ବାକିରେ ଗୁଟଖା ନଦେବାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବାକିରେ ଗୁଟଖା ଦେବାକୁ ମନା କରିବା ପରେ ଦୋକାନୀ ଆକ୍ରମଣର ଶିକାର ହୋଇଛନ୍ତି ।

ଗୁଟୁଖା ନଦେବାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ବିଶ୍ୱ ତମାଖୁ ବର୍ଜନ ଦିବସରେ ଗୁଟଖା ପାଇଁ ଆକ୍ରମଣ ହୋଇଥିବା ଖବର ଆସିଛି । ବାକିରେ ଗୁଟୁଖା ନଦେବାରୁ ଦୋକାନୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ତରିମୂଳ ଗ୍ରାମରେ । ବର୍ତ୍ତମାନ ଦୋକାନୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି କରାଯାଇଛି।

ତରିମୂଳ ଗାଁର ବିଦ୍ୟାଧର ସେଠୀ ଗତକାଲି ରାତିରେ ଦୋକାନ ବନ୍ଦ କରୁଥିଲେ । ଏହି ସମୟରେ ତାଙ୍କରି ଗାଁର ଚନ୍ଦ୍ରଶେଖର ଭୋଳ ଏବଂ ତାଙ୍କ ଭିଣୋଇ ଗୁଟୁଖା କିଣିବା ପାଇଁ ପହଞ୍ଚିଥିଲେ । ତେବେ ଟଙ୍କା ନଆଣି ବିଦ୍ୟାଧରଙ୍କୁ ସେମାନେ ଗୁଟଖା ମାଗିଥିଲେ । ତେବେ ପଇସା ନଦେଲେ ବାକିରେ ଗୁଟୁଖା ଦେବେ ନାହିଁ ବୋଲି ବିଦ୍ୟାଧର ମନା କରିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ଉଭୟ ବିଦ୍ୟାଧରଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ବିଦ୍ୟାଧରଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଅଭିଯୁକ୍ତମାନେ ମଦ ପିଇ ମାଡ଼ ମାରିଥିବା କହିଛନ୍ତି ବିଦ୍ୟାଧର ସେଠୀ ।