ATM van loot case in Cuttack
ଅନ୍ଲାଇନ୍ ଗେମ୍ ଜାଲରେ ଫସି ବାଡ଼ ଖାଇଥିଲା ଫସଲ ! ଏଟିଏମ୍ ଭ୍ୟାନ କର୍ମଚାରୀ ନିଜେ ରଚିଥିଲେ ଲୁଟ୍ ଷଡ଼ଯନ୍ତ୍ର ! ତିଗିରିଆ ଦେଢ଼ କୋଟି ଲୁଟ୍ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା । ୧୦ ନଭେମ୍ବର ୨୦୨୩ କଟକ ଜିଲ୍ଲା ତିଗିରିଆ ଗୋଡ଼ିଝରିଆ ଠାରେ ନିଛାଟିଆ ରାସ୍ତାରେ ଟଙ୍କା ଭର୍ତ୍ତି ଗାଡ଼ିକୁ ଅଟକାଇଥିଲା ସ୍କର୍ପିଓ । ସ୍ପଷ୍ଟ ଦିବାଲୋକରେ ଏଟିଏମ୍ ଭ୍ୟାନରୁ ୧ କୋଟି ୬୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ ୭ରୁ ୮ ଜଣ ମୁଖାପିନ୍ଧା ଡକାୟତ ।
ଆଜିର ଘଟଣା, ୩ ମାସ ପରେ, ଲୁଟେରାଙ୍କୁ ଧରିଛି ପୋଲିସ । ଗ୍ୟାଙ୍ଗର କିଙ୍ଗପିନ୍ କଲିମ ଖାନ ସମେତ ୭ ଜଣ ଗିରଫ ହୋଇଛନ୍ତି । ୬୪ ଲକ୍ଷ ୪୫ ହଜାର ଟଙ୍କା ସହିତ ଦୁଇ ଚକିଆ, ଛୁରୀ ଓ ଖେଳଣା ବନ୍ଧୁକ ଜବତ ହୋଇଛି । ତଥାପି ଏବେବି ମିଳିନାହିଁ କୋଟିଏରୁ ଅଧିକ ଟଙ୍କା । ଲୁଟେରାମାନେ ବ୍ୟବହୃତ ସ୍କର୍ପିଓକୁ ଗ୍ୟାସ କଟରରେ କାଟି କେନାଲକୁ ଫିଙ୍ଗି ଦେଇଥିବା ଜଣାପଡ଼ିଛି । ସମସ୍ତ ଗିରଫ ଅଭିଯୁକ୍ତ ଲୁଟ୍ ସ୍ଥଳ ଠାରୁ ଅଳ୍ପ ଦୂରରେ ଥିବା ପଙ୍କାଳ ଗାଁର । ସେମାନେ ମାସାଧିକ କାଳ ବିସ୍ତୃତ ପ୍ଲାନିଂ ଓ ଏକାଧିକ ଥର ରେକି କରିଥିଲେ ।
ଭ୍ୟାନ୍ ଲୁଟିବା ପାଇଁ ସୁପାରି ନେଇଥିଲା ପେଶାଦାର ଅପରାଧୀ କଲିମ ଖାନ୍। ହେଲେ ସୁପାରି ଦେଇଥିଲା କିଏ ? ତଦନ୍ତରୁ ଖୁଲାସା ହୋଇଛି ଯେ, ଏହି ଲୁଟ୍ର ମାଷ୍ଟରମାଇଣ୍ଡ ହେଉଛନ୍ତି ୨ଟି ଭିନ୍ନ ଭିନ୍ନ ଏଟିଏମ୍ ଭ୍ୟାନର ୨ଜଣ କର୍ମଚାରୀ । ସେମାନଙ୍କ ପରିଚୟ ଏବେବି ପୋଲିସ ଗୁପ୍ତ ରଖିଥିବା ବେଳେ, ସେମାନେ ହିଁ କଲିମଖାନକୁ ଟଙ୍କା ଭର୍ତ୍ତି ଭ୍ୟାନର ରୁଟ୍ ଚାର୍ଟ ଦେଇଥିଲେ । କେବଳ ଏତିକି ନୁହେଁ, ସେହି ଭ୍ୟାନର ସିସିଟିଭି କ୍ୟାମେରା କାମ କରୁନି ଓ ତାହାର କ୍ୟାସ୍ ବକ୍ସକୁ ଲୁହା ଶିକୁଳିରେ ଭ୍ୟାନ ସହ ବନ୍ଧାଯାଇ ନାହିଁ ବୋଲି ଜଣାଇଥିଲେ । ଗ୍ରାମାଞ୍ଚଳ ଏସପିଙ୍କ ସୂଚନା ଅନୁସାରେ, ଅନ୍ଲାଇନ୍ ଗେମରେ ବିପୁଳ କ୍ଷତି ସହିବା ପରେ, ଏହି ଫନ୍ଦି କରି ରାତାରାତି ମାଲାମାଲ୍ ହେବାକୁ ଚାହିଁଥିଲେ ସେମାନେ । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଲୁଟ୍ ବେଳେ ଭ୍ୟାନରେ ଉପସ୍ଥିତ ଥିଲା । ତେବେ ବର୍ତ୍ତମାନେ ସେମାନେ ଫେରାର୍ ଅଛନ୍ତି ।
କଟକ ଆଠଗଡ଼ରୁ ନୀଳକଣ୍ଠ ଦୋରା ଏବଂ କଟକରୁ ଗୌତମ ପଣ୍ଡାଙ୍କ ରିପୋର୍ଟ, ଓଟିଭି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707837008.jpg)