ଚେଇଁ ଶୋଇଛି ପ୍ରଶାସନ : ୫ ଶ୍ରେଣୀର ପିଲାଙ୍କୁ ଜଣେ ମାତ୍ର ଶିକ୍ଷକ

ବାଃ ବାଃରେ ଶିକ୍ଷା ବ୍ୟବସ୍ଥା । ୫ଟି ଶ୍ରେଣୀର ପିଲାଙ୍କୁ ପଢାଇବାକୁ ନିଯୁକ୍ତି ହୋଇଛନ୍ତି ଜଣେ ମାତ୍ର ଶିକ୍ଷକ । ଯଦି ସେ କାମରେ ଗଲେ ସେ ଦିନ ସ୍କୁଲ ଛୁଟି

Teacher Problem

୫ଟି ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ମାତ୍ର ଜଣେ ଶିକ୍ଷକ । ଯଦି କୌଣସି ସରକାରୀ କାମରେ ସେ ଗଲେ ତେବେ ସେଦିନ ସ୍କୁଲ ଛୁଟି, ପାଠପଢା ବନ୍ଦ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ପିପିଲି ବ୍ଳକ ନାରଣକ୍ଷେତା ଗାଁରେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ବଢିଲାଣି ଚର୍ଚ୍ଚା ।

୨୦୦୮ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୪୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ପିଲାଙ୍କୁ ପଢାଇବା ଲାଗି ସରକାରଙ୍କ ପକ୍ଷରୁ ସ୍କୁଲରେ ୨ ଜଣ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ଡେପୁଟେସନ୍‌ରେ ଯାଇଥିବା ବେଳେ ଏବେ ପ୍ରଧାନଶିକ୍ଷକ ୫ଟି ଶ୍ରେଣୀର ପିଲାଙ୍କୁ ପଢାଉଛନ୍ତି ପାଠ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସ୍କୁଲରେ ୫୦ ପାଖାପାଖି ପିଲା ପାଠ ପଢିଥିବା ବେଳେ ପ୍ରଧାନଶିକ୍ଷକ ଯଦି କୌଣସି ସରକାରୀ କାମରେ ବ୍ଲକ୍‌ ଅଫିସକୁ ଗଲେ ତେବେ ସେଦିନ ସ୍କୁଲ ଛୁଟି ରହୁଛି । ତେଣୁ ପିଲାଙ୍କ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ସମସ୍ୟା କେବଳ ଏତିକିରେ ସୀମିତ ହୋଇରହିନାହିଁ । ବରଂ ଶ୍ରେଣୀ ଗୃହ ଅଭାବରୁ ନାହିଁନଥିବା ସମସ୍ୟାର ସାମ୍ନା କରୁଛନ୍ତି ପିଲା । ସ୍ଥିତି ଏବେ ଏମିତି ହେଲାଣି ଯେ ଗୋଟିଏ କକ୍ଷରେ ପ୍ରଥମରୁ ପଂଚମ ଯାଏ ବସି ପଢୁଛନ୍ତି ପିଲା । ସମସ୍ୟା ଏତିକିରେ ସରିନି ବରଂ ସ୍କୁଲରେ ଥିବା ଶୌଚାଳୟରେ ବି ଗଛଲତା ମାଡିଗଲାଣି । ତେଣୁ ସରୀସୃପଙ୍କ ଆଶ୍ରାସ୍ଥଳ ପାଲଟିଗଲାଣି ସ୍କୁଲ ପରିସର । 

ସ୍କୁଲ ଘର ନିର୍ମାଣ ଓ ଶିକ୍ଷକ ନିଯୁକ୍ତି କରିବାକୁ ପ୍ରଶାସନ ପାଖରେ ବାରମ୍ବାର ଦାବି କରିଛନ୍ତି ଅଭିଭାବକ । ସେପଟେ ଅଭିଭାବକଙ୍କ ଦାବିକୁ ବ୍ଲକ ଶିକ୍ଷାଧିକାରୀ ସ୍ୱୀକାର କରିବା ସହିତ ଏହି ସମସ୍ୟାକୁ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ।