ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସାଂଘାତିକ ତଥ୍ୟ : ଶହେ ମିଟର ପରିଧିରେ ନିର୍ମାଣ ପାଇଁ ଅନୁମତି ଦେଇନି NMA

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ NMAର ଏନ୍ଓସି ନାହିଁ ବୋଲି କହିଲେ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ।

ଶ୍ରୀମନ୍ଦିର

News Summary

ସୂଚନା ମାଗିଥିଲେ ବଲାଙ୍ଗିରର ହେମନ୍ତ ପଣ୍ଡା

ଶ୍ରୀମନ୍ଦିର ଶହେ ମିଟର ଭିତରେ ନିର୍ମାଣ ପାଇଁ NMA ଅନୁମତି ଦେଇନି

ନିଜ ଉତ୍ତରରେ ସ୍ପଷ୍ଟ କଲା ନ୍ୟାସନାଲ ମୋନୁମେଣ୍ଟ ଅଥରିଟି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଉ ଏକ ସାଂଘାତିକ ତଥ୍ୟ । ଶ୍ରୀମନ୍ଦିର ପରିସରର ଶହେ ମିଟର ପରିଧି ଭିତରେ ନିର୍ମାଣ ପାଇଁ ନ୍ୟାସନାଲ ମୋନୁମେଣ୍ଟ ଅଥରିଟି କୌଣସି ଅନୁମତି ଦେଇନଥିଲା । ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି । ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା  । ଏ ନେଇ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ନ୍ୟାସନାଲ ମୋନୁମେଣ୍ଟ ଅଥରିଟିରୁ ତଥ୍ୟ ମାଗିଥିଲେ ।

NMA ଉତ୍ତରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ, ଶ୍ରୀମନ୍ଦିର ପରିସରର ଶହେ ମିଟର ପରିଧି ଭିତରେ ନିର୍ମାଣ ପାଇଁ NMA କୌଣସି ଏନ୍ଓସି ଦେଇନାହିଁ । ଏବେ ଯେଉଁ ସବୁ କାମ ହେଉଛି, ସେସବୁ NMA ର ବିନା ଅନୁମତିରେ ହେଉଥିବା ଜଣାପଡ଼ୁଛି । ଏହା ସହିତ ବେଆଇନ ଭାବେ ହେଉଥିବା କାମ ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ NMA ର କ୍ଷମତା ନାହିଁ ବୋଲି ମଧ୍ୟ ଏହି ସଂସ୍ଥା ଉଲ୍ଲେଖ କରିଛି ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦର ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ ରାଜ୍ୟ ସରକାର ହୁଅନ୍ତୁ କି ଏଏସ୍ଆଇ ଅଧିକାରୀ, ଯିଏ ଦୋଷୀ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜ୍ୟ ସରକାର ଓ ଏଏସ୍ଆଇକୁ ଟାର୍ଗେଟ କରି ସେ କହିଛନ୍ତି, ଏଏସ୍ଆଇ ଠିକ୍ ଭାବେ ନିଜ ଦାୟିତ୍ୱ ତୁଳାଇ ନାହିଁ ନ ହେଲେ ବିବାଦ ହୋଇନଥାନ୍ତା । ମଠ ଉଚ୍ଛେଦ ମଧ୍ୟ ବେଆଇନ ଥିଲା, ଏହା ଆଇନର ଉଲ୍ଲଂଘନ । ଏବେ ଯେଉଁ ସର୍ଭେ ହେଉଛି, ତାହା ମଧ୍ୟ ଏଏସ୍ଆଇ କରୁନି । ଏହା ଛଡ଼ା ଏବେ ସମସ୍ତେ କେବଳ ରାଜନୈତିକ ବୟାନବାଜି କରୁଥିବାରୁ ତାକୁ ନାପସନ୍ଦ କରିଛନ୍ତି ବିଜୟ ମହାପାତ୍ର । ଶ୍ରୀଜଗନ୍ନାଥଙ୍କୁ ଖେଳନା କରାନଯାଉ ବୋଲି ବୋଲି ସେ କହିଛନ୍ତି ।