ସ୍କୁଲ ବେଳର ସାଙ୍ଗଙ୍କୁ ଭେଟି ସୁଖଦୁଃଖ ହେଲେ ମହାମହିମ, କହିଲେ ଚୁନି କାହିଁ ?

ସକାଳ ପ୍ରାୟ ୯ଟା ୩୦ରେ, ନିଜ ବିଦ୍ୟାଳୟ ଭିତରକୁ ରାଷ୍ଟ୍ରପତିଙ୍କ କାରକେଡ୍ ପଶିବା ଆଗରୁ ସାଜ ସଜ୍ଜାରେ ହସୁଥିଲା, ଗର୍ବରେ ଫାଟି ପଡୁଥିଲା ପରିସର । ବିଦ୍ୟାଳୟକୁ ପଶୁ ପଶୁ ଆଗ ସ୍କୁଲ ଛାତ୍ରୀଙ୍କ ହାତରେ ବାଲୁକା କଳାରେ ନିର୍ମିତ ନିଜ ପ୍ରତିକୃତିକୁ ଦେଖି ବିଭୋର ହୋଇଥିଲେ ରାଷ୍ଟ୍ରପତି ।

Draupadi Murmu

ଅବର୍ଣ୍ଣନୀୟ ଖୁସି ସାଙ୍ଗକୁ ଅତୁଳନୀୟ ସେ ଆନନ୍ଦ । କିଏ ରାଷ୍ଟ୍ରପତିଙ୍କ ସାନିଧ୍ୟ ପାଇବାର ଖୁସିରେ ବିଭୋର ତ ଆଉ କିଏ ନିଜ ରାଷ୍ଟ୍ରପତି ବାନ୍ଧବୀଙ୍କୁ ଭେଟିବା ଖୁସିରେ ଗଦ୍‌ଗଦ । ଦିନେ ଯେଉଁ ସ୍କୁଲରେ ପଢ଼ିଥିଲେ, ବଢ଼ିଥିଲେ, ଖେଳକୁଦରେ ଅୟୁତ ଅୟୁତ ଘଣ୍ଟାର ସମୟ ବିତେଇଥିଲେ । ରାଷ୍ଟ୍ରପତି ହୋଇ ସେଇ ସ୍କୁଲକୁ, ସେଇ ହଷ୍ଟେଲ୍‌କୁ ଆଜି ଆସିଥିଲେ ସେଦିନର ଦ୍ରୌପଦୀ । ସେଥିପାଇଁ ଖୁସିରେ ଝୁମୁଥିଲା ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ ହାଇସ୍କୁଲର ପରିସର ।

ସକାଳ ପ୍ରାୟ ୯ଟା ୩୦ରେ, ନିଜ ବିଦ୍ୟାଳୟ ଭିତରକୁ ରାଷ୍ଟ୍ରପତିଙ୍କ କାରକେଡ୍ ପଶିବା ଆଗରୁ ସାଜ ସଜ୍ଜାରେ ହସୁଥିଲା, ଗର୍ବରେ ଫାଟି ପଡୁଥିଲା ପରିସର । ବିଦ୍ୟାଳୟକୁ ପଶୁ ପଶୁ ଆଗ ସ୍କୁଲ ଛାତ୍ରୀଙ୍କ ହାତରେ ବାଲୁକା କଳାରେ ନିର୍ମିତ ନିଜ ପ୍ରତିକୃତିକୁ ଦେଖି ବିଭୋର ହୋଇଥିଲେ ରାଷ୍ଟ୍ରପତି ।

ଖୁସିରେ ସେଇଠି ଆଗ ପିଲାଙ୍କ ସହ ଫଟୋ ପୋଜ୍ ଦେଇ ଆଗକୁ ବଢୁ ବଢୁ ଆଖି ସାମ୍ନାକୁ ଆସି ଯାଇଥିଲେ ରାଷ୍ଟ୍ରପତିଙ୍କ ୧୨ ସହପାଠିନୀ ବନ୍ଧୁ । ଖୁସି କହିଲେ ନସରେ । ଜଣେ ସାଙ୍ଗକୁ ନ ପାଇ ଚୁନି କାହିଁ ନାହିଁ ବୋଲି ବି କୁଆଡ଼େ ପଚାରି ଦେଇଥିଲେ ରାଷ୍ଟ୍ରପତି । କିଛି ସମୟର ଭାବ ବିନିମୟରେ କୁଣ୍ଢେମୋଟ ସାଙ୍ଗଙ୍କ ଛାତି ।

ଏହା ପରେ ସମୟ ଥିଲା ସ୍କୁଲର ଗର୍ବ ଗୌରବ ରାଷ୍ଟ୍ରପତିଙ୍କ ସମ୍ବର୍ଦ୍ଧନା ସଭାର । ମଂଚରେ ଛାତ୍ରୀଙ୍କ ସାନ୍ତାଳୀ ନାଚ ଦେଖିଲେ, ତା’ପରେ ପାଖକୁ ଡାକି ସେମାନଙ୍କ ସହ କଥା ହେଲେ, ଫଟୋ ଉଠେଇଲେ । ସ୍ୱପ୍ନ ବଡ଼ କରିବାକୁ ମନ୍ତ୍ର ଦେଲେ । ଦେଶର ସର୍ବୋଚ୍ଚ ପଦଧାରୀଙ୍କ ଏଭଳି ଅମାୟିକ ସାନିଧ୍ୟରେ କୃତ୍ୟ କୃତ୍ୟ କୁନି ଭବିଷ୍ୟତ ।

୭୦ ଦଶକରେ କୁନ୍ତଳା କୁମାରୀ ସାବତ ହଷ୍ଟେଲ୍‌ର ଯେଉଁ ଖଟରେ ଦିନେ ଛାତ୍ରୀ ଦ୍ରୌପଦୀଙ୍କ ଅନ୍ତେବାସୀ ଜୀବନ କଟିଥିଲା । ସେଇ ଖଟରେ କିଛିକ୍ଷଣ ବସିଲେ ଦ୍ରୌପଦୀ । କାନ୍ଥରେ ଲାଗିଥିବା ଘନିଷ୍ଠ ଦୁଇ ସାଙ୍ଗଙ୍କ ସହ ନିଜ ଫଟୋକୁ ଦେଖି ପିଲାଦିନ ଖୋଜିଲେ, କ୍ଷଣିକ ପାଇଁ ଭାବ ବିହ୍ୱଳ ହେଲେ ରାଷ୍ଟ୍ରପତି । ଶେଷରେ ହଷ୍ଟେଲ୍ ପରିସରରେ ସ୍ମୃତିର ଗଛ ଲଗାଇ ଫେରିଲା ବେଳକୁ ଭିଜିଟର ବୁକ୍‌ରେ ନିଜ ମତ ଲେଖିଲେ ରାଷ୍ଟ୍ରପତି ।

ନିଜ ସ୍କୁଲକୁ ଯିବା ପୂର୍ବରୁ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥଲେ ରାଷ୍ଟ୍ରପତି ।  ଛାତ୍ରଛାତ୍ରୀଙ୍କ ସହ ନିଜ ଛାତ୍ରୀ ଜୀବନର ଅନୁଭୂତି ବାଣ୍ଟିବା ସହ ସଫଳତା ପାଇଁ ଲକ୍ଷ୍ୟନିଷ୍ଠ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହ ଜଣେ ଛାତ୍ରୀଙ୍କ ପ୍ରଶ୍ନର ଉତ୍ତରରେ ତାଙ୍କ ପାଇଁ ତାଙ୍କ ଜେଜେ ମା ରୋଲ୍ ମଡେଲ୍ ବୋଲି କହିଥିଲେ ରାଷ୍ଟ୍ରପତି ।

(ରିପୋର୍ଟ- ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା, କପିଳେନ୍ଦ୍ର ପ୍ରଧାନ ଓ ଆଲୋକ ମହାନ୍ତି)