Passengers suffer as renovation of bus stand in Kendrapara still remains a dream
ନବୀକରଣ ନାଁରେ ଭାଙ୍ଗି ଦେଲେ ପୁରୁଣା ବସ୍ଷ୍ଟାଣ୍ଡ। ହେଲେ ଏଯାଏ ନୂଆ ବସ୍ଷ୍ଟାଣ୍ଡ କାମ ଆରମ୍ଭ ହୋଇପାରୁନି। ଯେଉଁଠି ଦିନକୁ ହଜାର ହଜାର ଯାତ୍ରୀ ଯା’ଆସ କରୁଛନ୍ତି, ସେଠାରେ ପିଇବା ପାଣିର ବି ବ୍ୟବସ୍ଥା ନାହିଁ। ଖରାରେ ଛାଇ ଟିକେ ପାଇଁ ଡହଳ ବିକଳ ହେଉଛନ୍ତି ଯାତ୍ରୀ। ପୁରୁଣା ବସ୍ଷ୍ଟାଣ୍ଡ ଭାଙ୍ଗିବା ପରେ କେନ୍ଦ୍ରାପଡ଼ା ବସ୍ଷ୍ଟାଣ୍ଡରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।
ଡହ ଡହ ଖରାରେ ହନ୍ତସନ୍ତ ଯାତ୍ରୀ। ନା ଛିଡ଼ା ହେବା ପାଇଁ ଛାଇ ଟିକେ ଅଛି ନା ବସିବା ପାଇଁ ଜାଗା ଟିକେ ଅଛି। ଉନ୍ନତୀକରଣ ଲାଗି ପୁରୁଣା ବସ୍ଷ୍ଟାଣ୍ଡକୁ ଭାଙ୍ଗି ଦିଆଯାଇଥିବା ବେଳେ ଏଯାଏ କିନ୍ତୁ କାମ ଆରମ୍ଭ ହୋଇପାରିନାହିଁ। ଶୌଚାଳୟଠାରୁ ଆରମ୍ଭ କରି ବସ୍ଷ୍ଟାଣ୍ଡ ପରିସରରେ ଥିବା ଦୋକାନ ଗୃହକୁ ବି ଭାଙ୍ଗି ଦିଆଯାଇଛି।
ଖାଲି ସେତିକି ନୁହେଁ, ଏତେବଡ଼ ବସ୍ଷ୍ଟାଣ୍ଡରେ ପିଇବା ପାଣିର ବି କୌଣସି ବ୍ୟବସ୍ଥା ନାହିଁ। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବସ୍ଷ୍ଟାଣ୍ଡ ପରିସରରେ ଏକ ଯାତ୍ରୀ ବିଶ୍ରାମ ଗୃହ ରହିଛି। ମାତ୍ର ସେଥିରେ ତାଲା ପଡ଼ିଛି। ଯାତ୍ରୀମାନେ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଦୋକାନ ପିଣ୍ଡାରେ ଆଶ୍ରୟ ନେଉଥିଲେ। ତେବେ ଦୋକାନ ଗୃହ ଭାଙ୍ଗି ଦିଆଯିବା ପରେ ଯାତ୍ରୀଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି।
ଖାଲି ସେତିକି ନୁହେଁ ବସ୍ଷ୍ଟାଣ୍ଡ ପରିସରରେ ପରିବହନ ବିଭାଗର ୨୧ ବଖରା ଦୋକାନ ଘର ବି ଖତ ଖାଉଥିଲେ ବି ତାହାକୁ ବଣ୍ଟା ଯାଉନଥିବା ଅଭିଯୋଗ ହୋଇଛି। ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ବସ୍ଷ୍ଟାଣ୍ଡ ନବୀକରଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲେ ମଧ୍ୟ କାମ ଆରମ୍ଭ ନହେବାରୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ, ଏନେଇ ପୂର୍ତ୍ତ ବିଭାଗକୁ ଦୋଷ ଠେଲି ଦେଇଛନ୍ତି ପୌରପାଳିକା ଅଧିକାରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1682745143.jpg)