Advertisment

କାନ୍ଧରେ ରୋଗୀ, ଷ୍ଟ୍ରେଚରରେ ଯାଉଛି ଗ୍ୟାସ ସିଲିଣ୍ଡର

ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ?

undefined

Patients carried on shoulders in SCB medical in Cuttack

Advertisment

ଯାହା ପାଇଁ ବ୍ୟବସ୍ଥା, ତା ପାଇଁ ସୁବିଧା ନାହିଁ। ଯେଉଥି ପାଇଁ ନୁହେଁ, ସେଇ କାମରେ ଲାଗୁଛି ସରଂଜାମ। ରୋଗୀ ବୁହା ହେବାକୁ ଥିବା ଷ୍ଟ୍ରେଚରରେ ଯାଉଛି ଅକ୍ସିଜେନ୍ ସିଲିଣ୍ଡର ଆଉ ସମ୍ପର୍କୀୟଙ୍କ କାନ୍ଧରେ ବୁହା ହେଉଛନ୍ତି ଗୁରୁତର ରୋଗୀ। ରାଜ୍ୟର ସବୁଠୁ ବଡ଼ ଆଉ ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କଟକ ମେଡିକାଲର ଏହି ଘଟଣା। ଗତକାଲି କଟକ ସଦର ବ୍ରାହ୍ଣଣଝରିଲୋ ଅଞ୍ଚଳର ରାମ ସିଂ, ତାଙ୍କ ପତ୍ନୀଙ୍କ ଚିକିତ୍ସା ଲାଗି ଆସିଥିଲେ। ଏସସିବି ମେଡିକାଲ କଲେଜ୍ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସା ପରେ ତାଙ୍କର ବିଭିନ୍ନ ପରୀକ୍ଷା ଲାଗି ପରାମର୍ଶ ଦେଇଥିଲେ ଡାକ୍ତର। ପରେ ଓପିଡିରୁ ନିଦାନ ବିଭାଗକୁ ନେବାକୁ ଖୋଜାପଡ଼ିଥିଲା ଷ୍ଟ୍ରେଚର କିମ୍ବା ଇ ରିକ୍ସା। କିନ୍ତୁ ପ୍ରାୟ ୩୦ ମିନିଟର ଅପେକ୍ଷା ପରେ ବି ତାଙ୍କୁ ଏସବୁ ମିଳନଥିଲା। ତେଣୁ ପତ୍ନୀଙ୍କୁ ଏମିତି କାଖେଇ କାଖେଇ ବୋହି ନେବାକୁ ବାଧ୍ୟ ହୋଇଥିଲେ ସ୍ବାମୀ ରାମ ସିଂ। ଯନ୍ତ୍ରଣା ଭୋଗୁଥିବା ପତ୍ନୀଙ୍କୁ ସର୍ଜରୀ ବିଭାଗରୁ ନମୂନା ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ବୋହି ବୋହି ନେବା ବେଳେ ପତି-ପତ୍ନୀଙ୍କ ଏଭଳି ଦୁର୍ଦ୍ଦଶା ପ୍ରତି ଦାୟିତ୍ୱରେ ଥିବା କୌଣସି କର୍ମଚାରୀ କି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନଥିଲା।

Advertisment

ଗତକାଲି କଟକ ବଡ଼ ମେଡିକାଲରେ ଏଭଳି ଅଭାବନୀୟ ଦୃଶ୍ୟ କ୍ୟାମେରା ଲେନ୍ସରେ କଏଦ ହୋଇଥିଲେ ବି, ଏ ଘଟଣା ଯେ ପ୍ରଥମ ଥର ପାଇଁ ଘଟୁଛି ସେମିତି ନୁହେଁ। ଏସସିବିରେ ରୋଗୀଙ୍କୁ ସହାୟତା କରୁଥିବା ବହୁ ସାମାଜିକ କର୍ମୀଙ୍କ କହିବା କଥା, ଏଭଳି ଦୟନୀୟ ଦୃଶ୍ୟ ଦୈନନ୍ଦିନ ଦେଖିବାକୁ ମିଳୁଛି। ଗୁରୁତର ରୋଗୀ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାକୁ ଅନେକ ସମୟରେ ଷ୍ଟ୍ରେଚର, ହ୍ବିଲ ଚେୟାର କିମ୍ବା ବ୍ୟାଟେରୀ ଗାଡ଼ିଟିଏ ମିଳି ପାରୁନି କିନ୍ତୁ ଅନ୍ୟପଟେ ଏଥିରେ ବୁହାଯାଉଛି ଅକ୍ସିଜେନ୍ ସିଲିଣ୍ଡର, ମେଡିସିନ୍ ଓ ଅନ୍ୟ ମେଡିକାଲ ସାମଗ୍ରୀ। ପ୍ରଶ୍ନ ଉଠୁଛି କଟକ ବଡ଼ ମେଡିକାଲ ଭଳି ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ? ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ସଂରଞ୍ଜାମ ରୋଗୀଙ୍କ କାମରେ ନଆସିବା କେତେ ଗ୍ରହଣଯୋଗ୍ୟ?

ଏଭଳି ଘଟଣା ଯଦି ରୀତିମତ ଘଟୁଥାଏ, ତାହେଲେ କର୍ତ୍ତୃପକ୍ଷ ଏହାକୁ ପ୍ରଶ୍ରୟ ଦେଉଛନ୍ତି କେମିତି? ସେପଟେ ଏ ଘଟଣାକୁ ଗୁରୁତର ସହ ନିଆଯାଇଥିବା କହିଛନ୍ତି ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ। ଏସସିବି ମେଡିକାଲକୁ ଆଗାମୀ ଦିନରେ ବିଶ୍ୱସ୍ତରୀୟ କରିବାକୁ ନାନାବିଧ ଯୋଜନା ସହ ଭିତ୍ତିଭୂମିର ବିକାଶ କରୁଛନ୍ତି ରାଜ୍ୟ ସରକାର। ତେବେ ବିଭିନ୍ନ ସମୟରେ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଅପନିନ୍ଦାରୁ ବର୍ତ୍ତି ପାରୁନି ଏଏସିବି। ପୂର୍ବରୁ ଷ୍ଟ୍ରେଚର ପାଇଁ ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ବନ୍ଧା ରଖିବା ହେଉ କି କାଜୁଆଲିଟିରେ ରୋଗୀଙ୍କ ବେଡ୍ ତଳେ ୧୨ ଘଣ୍ଟା ଧରି ମୃତଦେହ ପଡ଼ି ରହିବା ଘଟଣା ହେଉ, ଏଭଳି ଦାୟିତ୍ୱହୀନତାକୁ ନେଇ ବାରମ୍ବାର ଚର୍ଚ୍ଚାକୁ ଆସିଛି କଟକ ବଡ଼ ମେଡିକାଲ।

Advertisment

(କଟକରୁ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ)

SCB Medical
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ