ଫିଟିବ ସୂର୍ଯ୍ୟମନ୍ଦିରର ଚାରି ଦିଗ। ୧୨୦ ବର୍ଷ ପରେ ବାଲିମୁକ୍ତ ହେବ ବ୍ଲାକ ପାଗୋଡ଼ା। ହେଲେ ମନକୁ ଘାରୁଛି ନାନା ଶଙ୍କା, ନାନା ସଂଶୟ। ଏହି ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଯେଉଁ ବାଲି ଭର୍ତ୍ତି କରାଯାଇଥିଲା, ସେହି ବାଲିକୁ କାଢ଼ିବା ପରେ ସତରେ କଣ ସୁରକ୍ଷିତ ରହିବ ସୁର୍ଯ୍ୟମନ୍ଦିର ? ଏହା ହେଉଛି ତ୍ରୟୋଦଶ ଶତାବ୍ଦୀର ମନ୍ଦିର। ୧୯୦୩ ମସିହାରେ ଏହାର ସୁରକ୍ଷା ପାଇଁ ଭର୍ତ୍ତି କରାଯାଇଥିଲା ବାଲି। କୁହାଯାଉଛି, ମନ୍ଦିରର ପଥର ବି ଖସିଥାଇପାରେ ତାଭିତରେ। ଇତିମଧ୍ୟରେ ବିତିଯାଇଛି ୧୧୯ ବର୍ଷ। ତାହାରି ଭିତରେ ଛାତରୁ ତଳକୁ ବାଲି ଖସିଛି। ତେଣୁ ବିଶେଷଜ୍ଞଙ୍କ ଆଶଙ୍କା, ପାର୍ଶ୍ୱବର୍ତ୍ତୀ କାନ୍ଥ ଉପରେ ଏବେ ଚାପ ପଡୁଥିବ। କେବଳ ଚାପ ନୁହେଁ, ଆର୍ଦ୍ରତା ଯୋଗୁ ଟନ୍ ଟନ୍ ବାଲି ମସୃଣ ହୋଇଯାଇଥିବ।
ତେବେ କେଉଁଠି କେତେ ବାଲି ଦବିଛି ? ସେହି ବାଲିକୁ କେମିତି କାଢ଼ିବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ? ଉତ୍ତର ଦିଗରେ ସୂର୍ଯ୍ୟମନ୍ଦିର ଦୁର୍ବଳ ଥିବା କୁହାଯାଉଥିବାବେଳେ ୩ଟି ପୀଢ ମଧ୍ୟରୁ ୨ଟି ପୀଢ଼ରେ ସପୋର୍ଟ ଅଛି ନା ନାହିଁ ? ବାଲି ନିଷ୍କାସନ ପାଇଁ ବ୍ୟବହୃତ ମେସିନ୍ ଏହି ମନ୍ଦିର ପାଇଁ ବିପଦ ସାଜିବନି ତ ? କୌଣସି ବିଶ୍ୱ ଐତିହ୍ୟରୁ ବାଲି କଢାଯିବାର ଇଏ ପ୍ରଥମ ଘଟଣା ହୋଇଥିବାରୁ ସବୁ ଦିଗକୁ ଅନୁଧ୍ୟାନ କରି ବାଲି କାଢ଼ିବା ଦରକାର ବୋଲି ମତ ରଖିଛନ୍ତି IIT ଖଡ଼ଗପୁରର ପୂର୍ବତନ ପ୍ରଫେସର ଓମକାର ନାଥ ମହାନ୍ତି।ତାସହ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କୁ ସାମିଲ କରିିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ଗୁରୁବାର ଭୂମିପୂଜନ ପରେ ବାଲି ନିଷ୍କାସନ ପ୍ରକ୍ରିୟାକୁ ଜୋରଦାର କରିଛି ଏଏସ୍ଆଇ। ପ୍ରାଥମିକ ପର୍ଯ୍ୟାୟରେ ଘରୋଇ କମ୍ପାନୀର ବୈଷୟିକ ସହାୟତାରେ ତିଆରି କରାଯାଉଛି ମେକାନିକାଲ ଓ୍ବାର୍କିଂ ଫ୍ଲାଟଫର୍ମ। ତେବେ ଏତେବଡ଼ ନିଷ୍ପତ୍ତି ସତ୍ତ୍ୱେ ପ୍ରତ୍ନତତ୍ୱ ବିଭାଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏଏସଆଇ ସମନ୍ବୟ ରଖୁନଥିବା ଅଭିଯୋଗ ଉଠିଛି। ବାଲି ନିଷ୍କାସନ ପ୍ରକ୍ରିୟାର ଇତିମଧ୍ୟରେ ୩ଦିନ ବିତିଯାଇଥିଲେ ବି ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ କିମ୍ବା ପ୍ରତିନିଧି ଯୋଗନଦେବାକୁ ନେଇ ଆପତ୍ତି ଉଠାଇଛି କୋଣାର୍କ ସୁରକ୍ଷା ସମିତି। ତାସହ ରାଜ୍ୟ ସରକାରଙ୍କ ଏକ୍ସପର୍ଟ ଆଡ଼ଭାଇଜରି କମିଟିର ହସ୍ତକ୍ଷେପ ଲୋଡ଼ିଛି।
ପ୍ରତ୍ନତତ୍ୱ ବିଭାଗ ଓ ରାଜ୍ୟ ସରକାର ମଧ୍ୟରେ ସମନ୍ବୟ ରହୁନଥିବା ଅଭିଯୋଗ ନେଇ ଏଏସଆଇର ପ୍ରତିକ୍ରିୟା ମିଳିନଥିବାବେଳେ, ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏବଂ ଆଡଭାଇଜରି କମିଟିର ପରାମର୍ଶ ନେଇ ବାଲି ନିଷ୍କାସନ ପ୍ରକ୍ରିୟା ଚାଲିଥିବା କହିଛନ୍ତି ଏଏସଆଇ ସୁପରିନଟେଣ୍ଡେଣ୍ଟ ଅରୁଣ ମଲିକ।
ମନ୍ଦିରର ସୁରକ୍ଷା ପାଇଁ ଯେଉଁ ବାଲିକୁ ପୋତା ଯାଉଥିଲା, ସେହି ବାଲିକୁ କାଢ଼ିବା ପରେ କଣ ହେବ ତାର ପରିଣାମ ? ସୁରକ୍ଷା ପାଇଁ କି ପଦକ୍ଷେପ ନେବ ଏଏସଆଇ ଏବେ ତାକୁ ହିଁ ଅପେକ୍ଷା।
ପୁରୀରୁ ପ୍ରଦୀପ ମହାନ୍ତିଙ୍କ ରିପୋର୍ଟ