କି ଦୁଃଖ ! ବୁଢ଼ା ହେଲା ବୋଲି ପର ହୋଇଗଲା ବାପା, ରାସ୍ତାରେ ଫିଙ୍ଗିଦେଲା ପୁଅ

ପୁଅ ବୋହୁଙ୍କ କାରଣରୁ ଆଜି ମେଡିକାଲ ବେଡ୍‌ରେ ଅନାଥ ଭଳି ଶୋଇଛି ବୁଢା ବାପା ।

Inhumanity

ମେଡିକାଲରେ ବୁଢା ବାପା ଶୋଇଛି, ସାଲାଇନ୍‌ ବି ଲାଗିଛି । ଆଉ ଗୁଣୁଗୁଣୁ ହୋଇ କଣ ସବୁ କହିଯାଉଛି । ହେଲେ ପାଖରେ ପୁଅ, ବୋହୂ କି ନାତିନାତୁଣୀ ୟାଙ୍କ କଥା ଶୁଣିବାକୁ କେହି ନାହାନ୍ତି । ଆପଣ ଭାବୁଥିବେ ଡାକ୍ତର ବୋଧହୁଏ ଔଷଧ ପାଇଁ କୁଆଡେ ପଠାଇ ଥିବେ । ନା, ଆପଣ ଭୁଲ ବୁଝୁଛନ୍ତି । କାରଣ ସେମାନେ ଆସିନାହାନ୍ତି କି ଆସିବେ ବି ନାହିଁ । ଆଉ ସେମାନଙ୍କ କୃପାରୁ ଆଜି ମେଡିକାଲ ବେଡ୍‌ରେ ଅନାଥ ଭଳି ଶୋଇଛି ବୁଢା ବାପା ।

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ଏମିତି ଦୃଶ୍ୟ ଯେତିକି ହୃଦୟବିଦାରକ ସେତିକି ଆତ୍ମଚିନ୍ତନର କଥା । ରୋଗ ହେବାରୁ ପରିବାର ଚଳାଇ ପାରିଲେ ନାହିଁ ବୋଲି ଘରୁ ଡତିଦେଲେ ପରିବାର ଲୋକେ । ଯେଉଁ ବାପା ଦିନେ ବଢେଇ କୁଢେଇ ମଣିଷ କରିଥିଲା ଆଜି ସିଏ ହେଲା ସାତପର । ବୟସାଧିକ କାରଣ ପାଇଁ ବାପା ଟଙ୍କା ରୋଜଗାର କରିପାରିଲାନି । ଆଉ ଟଙ୍କା ପାଇଁ ବାପାଙ୍କୁ ପର କରିଦେଲା ପରିବାର ।

ରୋଗ ହେବାରୁ ବୁଢା ବାପାକୁ ଘରୁ ତଡିବା ପାଇଁ ବି ପଛାଇଲାନି ସ୍ୱାର୍ଥପର ପୁଅ । ୫ ମାସ ରାସ୍ତାରେ ଜୀବନ କାଟିବା ପରେ ବୃଦ୍ଧଙ୍କ ଉପରେ ଜଣେ ସାମ୍ବାଦିକଙ୍କ ନଜର ପଡିଥିଲା । ଆଉ ବିଡିଓଙ୍କ ହସ୍ତକ୍ଷେପ ପରେ ମେଡିକାଲରେ ଭର୍ତ୍ତ ହୋଇଛନ୍ତି ବୃଦ୍ଧ ।

ବୃଦ୍ଧ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଜାମପାଲି ଗାଁର ସୁକଦେବ କୁମ୍ଭାର । ରୋଜଗାର ଥିଲା ବେଳେ ବେଶ୍‌ ଭଲରେ ଚଳୁଥିଲା ପରିବାର । ବୟସ ବଢିବା ସାଙ୍ଗେ ସାଙ୍ଗେ ପରିଶ୍ରମ ବି କମିଲା । ତେଣୁ ଘରକୁ ଟଙ୍କା ଦେବାରେ ଅସମର୍ଥ ହେଲେ କୁମ୍ଭାର । ଆଉ ପରିବାର କଳି ଭିତରେ ବଳି ପଡିଗଲେ ସେ ।

ଯେଉଁଠି ସ୍ତ୍ରୀ ବି ପଚାରିଲାନି । ସେଇଠି ପୁଅ-ବୋହୂଙ୍କ କଥା ପଚାରେ କିଏ ? ଆଉ ପରିବାର ଲୋକ ଘରୁ ବାହାର କରିବା ପରେ ସଂସାର ଜଂଜାଳରୁ ମୁକ୍ତି ପାଇବେ କଣ ବରଂ ରୋଗ ବଢିବାରୁ ଏବେ ମେଡିକାଲ ବିଛଣାରେ ପଡିଛନ୍ତି ଏଇ ବୃଦ୍ଧ । 

 

(ରିପୋର୍ଟ- ଦିଲ୍ଲୀପ କୁମାର ସାହୁ, ବିନିକା)