି ବାଛୁରୀ ମଧ୍ୟ ରହୁଛି। ହୁଏତ ଏହି ଦୃଶ୍ୟ ଆପଣଙ୍କୁ ବ୍ୟଥିତ କରୁଥିବ । ଆଉ ଆପଣଙ୍କ ମନରେ ପ୍ରଶ୍ନ ବି ଆସିପାରେ କି ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ତାହା ଯାଉଛି କୁଆଡ଼େ?

ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ନୁଆଗଡ ଗ୍ରାମର ନିଳାଦ୍ରୀ ପଟ୍ଟନାୟକଙ୍କ ଘରର । ୪ ପ୍ରାଣୀ କୁଟୁମ୍ବକୁ ନେଇ ଏଇ ଘରେ ରହୁଛନ୍ତି ନିଳାଦ୍ରୀ । ବର୍ଷକ ବାରମାସ ଏହି ଘର ଭିତରେ କଟୁଛି ଦିନ। ଗୋଟିଏ ବଖରାରେ ନିଳାଦ୍ରୀଙ୍କ ପରିବାର ଆଉ ଗୋଟିଏ ବଖରାରେ ତାଙ୍କର ଗୃହପାଳିତ ଗାଈ ଗୋରୁ ରୁହନ୍ତି । ଘର ନଥିବା କାରଣରୁ ବେଳେ ବେଳେ ବାଛୁରିକୁ ଘର ଭିତରେ ରଖିବାକୁ ବାଧ୍ୟ ହୋଇଥାନ୍ତି ନିଳାଦ୍ରୀଙ୍କର ପରିବାର । ଆଉ ବର୍ଷା କି କାକର ପଡ଼ିଲେ ଏହି ଘରେ ସୁଆ ବସା ସହ ରୋଷେଇ ମଧ୍ୟ ହୋଇଥାଏ ।

ସରକାରୀ ନିୟମ ଅନୁଯାୟୀ ଯେଉଁ ଗରିବ ଲୋକର ୨୦୧୧ ଏ ସି ସି ସି ତାଲିକାରେ ନାଁ ରହିଥିବ, ତାଙ୍କୁ ସରକାରଙ୍କ ଗ୍ରାମୀଣ ଆବାସ ଯୋଜନାରେ ଘର ମିଳିବ । କିନ୍ତୁ ନିଳାଦ୍ରୀଙ୍କ ନାଁ ତାଲିକାରେ ରହିଥିଲେ ମଧ୍ୟ ଏହି ଯୋଜନାରୁ ସେ ବାଦ ପଡିଛନ୍ତି । ଘରେ ଖଣ୍ଡିଏ ପାଇଁ ସରପଂଚ, ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ, ବି.ଡି.ଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ତାଙ୍କର ଦୁଃଖ ଜଣାଇଛନ୍ତି । କିନ୍ତୁ ସବୁଠି ସେ ନିରାଶ ହୋଇଛନ୍ତି । ଅଭିମାନରେ ନୀଳାଦ୍ରୀ କହିଛନ୍ତି ଯେ, ଯେଉଁ ଆଡ଼େ ଗଲି ସେଇ ଆଡ଼େ ସେଇ ଅବସ୍ଥା । କାହାକୁ କହିବି ମୋ ଦୁଃଖ?

 

ସ୍ଥିତି ଏମିତି ହେଲାଣି ଯେ, ଘରର କାନ୍ଥ ଗୁଡ଼ିକ କେତେବେଳେ ଯେ ଉପରେ ପଡ଼ିଯିବ ତାହା କହିବା ସମ୍ଭବ ନୁହେଁ। ବାରମ୍ବାର ସରକାରୀ ବାବୁଙ୍କୁ ଭେଟିବା ପରେ ବି ଫଳ ଶୂନ । କେତେବେଳେ ଶୋଇବା ଘରେ ସାପ ପଶିଯାଉଛି ତ ଆଉ କେତେବେଳେ ବୁଲା କୁକୁର। ମାର୍ଗଶିର ମାସର ଶୀତ କାକରରେ କେମିତି ପିଲା ଛୁଆଙ୍କୁ ଧରି ଏହି ଘରେ ରହିବୁ ବୋଲି ସେ ପ୍ରଶ୍ନ କରିଛନ୍ତି । ଆଉ କାହାକୁ ଗୁହାରି କରିବୁ ବୋଲି ପ୍ରଶ୍ନ କରିଛନ୍ତି ନୀଳାଦ୍ରୀଙ୍କ ସ୍ତ୍ରୀ । ତେବେ କେବେ ସରକାରୀ ଯୋଜନା ନୀଳାଦ୍ରୀଙ୍କ ପାଖରେ ପହଂଚୁଛି ତାହା ଦେଖିବାକୁ ବାକି ରହିଲା।

ରିପୋର୍ଟର- ତେଲକୋଇରୁ ଚିନ୍ମୟ ସାହୁ