Advertisment

ଗସ୍ତର ଦ୍ୱିତୀୟ ଦିନରେ ଶିମିଳିପାଳ ବୁଲିଲେ ରାଷ୍ଟ୍ରପତି

ସକାଳୁ ମହାଦେବଙ୍କ ପୂଜାର୍ଚ୍ଚନା କଲେ ମହାମହିମ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିରେ ଦେଲେ ଶ୍ରଦ୍ଧାଞ୍ଜଳି । ପ୍ରୋଟୋକଲ ଭାଙ୍ଗି ନିଜ ଘରେ ରାତ୍ରିଯାପନ କଲେ ।

ଅଦ୍ୟତନ ହୋଇଛି
President Droupadi Murmu Odisha Visit

President Droupadi Murmu

Advertisment

ଜନ୍ମମାଟିରେ ରାଷ୍ଟ୍ରପତି। ଗାଁ ଲୋକଙ୍କ ପାଇଁ ଯେତେ ଆଦର ଓ ଗୌରବ, ତାଠୁ କେତେ ଅଧିକ ଆନନ୍ଦ ଓ ଉତ୍ସାହ ଖୋଦ୍ ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ। କାରଣ ଘରକୁ ରାତ୍ରଭୋଜନ ପାଇଁ ଆସିଥିବା ରାଷ୍ଟ୍ରପତି ଗତକାଲି ନିଜ ଘରେ ହିଁ ରାତି କଟାଇଛନ୍ତି । ପ୍ରୋଟୋକଲ ଭାଙ୍ଗି ସାଧାରଣ ନାଗରିକଙ୍କ ଭଳି ପରିବାର ସହ ଘରେ ରହିବା ପରେ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ବାହାରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବଦଳିନଥିଲା ପୂର୍ବ ଅଭ୍ୟାସ । ଘର ପାଖ ପୂର୍ଣ୍ଣେଶ୍ୱର ମନ୍ଦିରରେ ଜଳାଭିଷେକ କରିବା ସହ କିଛି ସମୟ ପ୍ରାର୍ଥନା କରିଥିଲେ। ପରେ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ, ପୂଜାରୀଙ୍କ ସହ ମନ୍ଦିର ପୁନରୁଦ୍ଧାର ପ୍ରସଙ୍ଗରେ କଥା ବି ହୋଇଥିଲେ। ଦେଶର ପ୍ରଥମ ନାଗରିକଙ୍କୁ ନିଜ ମାଟିରେ ଦେଖିବାକୁ ଲୋକଙ୍କ ଭିତରେ ଥିଲା ପ୍ରବଳ ଉତ୍ସାହ।

Advertisment

ରାଇରଙ୍ଗପୁର ମହୁଲଡିହାରେ ରାଷ୍ଟ୍ରପତିଙ୍କ ଘର। ଗତକାଲି ରାତ୍ରଭୋଜନ ପାଇଁ ଘରେ ପହଁଚିଥିଲେ ରାଷ୍ଟ୍ରପତି। ଆଉ ପରିବାର ସଦସ୍ୟଙ୍କୁ ଏକାଠି ଦେଖି ସେଠାରେ ହିଁ ରାତି କଟାଇବାକୁ ନେଇଥିଲେ ନିଷ୍ପତ୍ତି। ରାତିରେ ରାଷ୍ଟ୍ରପତିଙ୍କ ପାଇଁ ଶ୍ରଦ୍ଧାର ସହ ପୁରା ପରିବାର କରିଥିଲେ ଖାଇବା ବ୍ୟବସ୍ଥା। ରୁଟି, ଚକୁଳି, ଡାଲମା, ସଜନା ଛୁଇଁ ଭଜା ଓ ଅତି ପ୍ରିୟର ଛତୁ ବେସର। ଖାଇବା ପରେ ଆରମ୍ଭ ହୋଇଥିଲା ଗପସପ। ପରିବାର ସଦସ୍ୟଙ୍କ ଭଲ ମନ୍ଦ ଓ ଦେହପା କଥା ପଚାରି ବୁଝିଥିଲେ। ଚାଷ ବାସ ଓ ଗାଁର ସମସ୍ୟା କଥା ବି ହୋଇଥିଲେ। ରାତି ସାଢେ ୧୦ ପରେ ଶୋଇବାକୁ ଯାଇଥିଲେ ସମସ୍ତେ। ହେଲେ ରାଷ୍ଟ୍ରପତି ଝିଅକୁ ପାଖରେ ପାଇ କାହା ଆଖିରେ ନିଦ ନଥିଲା।

ସକାଳୁ ମନ୍ଦିର ଦର୍ଶନ ପରେ ଆରମ୍ଭ ହୋଇଥିଲା ଆଜିର କାର୍ଯ୍ୟକ୍ରମ। ରାଷ୍ଟ୍ରପତିଙ୍କ କାରକେଡ ପହଁଚିଥିଲା ଦାଣ୍ଡବୋଷରେ । ଅଲଚିକି ଭାଷାର ପ୍ରତିଷ୍ଠାତା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତି ପୀଠରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ସ୍ୱାଗତ କରାଯାଇଥିଲା ରାଷ୍ଟ୍ରପତିଙ୍କୁ। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜନ୍ମ ଜୟନ୍ତୀରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ ରାଷ୍ଟ୍ରପତି। ସମାଧୀ ସ୍ଥଳରେ ପ୍ରାର୍ଥନା କରିବା ବେଳେ ସେ ଭାବବିହ୍ୱଳ ହୋଇପଡିଥିଲେ।

Advertisment

ଦାଣ୍ଡବୋଷରୁ ହେଲିକପ୍ଟରରେ ଯଶିପୁର ପରେ ସେଠାରୁ ରାଷ୍ଟ୍ରପତିଙ୍କ କାରକେଡ ବାହାରିଥିଲା ଶିମିଳିପାଳ ଅଭୟାରଣ୍ୟ ଅଭିମୁଖେ। ଏଠାରେ ବି ଅଂଚଳର ଝିଅକୁ ସ୍ୱାଗତ କରିବାକୁ ବହୁ ସଂଖ୍ୟାରେ ଲୋକେ ଅପେକ୍ଷା କରିଥିଲେ। ପାରମ୍ପରିକ ଢଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ ଶିମିଳିପାଳ ଭିତରକୁ ଯାଇଥିଲେ ରାଷ୍ଟ୍ରପତି। ସ୍ୱତନ୍ତ୍ର ଗାଡ଼ିରେ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟର ବରେହିପାଣି ଓ ଚହଲା ଅଂଚଳ ବୁଲି ଦେଖିଛନ୍ତି। ପ୍ରାୟ ଅଢେଇ ଘଂଟା ଧରି ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଶିମିଳିପାଳରେ ସମୟ କଟାଇଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିଲା ପଣସ ତରକାରୀ। ..

ସେପଟେ ଆଜି ରାଷ୍ଟ୍ରପତି ବାରିପଦାର ସର୍କିଟ ହାଉସରେ ରାତ୍ରିଯାପନ କରିବେ। ରାଷ୍ଟ୍ରପତିଙ୍କ ପାଇଁ ରାତ୍ରଭୋଜନରେ ସ୍ୱତନ୍ତ୍ର ନିରାମିଷ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସରେ ପ୍ରସ୍ତୁତ କୋରମା ରାଷ୍ଟ୍ରପତିଙ୍କୁ ପରଷାଯିବ।

Advertisment

ଆସନ୍ତାକାଲି ରାଷ୍ଟ୍ରପତି ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି।...

Similipal National Park President Of India Droupadi Murmu President Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ