ବନ୍ୟାସ୍ଥିତି ସମୀକ୍ଷା; ପର୍ଯ୍ୟାପ୍ତ କ୍ଷତିପୂରଣ ମିଳିବ କହିଲେ ରାଜସ୍ୱ ମନ୍ତ୍ରୀ

ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରିର କାଳିମେଳା ବ୍ଳକ। ବଣ୍ଡାଘାଟିରେ ଭାଙ୍ଗିଛି ଅନେକ ଘରର କାନ୍ଥ । ପାଣି ଖସୁଥିଲେ ବି ସ୍ଥିତି ଉଦବେଗଜନକ ରହିଛି। 

Suresh Pujari

କମିଲା ବର୍ଷା, ଦୁର୍ଦ୍ଦଶା ବଢିଲା । ପାଣି ଛାଡିବା ପରେ ମାଲକାନଗିରିରେ ସାମନାକୁ ଆସୁଛି ବଢି ପର ଦୁର୍ଦ୍ଦଶାର ଚିତ୍ର । ଦୁଇ ଦିନର ଅବିଶ୍ରାନ୍ତ ବର୍ଷାରେ ଜଳବନ୍ଦୀ ହୋଇଥିଲା ଜନବସତି । ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲା ମାଲକାନଗିରି ଜିଲ୍ଲା । ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରିର କାଳିମେଳା ବ୍ଳକ । ଏବେବି ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ, କନ୍ୟା ଆଶ୍ରମ, କାଙ୍କରକୋଣ୍ଡା ପରି ଅନେକ ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରିରୁ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବଣ୍ଡାଘାଟିରେ ଅନେକ ଘରର କାନ୍ଥ ଭାଙ୍ଗିଯାଇଥିବା ଜଣାପଡ଼ିଛି । ପାଣି ଖସୁଥିଲେ ବି ସ୍ଥିତି ଉଦବେଗଜନକ ରହିଛି। 

ଏପଟେ ରାଜ୍ୟରେ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବର୍ଷା ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିବା ସହ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯିବ କହିଛନ୍ତି ରାଜସ୍ୱ ମନ୍ତ୍ରୀ । SRC କାର୍ଯ୍ୟାଳୟରେ ସମୀକ୍ଷା ପରେ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ଲଗାଣ ବର୍ଷା ସତ୍ତ୍ୱେ କାହାରି ମୃତ୍ୟୁ ହୋଇନି କିନ୍ତୁ ଭୂସ୍ଖଳନ ଯୋଗୁଁ ଜଣେ ଆହତ ହୋଇଛନ୍ତି ।

ମାଲକାନଗିରିରେ ୬ଟି ଓଡ୍ରାଫ୍ ଓ ୫ଟି ଅଗ୍ନିଶମ ଟିମ୍ ମୁତୟନ ଥିଲେ । ଜିଲ୍ଲାରେ ୮୦ଟି ରେସ୍କ୍ୟୁ ବୋଟ୍ ମଧ୍ୟ ମୁତୟନ ଥିଲା କହିଛନ୍ତି ମନ୍ତ୍ରୀ । ଷ୍ଟାଣ୍ଡ ବାଏରେ ବିଏସ୍ଏଫ୍‌ ଓ ଏନ୍‌ଡିଆର୍‌ଏଫଙ୍କୁ ରଖାଯାଇଥିଲା । ପ୍ରାୟ ୧୭୦୦ରୁ ୧୮୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ବର୍ଷା ସ୍ଥିତି ସୁଧାର ଆସିଛି, ଖୁବଶୀଘ୍ର ସ୍ୱାଭାବିକ ହେବ ବୋଲି ଆଶା ଥିବା କହିଛନ୍ତି ମନ୍ତ୍ରୀ ।

ଏଥିସହିତ ବର୍ତ୍ତମାନ କ୍ଷୟକ୍ଷତି ଆକଳନ ହେବ ଓ ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯିବ କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ରାଜସ୍ୱ ମନ୍ତ୍ରୀ, ଏସଆରସି, ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ସ୍ଥିତିକୁ ପରଖିଛନ୍ତି ।