Advertisment

ପାଣି ପାଇଁ ମହାଭାରତ

ପ୍ରତିବାଦ କରିଥିଲେ ପ୍ରଶାସନ ଶୁଣିଲାନି। ଚେତାବନୀ ଦେଇଥିଲେ ସରକାର ଶୁଣିଲେନି। ଶେଷରେ ଉଗ୍ର ହେଲା ଜନ ଅସନ୍ତୋଷ। ପାଣି ପାଇଁ କେନ୍ଦ୍ରାପଡ଼ା ପାଲଟିଲା ରଣକ୍ଷେତ୍ର। କେନ୍ଦ୍ରାପଡ଼ା ଭାରିଗଦାରେ ଖରସ୍ରୋତା ପାନୀୟ ଜଳପ୍ରକଳ୍ପ ବିରୋଧରେ ଲୋକଙ୍କ ରୋଷ ଭିତରେ ଭିତରେ କେତେ ଭୟଙ୍କର ଭାବେ କୁହୁଳୁଥିଲା, ଆଜି ତାର ଉଗ୍ର ପ୍ରତିଫଳନ ହୋଇଛି।

ଅଦ୍ୟତନ ହୋଇଛି
ପାଣି ପାଇଁ ମହାଭାରତ

Kendrapada Water Issue

Advertisment

କେନ୍ଦ୍ରାପଡ଼ା: କେନ୍ଦ୍ରାପ଼ଡ଼ା ଭାରିଗଦାରେ ଖରସ୍ରୋତା ପାନୀୟଜଳ ପ୍ରକଳ୍ପକୁ ବିରୋଧ କରୁଥିବା ଆନ୍ଦୋଳନକାରୀଙ୍କ ଉଗ୍ରରୂପ। ପୋଲିସ ସହ ମୁହାଁମୁହିଁ ହେବା ପରେ ପ୍ରକଳ୍ପ ସ୍ଥଳରେ ଘଟିଛି ତୁମୁଳକାଣ୍ଡ । ମହାସଂଗ୍ରାମର ଡାକରା ଦେଇ ବିକ୍ଷୋଭ ପାଇଁ ଆସୁଥିଲେ ଶହ ଶହ ଆନ୍ଦୋଳନକାରୀ ।ଜୀବନ ଓ ଜୀବିକା ବିପଦରେ ପଡିବା ଆଶଙ୍କା ଥିବାରୁ ପ୍ରକଳ୍ପ ବାତିଲ ନହେବା ଯାଏଁ ଆନ୍ଦୋଳନରୁ ଓହରିବ ନାହିଁ ବୋଲି ସଫା ସଫା ଶୁଣାଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି।

Advertisment

ପ୍ରତିବାଦ କରିଥିଲେ ପ୍ରଶାସନ ଶୁଣିଲାନି। ଚେତାବନୀ ଦେଇଥିଲେ ସରକାର ଶୁଣିଲେନି। ଶେଷରେ ଉଗ୍ର ହେଲା ଜନ ଅସନ୍ତୋଷ। ପାଣି ପାଇଁ କେନ୍ଦ୍ରାପଡ଼ା ପାଲଟିଲା ରଣକ୍ଷେତ୍ର। କେନ୍ଦ୍ରାପଡ଼ା ଭାରିଗଦାରେ ଖରସ୍ରୋତା ପାନୀୟ ଜଳପ୍ରକଳ୍ପ ବିରୋଧରେ ଲୋକଙ୍କ ରୋଷ ଭିତରେ ଭିତରେ କେତେ ଭୟଙ୍କର ଭାବେ କୁହୁଳୁଥିଲା, ଆଜି ତାର ଉଗ୍ର ପ୍ରତିଫଳନ ହୋଇଛି। ପ୍ରକଳ୍ପ କାମ ପାଇଁ ଆସିଥିବା ମେସିନ୍, ଆମ୍ବୁଲାନ୍ସ ଓ ଡିଜେଲ ଟ୍ୟାଙ୍କର ଭଙ୍ଗାରୁଜା ହୋଇଛି । ପରିସ୍ଥିତି ଅଣାୟତ୍ତ ହୋଇଥିଲା । ସ୍ଥାନୀୟ ଲୋକ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୂର୍ବ ଘୋଷଣା ମୁତାବକ, ଭାରିଗଦାରେ ମେଗା ପାନୀୟଜଳ ପ୍ରକଳ୍ପକୁ ଆରମ୍ଭରୁ ବିରୋଧ କରୁଥିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଶତାଧିକ ସଦସ୍ୟ ଆଜି ମହାସଂଗ୍ରାମ ଡାକରା ଦେଇଥିଲେ।

ହେଲେ ପ୍ରଶାସନ ୧୪୪ ଧାରା ଜାରି କରିଥିବାରୁ ବାଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା । କିନ୍ତୁ ବିକ୍ଷୋଭକାରୀ ନମାନିବାରୁ ଉଭୟ ପକ୍ଷ ମୁହାଁମୁହିଁ ସ୍ଥିତିକୁ ଆସିଥିଲେ । ଧସ୍ତଧାସ୍ତି ଭିତରେ ଆନ୍ଦୋଳନକାରୀ ପୋଲିସ୍ ବ୍ୟାରିକେଡ୍‌ ଭାଙ୍ଗି ପ୍ରକଳ୍ପ ସ୍ଥଳରେ ପହଞ୍ଚି ଦେଖାଇଥିଲେ ଆକ୍ରୋଶ । ସ୍ଥିତି ଅଣାୟତ୍ତ ହେବାର ଖବର ପାଇ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସଂଗ୍ରାମ ସମିତି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ହେଲେ ପ୍ରକଳ୍ପ ବାତିଲ୍ ଜିଦରୁ ଓହରୁ ନାହାନ୍ତି ଆନ୍ଦୋଳନକାରୀ। ଆଇନଶୃଙ୍ଖଳା ଦୃଷ୍ଟିରୁ ପ୍ରକଳ୍ପ ସ୍ଥଳରେ ଏବେ ୧୬ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି।

Advertisment

ଭାରିଗଦାରେ ବିଷମ ପରିସ୍ଥିତି ପାଇଁ ସିଧା ପ୍ରଶାସନ ଓ ସରକାରଙ୍କୁ ଦାୟୀ କରିଛନ୍ତି ଆଳିର ପୂର୍ବତନ ବିଧାୟକ ତଥା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଆବାହକ ଦେବେନ୍ଦ୍ର ଶର୍ମା। ସେ ଅଭିଯୋଗ କରିଛନ୍ତି ବିନା ଜମି ଅଧିଗ୍ରହଣରେ ପ୍ରକଳ୍ପ କାର୍ଯ୍ୟ ବେଆଇନ୍। ତାସହ ପ୍ରକଳ୍ପ ହେଲେ ଅଞ୍ଚଳବାସୀଙ୍କ ଜୀବନ ଓ ଜୀବିକା ବିପନ୍ନ ହୋଇଯିବ। ତେଣୁ ପ୍ରକଳ୍ପକୁ ବିରୋଧ ଜାରି ରହିବ, ସେପଟେ ଏହାର ଜବାବ ରଖିଛନ୍ତି ସ୍ଥାନୀୟ ବିଧାୟକ ପ୍ରତାପ ଦେବ।

ଏବେ ଆସନ୍ତୁ ଜାଣିବା କଣ ଏ ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ ? କାହିଁକି ଏହାକୁ ହେଉଛି ଜୋରଦାର ବିରୋଧ ?

Advertisment

ସୂଚନା ଅନୁସାରେ-ରାଜକନିକା ଭାରିଗଦାରେ ୮୬୮ କୋଟି ଟଙ୍କା ବ୍ୟୟରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଏହା ଜରିଆରେ ଭଦ୍ରକ ଜିଲ୍ଲାର ୪ଟି ବ୍ଳକ୍ ବାସୁଦେବପୁର, ଚାନ୍ଦବାଲି, ତିହିଡି ଏବଂ ଧାମନଗରକୁ ପିଇବା ପାଣି ଯୋଗାଇ ଦିଆଯିବ। ୨ବର୍ଷ ତଳୁ ଏଥି ପାଇଁ ଟେଣ୍ଡର ସରିଛି। ତେବେ ପ୍ରକଳ୍ପ ଆରମ୍ଭରୁ ବିକ୍ଷୋଭ, ଧାରଣା ଓ ମାନବ ଶୃଙ୍ଖଳ କରି ବିରୋଧ କରିଆସୁଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ସମିତିର ଅଭିଯୋଗ, ପ୍ରକଳ୍ପ ହେଲେ ଏଠି ନଦୀ ଶୁଖିଯିବ, ଲୁଣା ମାଡ଼ି ଚାଷ ଉଜୁଡ଼ିଯିବ ଓ ଖରାଦିନେ ଉତ୍କଟ ପାନୀୟ ଜଳ ସଙ୍କଟ ଉପୁଜିବ। ତେବେ ପ୍ରଶାସନ କୌଣସି ପ୍ରକାରେ ପ୍ରକଳ୍ପ କରାଇବାକୁ ଚେଷ୍ଟା କରିବାରୁ ପ୍ରତିବାଦ ତୀବ୍ର ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଜାରି ହୋଇଛି ୧୪୪ ଧାରା। ପ୍ରକଳ୍ପ ଅଂଚଳର ଭାରିଗଦା, ବାଳକାଟି ଓ ବରୁଣାଡିଆ ପଞ୍ଚାୟତରେ ୨ ମାସ ପାଇଁ କଟକଣା ଲଗାଇଛି ପ୍ରଶାସନ। ଯାହାକୁ ନେଇ ତୀବ୍ର ହେଉଛି ଅସନ୍ତୋଷ ସାଙ୍ଗକୁ ଆନ୍ଦୋଳନ।

Odisha Kendrapara Mega Drinking Water Project
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ