ଚଳିତ ବର୍ଷ ପୁଣିଥରେ ପାଞ୍ଜିକୁ ନେଇ ବିବାଦ : ବିଶ୍ୱସନୀୟ ନୁହେଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତ ପଞ୍ଜିକା ?

ପାଞ୍ଜି ସମୀକ୍ଷକ ଓ ଗଣନାକାରୀଙ୍କ ପକ୍ଷରୁ ବାରମ୍ବାର ମୁକ୍ତି ମଣ୍ଡପ ପଣ୍ଡିତ ସଭା, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ ଓ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ ବି ନିର୍ଭୁଲ ପାଞ୍ଜି ପ୍ରକାଶ ହେଉନଥିବା ଅଭିଯୋଗ କରାଯାଇଛି ।

ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କଲେ ପାଞ୍ଜି ସମୀକ୍ଷକ

ଚଳିତ ବର୍ଷ ପୁଣିଥରେ ପାଞ୍ଜିକୁ ନେଇ ବିବାଦ ଉପୁଜିଛି । ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ୱାରା ସ୍ୱୀକୃତ ପଞ୍ଜିକା ବିଶ୍ୱସନୀୟ ନୁହେଁ ବୋଲି ପାଞ୍ଜି ସମୀକ୍ଷକ ମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି । ରାଜ୍ୟରେ ପ୍ରକାଶିତ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ଅସଲି ଖଡ଼ି ରତ୍ନ ପଞ୍ଜିକା, ପରମେଶ୍ୱରୀ ପଞ୍ଜିକା ଓ ଶାରଳା ପଞ୍ଜିକାରେ ପଞ୍ଚାଙ୍ଗ ଗଣନା ସମାନ ରହିଛି । କିନ୍ତୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ୱାରା ସ୍ୱୀକୃତ ରାଧାରମଣ ପ୍ରେସ ପଞ୍ଜିକା ସଂପୂର୍ଣ୍ଣ ଭିନ୍ନ ବୋଲି ଅଭିଯୋଗ କରିଛନ୍ତି ପାଞ୍ଜି ସମୀକ୍ଷକ ।

ଫଳରେ ଏହି ପଞ୍ଜିକା ଅନୁସରଣ କଲେ ଜନ୍ମ ଜାତକ, ପୁଷ୍କର ଦୋଷ, ଶ୍ରାଦ୍ଧ ଦିବସ ଓ ଲଗ୍ନ ଭୁଲ ହେବା ସମ୍ଭାବନା ରହିଛି । ପାଞ୍ଜି ସମୀକ୍ଷକ ଓ ଗଣନାକାରୀଙ୍କ ପକ୍ଷରୁ ବାରମ୍ବାର ମୁକ୍ତି ମଣ୍ଡପ ପଣ୍ଡିତ ସଭା, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ ଓ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ ବି ନିର୍ଭୁଲ ପାଞ୍ଜି ପ୍ରକାଶ ହେଉନଥିବା ଅଭିଯୋଗ କରାଯାଇଛି । ମୁକ୍ତିମଣ୍ଡପ ପଣ୍ଡିତ ସଭା ଅଧିନରେ ଥିବା ବିଭିନ୍ନ ବ୍ରାହ୍ମଣ ଶାସନର ବିଜ୍ଞ ଗଣକ, ପାଞ୍ଜିକା ଓ ଧର୍ମଶାସ୍ତ୍ରଜ୍ଞକୁ ନେଇ ମୁକ୍ତିମଣ୍ଡପ ପଣ୍ଡିତ ସଭା ନିଜସ୍ୱ ପାଞ୍ଜି ପ୍ରଚଳନ କରିବାକୁ ପାଞ୍ଜି ସମୀକ୍ଷକ ଦାବୀ କରିଛନ୍ତି ।

ତେବେ ରାଧାରମ ପଞ୍ଜିକା ପରିଚାଳକ ଏନେଇ ପ୍ରତିକ୍ରିୟା ରଖିବା ସହ କହିଛନ୍ତି, ସମସ୍ତଙ୍କର ଅନୁମୋଦନ କ୍ରମେ ପଞ୍ଜିକା ପ୍ରକାଶ କରାଯାଇଛି କିଛି ଲୋକ ବିଭ୍ରାନ୍ତ କରୁଛନ୍ତି ।