ମରଣଯନ୍ତା ଭଳି ରାସ୍ତା ହେଉ କି ଡେଡଲାଇନ୍ ପାର ନିର୍ମାଣାଧୀନ ପୋଲ । ପୁରୁଷ ପୁରୁଷ ଧରି ଯନ୍ତ୍ରଣାରେ ସନ୍ତୁଳି ହେଉଥିବା ଦୁଇଟି ଚିତ୍ର ଆଜି ଆସିଛି କେନ୍ଦୁଝର ଓ ବାରିପଦାରୁ । ପ୍ରଶାସନକୁ ଦିଶୁନି ? ନା ସରକାରଙ୍କୁ ଶୁଭୁନି ? ସ୍ୱାଧୀନତାର ୭୫ବର୍ଷ ପରେ ଏଇ ଉତ୍ତର ଖୋଜି ଖୋଜି ନିରାଶ ହେବା ପରେ ଶେଷରେ ନିଜ କଥା ନିଜେ ବୁଝିବା ନ୍ୟାୟରେ ଏଠି ଗାଁର ଖାଲଖମା ଭର୍ତ୍ତି ମରଣଯନ୍ତାଠୁ ବଳି ରାସ୍ତାକୁ ସଜାଡୁଛନ୍ତି କିଛି ଯୁବ ସ୍ୱେଚ୍ଛାସେବୀ ।
କେନ୍ଦୁଝର ଜିଲା ପାଲାଣଘାଟି ପଞ୍ଚାୟତର କୁମୁଳାବାହାଳିରୁ ଏରେଣ୍ଡେଇକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାକୁ ସ୍ୱେଚ୍ଛାସେବୀ ସଂଗଠନ ଭରସା ପରିବାରର ଯୁବକମାନେ ନିଜସ୍ୱ ଖର୍ଚ୍ଚ ଓ ଶ୍ରମଦାନ ମାଧ୍ୟମରେ ରାସ୍ତା ମରାମତି କରୁଥିବା ବେଳେ ଗଣମାଧ୍ୟମ ଆଗରେ ଅସନ୍ତୋଷ ଝାଡ଼ି କହିଛନ୍ତି, ‘ଏଠି ପ୍ରଶାସନ ଅନ୍ଧ’ ।
୩ବର୍ଷ ତଳେ MGNREGA ରେ ରାସ୍ତାରେ ମୋରମ ପଡ଼ିଥିଲା । ହେଲେ ଗୋଟିଏ ବର୍ଷାରେ ମୋରମ ସହ ପକ୍କା ରାସ୍ତାର ପ୍ରତିଶ୍ରୁତି ବି ଧୋଇଗଲା । ପଚାରିଲା ବେଳକୁ ନେତାଠୁ ବାବୁ ସମସ୍ତେ ଲୁଚୁଛନ୍ତି । ବାରିପଦାରେ ଅସରନ୍ତି ରାସ୍ତା ଯନ୍ତ୍ରଣାରେ ବର୍ଷ ବର୍ଷ ଧରି ସନ୍ତୁଳି ହେଉଥିବା ଅଞ୍ଚଳବାସୀଙ୍କ ପ୍ରଶ୍ନ, ଅନ୍ତହୀନ କାମରେ ଧନ୍ଦି ହୋଇ ନିଜେ ବୁଢ଼ା ହୋଇଯିବନି ତ ବୁଢ଼ାବଳଙ୍କ ନଦୀ ଉପରେ ନିର୍ମାଣଧୀନ ପୋଲ ।
Also Read
ବାରିପଦାରୁ ଉଦଳା ହେଉ କି ଉଦଳାରୁ ବାରିପଦା । ନିଇତି ଲକ୍ଷାଧିକ ଲୋକଙ୍କ ଲାଇଫ୍ ଲାଇନ୍ ସାଜିଥିବା ପୋଡାଅସ୍ତିଆରେ ରାଜାରାଜୁଡ଼ା ଅମଳର ଏ ପୋଲକୁ ପ୍ରଶସ୍ତ ଓ ସଶକ୍ତ କରିବାକୁ ୨୦୧୭ ରେ ଶିଳାନ୍ୟାସ ହେଲା । ୨୦୧୯ ସୁଦ୍ଧା କାମ ସାରିବାକୁ ଡେଡ୍ ଲାଇନ୍ ବି ଦିଆଯାଇଥିଲା । ୭ଟି ପିଲାର ସହ ୧୧ ମିଟର ଚଉଡ଼ା ଓ ୨୯୨ ମିଟର ଲମ୍ବର ପୋଲ ପାଇଁ ବ୍ୟୟ ଅଟକଳ ୨୭ କୋଟିରୁ ବଢ଼ି ବଢ଼ି ୪୭ କୋଟି ଛୁଇଁଲାଣି ।
ହେଲେ ପୋଲ କେବେ ଲୋକାର୍ପଣ ହେବ, ସେ ନିର୍ଭର ପ୍ରତିଶ୍ରୁତି ଲୋକ ପ୍ରତିନିଧି କି PWD ବିଭାଗ କାହା ପାଖେ ନାହିଁ । ଏଣେ ଜନତା କହିଲେଣି, ଯାହା କହିଥିଲେ.. କଲେନି । ନିର୍ବାହୀ ଯନ୍ତ୍ରୀ କିନ୍ତୁ ଟାଣପଣରେ କହୁଛନ୍ତି ଖୁବଶୀଘ୍ର କାମ ସରିଯିବ ।