ଜମିରୁ ପାଣି ନିଷ୍କାସନ ହୋଇନପାରିବାରୁ ଚିନ୍ତାରେ ଚାଷୀ

ପୁରୀ ସଦର ବ୍ଲକ ଚାଳିସି ବାଟିଆ ମୌଜା ସହ ବାଲିପଡା ଏବଂ ଗଡ ପଞ୍ଚାୟତର ୩୦ରୁ ଅଧିକ ଗାଁର ଚାଷୀ ଏବେ ସମସ୍ୟା ଘେରରେ । ଚାଷ ଜମିରୁ ଜଳ ନିଷ୍କାସନ ହୋଇପାରୁନଥିବା ବେଳେ ଉର ଗ୍ରାମବାସୀଙ୍କ ପକ୍ଷରୁ ଖଲାସି ନାଳକୁ ଅବରୋଧ ଯୋଗୁଁ ଶହ ଶହ ଏକର ଚାଷ ଜମିରେ ପାଣି ଜମି ରହିଛି । ଫଳରେ ତଳି ନଷ୍ଟ ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ

Farmer Problem

News Summary

ସମସ୍ୟାରେ ପୁରୀ ସଦର ବ୍ଲକର ୩ଟି ପଞ୍ଚାୟତବାସୀ

ଜଳ ନିଷ୍କାସନ ବ୍ଯବସ୍ଥା ପାଇଁ ଦାବି ଉଠାଇଲେ ଚାଷୀ

ଜମିରେ ପାଣି ଜମି ରହିବାରୁ ନଷ୍ଟ ହୋଇଗଲାଣି ଧାନ ଗଛ

ପୁରୀ: ପୁରୀ ସଦର ବ୍ଲକ ଚାଳିସି ବାଟିଆ ମୌଜା ସହ ବାଲିପଡା ଏବଂ ଗଡ ପଞ୍ଚାୟତର ୩୦ରୁ ଅଧିକ ଗାଁର ଚାଷୀ ଏବେ ସମସ୍ୟା ଘେରରେ । ଚାଷ ଜମିରୁ ଜଳ ନିଷ୍କାସନ ହୋଇପାରୁନଥିବା ବେଳେ ଉର ଗ୍ରାମବାସୀଙ୍କ ପକ୍ଷରୁ ଖଲାସି ନାଳକୁ ଅବରୋଧ ଯୋଗୁଁ ଶହ ଶହ ଏକର ଚାଷ ଜମିରେ ପାଣି ଜମି ରହିଛି । ଫଳରେ ତଳି ନଷ୍ଟ ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ । ଅନ୍ୟପଟେ ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ରହିଛି । ତହସିଲଦାର ଓ ଡ୍ରେନେଜ ବିଭାଗର ଏକ ଯୁଗ୍ମ କମିଟି ଗଠନ କରାଯାଇ ଉଭୟ ପକ୍ଷ ସହ ଆଲୋଚନା ପରେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଚାଷ ଜମିରେ ତଳି ନଷ୍ଟ ହୋଇଯାଇଛି । ଜମିରୁ ଜଳ ନିଷ୍କାସନ ହୋଇନପାରିବାରୁ ଏଭଳି ସମସ୍ୟା ଉପୁଜିଛି । ପୁରୀ ସଦର ବ୍ଲକ ଚାଳିସି ବାଟିଆ ପଂଚାୟତ ସହ ବାଲିପଡା ଓ ଗଡ ପଂଚାୟତର ୩୦ରୁ ଅଧିକ ଗାଁର ଚାଷୀଙ୍କ ଚାଷବାସ ଉଜୁଡି ଯାଇଛି । ଉର ଗ୍ରାମବାସୀଙ୍କ ପକ୍ଷରୁ ଖଲାସୀ ନାଳକୁ ବନ୍ଦ କରିଦେବା ଫଳରେ ଜଳ ନିଷ୍କାସନ ହୋଇପାରୁନଥିବା ଅଭିଯୋଗ ହୋଇଛି । ଫଳରେ ଢୋଲ, ବାଲିପଡା, ଇଟାପଡା, ବାଙ୍ଗୁରବା, ଆଳପୁର, ପାଇକରାପୁର, ତଡାସ ଆଦି ଗାଁର ଶହ ଶହ ଏକର ଚାଷ ଜମି ପାଣିରେ ବୁଡି ରହିଛି । ତେଣୁ କୃଷି ଉପରେ ନିର୍ଭର କରି ଚଳୁଥିବା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି ।

ଏପଟେ ବେଙ୍ଗେଇ ନଦୀରେ ଦଳ ଭର୍ତ୍ତି ହୋଇରହିଥିବାରୁ ମଧ୍ୟ ସମସ୍ୟା ଉପୁଜିଛି । ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ସହ ଖଲାସୀ ନାଳର ଅବରୋଧ ମୁକ୍ତ ଲାଗି ଗ୍ରାମବାସୀ ଦାବି କରିଛନ୍ତି ।ପୁରୀ ସଦର ଅଂଚଳର ଏ ସମସ୍ୟା ଦୀର୍ଘଦିନ ଧରି ଲାଗିରହିଛି । ଭାର୍ଗବୀରୁ ନୂଆନଈକୁ ଜଳ ନିଷ୍କାସନ ପାଇଁ ଉର ଗ୍ରାମ ଦେଇ ଆଲତୁଙ୍ଗ ହୋଇ ଜଳନିଷ୍କାସନ ହୋଇଥାଏ । ହେଲେ ଖଲାସୀ ନାଳକୁ ବନ୍ଦ କରିଦେବା ଦ୍ୱାରା ଜଳ ନିଷ୍କାସିତ ହୋଇପାରୁନି । ଏପଟେ ଜିଲ୍ଲାପାଳ କହିଛନ୍ତି, ଏ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଅଛି, ତହସିଲଦାର ଓ ଡ୍ରେନେଜ ବିଭାଗର ଏକ ଯୁଗ୍ମ କମିଟି ଗଠନ କରାଯାଇ ଉଭୟ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ ।