୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ...

୨୦ ତାରିଖରେ ହେବାକୁ ଥିବା ୨୬ ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

President Droupadi Murmu

୨୦ ତାରିଖରେ ପୁଣି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତରେ ସେ ନିଜ ଜନ୍ମମାଟି ମୟୂରଭଞ୍ଜ ଯିବେ । ଏହି ଅବସରରେ ସେ ବାରିପଦାରେ ହେବାକୁ ଥିବା ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ନିଜ ସହର ରାଇରଙ୍ଗପୁର ଦେଇ ଚଳାଚଳ କରିବାକୁ ଥିବା ୩ଟି ଟ୍ରେନ୍‌କୁ ମଧ୍ୟ ରାଷ୍ଟ୍ରପତି ଉଦ୍‌ଘାଟନ କରିବେ । 

ରାଷ୍ଟ୍ରପତି ଆସିବେ ବୋଲି କେଉଁଠି କୋଠାରେ ରଙ୍ଗ କାମ ଚାଲିଛି ତ ଆଉ କେଉଁଠି ବିଦ୍ୟୁତ୍ ବିଭାଗ ପକ୍ଷରୁ ଚାଲିଛି ମରାମତି କାମ । ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଥିବା ସହିଦ ସ୍ମୃତି ଭବନକୁ ନୂଆ କରି ସଜାଯାଉଛି । ୨୦ ତାରିଖରେ ଏଠାରେ ହେବାକୁ ଥିବା ୨୬ ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସମ୍ମିଳନୀରେ ଓଡ଼ିଶା ବ୍ୟତୀତ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମ ଓ କେରଳ ସହ ପଡୋଶୀ ବାଂଲାଦେଶ ଓ ନେପାଳରୁ ସାନ୍ତାଳୀ ଲେଖକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନିଜେ ସହିଦ ସ୍ମୃତି ଭବନକୁ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି । ପ୍ରଶାସନିକ ସ୍ତରରେ ମଧ୍ୟ ଗସ୍ତର ସମୀକ୍ଷା କରାଯାଇଛି । ୨୦ ତାରିଖରେ ରାଷ୍ଟ୍ରପତି ବାରିପଦାରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ଯୋଗ ଦେବା ପରେ ରାଇରଙ୍ଗପୁର ଆସିବା କାର୍ଯ୍ୟକ୍ରମ ରହିଛି ।

୨୧ ତାରିଖ ସକାଳେ ରାଷ୍ଟ୍ରପତି ବାଦାମପାହାଡ଼ ରେଳ ଷ୍ଟେସନରୁ ରାଇରଙ୍ଗପୁର ଦେଇ ଚଳାଚଳ କରିବାକୁ ଥିବା ୩ଟି ନୂଆ ଟ୍ରେନ୍‌ର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି । ଏପରିକି ସେ ଗୋଟିଏ ଟ୍ରେନରେ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ ବୋଲି ମଧ୍ୟ କୁହାଯାଉଛି ।

ପରେ ରାଷ୍ଟ୍ରପତି ପାହାଡ଼ପୁରରେ ଏକ ଡେଭଲପମେଣ୍ଟ ଟ୍ରେନିଂ ସ୍କୁଲକୁ ଲୋକାର୍ପଣ କରିବା ସହ SLS ସ୍କୁଲରେ ସ୍ୱାମୀ ଏବଂ ଦୁଇ ପୁଅଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କର  ଜନ୍ମମାଟିକୁ ଏହା ଦ୍ୱିତୀୟ ଗସ୍ତ । ତେବେ ଗତ ଥର ପରି ଚଳିତ ବର୍ଷ ଯେପରି କୌଣସି ବିଭ୍ରାଟ ନହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି ।