ଶ୍ରୀମନ୍ଦିରରେ ମୂଷା ଓ ଅସରପାଙ୍କ ଉତ୍ପାତ କମାଇବ ତାର ଜାଲି

ଗର୍ଭଗୃହରେ ବଢୁଛି ମୂଷା ଓ ଅସରପାଙ୍କ ଉତ୍ପାତ । ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି ପ୍ରଶାସନ । ସେପଟେ ସ୍ନାନପୂର୍ଣ୍ଣିମା ପାଇଁ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା।

tackle rodent

ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଚଳଚଞ୍ଚଳ ଶ୍ରମନ୍ଦିର ଓ ରଥଖଳା । କେମିତି ମହାପ୍ରଭୁଙ୍କ ଯାତ୍ରା ସୁରକ୍ଷିତ ହେବ, ସଅଳ ନୀତିକାନ୍ତି ସରିବ ସେନେଇ ଘନଘନ ବସୁଛି ବୈଠକ । ପ୍ରତିବର୍ଷ ଭଳି ଚଳିତ ବର୍ଷ ନବାଦିନାତ୍ମକ ଯାତ୍ରା ସମୟରେ ଶ୍ରୀମନ୍ଦିରର ଗର୍ଭଗୃହ ଓ ରତ୍ନ ସିଂହାସନ ଯାଞ୍ଚ ଓ ମରାମତି କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ଗର୍ଭ ଗୃହରେ ମୂଷା ଓ ଅସରପାଙ୍କ ଉପଦ୍ରବକୁ ରୋକିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ବି କରାଯିବ । ଏଏସ୍‌ଆଇ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା ପରେ ଏନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଆସନ୍ତା ୪ ତାରିଖରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ତଥା ଗଜାନନବେଶ । ତେଣୁ ମହାପ୍ରଭୁଙ୍କ ନୀତିକାନ୍ତି କେମିତି ନିର୍ଦ୍ଧାରିତ ସମୟରେ ସରିବ ସେନେଇ ବି ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ASI ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ ବୈଠକ କରାଯାଇଛି । ବୈଠକରେ ବିଶେଷ କରି, ରଥଯାତ୍ରା ସମୟରେ ଅଗ୍ରାଧିକାର ଭିତିରେ ଶ୍ରୀମନ୍ଦିର ଗର୍ଭଗୃହ, ନାଟ ମଣ୍ଡପ, ଜଗମୋହନ, ରତ୍ନ ସିଂହାସନ, ପ୍ରଥମ ମହଲା ଓ ଦ୍ଵିତୀୟ ମହଲାର ରୁଟିନ ଯାଞ୍ଚ କରାଯାଇ ରାସାୟନିକ ପ୍ରଲେପ,ସଫେଇ କାର୍ଯ୍ୟ ଶେଷ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

ରଥଯାତ୍ରା ପରେ ଲୁହା ଭାରା ବନ୍ଧାଯାଇ ଉପର ମହଲା ଅର୍ଥାତ ଅଅଁଳା ବେଢା ଏବଂ ଅନ୍ୟ ପାର୍ଶ୍ଵ ଦେବାଦେବୀ ମନ୍ଦିରର ଯାଞ୍ଚ ଓ ମରାମତି ବି କରାଯିବ । ଗତ କିଛିମାସ ଧରି ଶ୍ରୀମନ୍ଦିର ମଧ୍ୟରେ ଦେଖାଯାଇଥିବା ମୂଷା ଓ ଅସରପାଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯାଉଛି । ମୂଷା ଚଳପ୍ରଚଳ କରୁଥିବା ରାସ୍ତା ସିଲ ହେବା ସହ ମୂଷା ଏବଂ ଅସରପାଙ୍କ ପାଇଁ ସ୍ୱତନ୍ତ୍ର ଜାଲିର ବ୍ୟବସ୍ଥା କରାଯାଉଥିବା ବୈଠକରେ ସୂଚନା ଦିଆଯାଇଛି ।

ସେପଟେ ଜୁନ ୪ ତାରିଖରେ ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ନିୟନ୍ତ୍ରଣ, ଜନଗହଳି ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ସ୍ନାନ ଯାତ୍ରା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨୦ଜଣ ଅତିରିକ୍ତ ଏସ୍‌ପି ଓ ୯୦ ଜଣ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିବେ । ଶ୍ରୀମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ମରିଚିକୋଟ ଛକରୁ ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।