Advertisment

ଏଥର ରାକ୍ଷୀପୂର୍ଣ୍ଣିମା ହେବ ନିଆରା, ଯବାନଙ୍କ ପାଇଁ ରାକ୍ଷୀ ପଠାଇଲେ ଯାଜପୁର ଛାତ୍ରଛାତ୍ରୀ

ଏଥର ଯାଜପୁରର ରାକ୍ଷୀ ବାନ୍ଧିବେ ଯବାନ। ସୀମାରେ ମୁତୟନ ଥିବା ଯବାନଙ୍କ ପାଇଁ ଦିନରାତି ଏକ କରି ତିଆରି ହୋଇଛି ରାକ୍ଷୀ। ସୀମାରେ ଦେଶର ସୁରକ୍ଷା କରୁଥିବା ଭାଇଙ୍କ ପାଇଁ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ସ୍ୱତନ୍ତ୍ର ଡାକରେ ପଠାଗଲା ରାକ୍ଷୀ। ଛାତ୍ରଛାତ୍ରୀ କହିଲେ, ଆମେ ତ ସେନାରେ କାର୍ଯ୍ୟରତ ଥିବା ଭାଇଙ୍କୁ କିଛି ଦେଉନୁ, ବାସ୍‌ ଟିକିଏ ସ୍ନେହ ଦେଉଛୁ..

author-image
Otv Khabar Bureau
Rakhis For Jawans

Rakhis For Jawans

ଭାରି ଜୋରସୋରରେ ଚାଲିଛି ରାକ୍ଷୀ ତିଆରି କାମ । ଖାଲି ରାକ୍ଷୀ ତିଆରି ଚାଲିଛି ତାହା ନୁହେଁ ବରଂ ପ୍ୟାକିଂ ବି ଜୋରସୋରରେ ଚାଲିଛି । ଯେଉଁ ରାକ୍ଷୀ ତିଆରି ଚାଲିଛି, ସେହି ରାକ୍ଷୀ ଯାହା ହାତରେ ବନ୍ଧା ଯିବ ଆପଣ ଜାଣିଲେ ଆନନ୍ଦିତ ହୋଇଯିବେ । ଆଉ ରାକ୍ଷୀ ତିଆରି କରିଥିବା ଲୋକଙ୍କୁ ସଲାମ କରିବେ । କାରଣ ଏହି ସବୁ ରାକ୍ଷୀ ତିଆରି ହେଉଛି ବୀର ଯବାନଙ୍କ ପାଇଁ, ଆଉ ଏହି ରାକ୍ଷୀ ଯିବ ସୀମାକୁ ।

Advertisment

ଭାଇ ଭଉଣୀର ସଂପର୍କ ନିଆରା । ଏହି ନିଆରା ସଂପର୍କକୁ ଆହୁରି ଅଧିକ ମଜଭୁତ କରେ ରାକ୍ଷୀ ପୂର୍ଣ୍ଣିମା । ଭଉଣୀଟିଏ ଭାଇର ହାତରେ ରାକ୍ଷୀ ବାନ୍ଧିବା ପାଇଁ ପୂରା ବର୍ଷଟିଏ ଅପେକ୍ଷା ବି କରିଥାଏ । ହେଲେ ଦେଶ ସେବା ପାଇଁ ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇନଥାଏ । ସେମାନେ ନିଜର ଦାୟିତ୍ୱ ପାଇଁ ନିଜ ଘରକୁ ଆସିପାରିନଥାନ୍ତି । କେବଳ ଦେଶ ସେବା ପାଇଁ ସେମାନଙ୍କୁ ଅନେକ କଥା ତ୍ୟାଗ କରିବାକୁ ବି ପଡିଥାଏ । ଏମିତିକି ଦେଶ ସେବା ପାଇଁ ନିଜ ପ୍ରାଣବଳୀ ଦେବା ପାଇଁ ବି ସେମାନେ ପଛଘୁଂଚା ଦିଅନ୍ତି ନାହିଁ।

ଯବାନଙ୍କ କଷ୍ଟକୁ କିନ୍ତୁ ବେଶ ଭଲରେ ବୁଝିଛନ୍ତି ଯାଜପୁରର ଛାତ୍ରଛାତ୍ରୀ । ସେଥିପାଇଁ ତ ସୀମାରେ ଆମ ସମସ୍ତଙ୍କୁ ସୁରକ୍ଷା ଦେଉଥିବା ଭାଇ ପାଇଁ ରାକ୍ଷୀ ତିଆରି କରୁଛନ୍ତି ଭଉଣୀମାନେ। ଏଭଳି ଦୃଶ୍ୟ ଯାଜପୁର ଜେନାପୁର ଅଂଚଳରେ ଦେଖିବାକୁ ମିଳିଛି । ଦେଶ ସୁରକ୍ଷାରେ ନିୟୋଜିତ ଥିବା ଯବନାଙ୍କ ପାଇଁ ଏଇଠି ତିଆରି କରିଛନ୍ତି ରାକ୍ଷୀ ।

Advertisment

ମୋଟ୍‌ ଉପରେ ଏଥର ଯବାନ ପିନ୍ଧିବେ ଯାଜପୁରର ରାକ୍ଷୀ । ଏହି ଲକ୍ଷ୍ୟ ନେଇ ଛାତ୍ରଛାତ୍ରୀ ନିଜ ହାତରେ ପାଖାପାଖି ୫ଶହ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ଆଉ ରାକ୍ଷୀ ତିଆରି ହେବା ସରିବା ପରେ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଛି । ପୂଜା ପରେ ରାକ୍ଷୀ ଗୁଡ଼ିକୁ ଜେନାପୁର ଉପ-ଡାକଘର ମାଧ୍ୟମରେ ଦୁଇଟି ସେନା ମୁଖ୍ୟାଳୟକୁ ପଠାଇଛନ୍ତି ଛାତ୍ରଛାତ୍ରୀ ।

ଆସାମ, ସିଆଚୀନ, କାଶ୍ମୀର ଓ କାରଗିଲରେ ମୁତୟନ ରହୁଥିବା ସୈନିକଙ୍କ ନିକଟରେ ଏହି ରାକ୍ଷୀ ପହଂଚିବ ବୋଲି ସୂଚନା ମିଳିଛି । ଏଥିପୂର୍ବରୁ ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ଜାତୀୟ ସଂଗୀତ ଗାନ କରି ଏକ ଶୋଭାଯାତ୍ରାରେ ପୋଷ୍ଟ ଅଫିସ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ଥିବା ଡାକ କର୍ମଚାରୀଙ୍କୁ ପ୍ରସ୍ତୁତ ରାକ୍ଷୀ ପ୍ୟାକେଟ୍ ପ୍ରଦାନ କରିଥିଲେ । ସେ ଯାହା ବି ହେଉ, ଯବାନଙ୍କ ପାଇଁ ରାକ୍ଷୀ ତିଆରି ହେଉଥିବା କାରଣରୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଲାଗିରହିଛି।

ରିପୋର୍ଟର- ଗୁଲାମ ଗସ୍‌

Special Story Rakhis For Jawans
Advertisment
Advertisment