Advertisment

ଅଜବ କଟକଣା: ପୁଅ ଝିଅ ବାହା କଲେ ଗଣିବାକୁ ହୁଏ ଅର୍ଥ ଦଣ୍ଡ

ସ୍ୱାଧୀନତାର ୭୫ ବର୍ଷ ପରେ ବି ପରାଧୀନ ଜୀବନ। ଘାରୁଛି ସମାଜର ଭୟ, କୁଳ ପକ୍ଷରୁ ଅର୍ଥତଣ୍ଡର ଡର। ୮୫ ପରିବାର ଉପରେ ୭୦ ବର୍ଷର ବାସନ୍ଦ ବୋଝ। ତାଲିବାନୀ କଟକଣା ଯୋଗୁଁ ଆଖପାଖରେ ଦେଇହେଉନି ଝିଅ, କରିହେଉନି ପୁଅ ବାହା।

ଅଦ୍ୟତନ ହୋଇଛି
undefined

Ostracised Family in Ganjam

Advertisment

ଗୋଟିଏ ଜାତି, ଗୋଟିଏ କୂଳ, ହେଲେ ଉଭୟଙ୍କ ପାଇଁ ନିୟମ ଭିନ୍ନ। କୌଣସି ଏକ ଅଜଣା କାରଣ ପାଇଁ ଗଞ୍ଜାମ ଖଲ୍ଲିକୋଟ ଥାନା ଫାସୁଳା ଗାଁ ଲୋକଙ୍କ ଉପରେ ଦୀର୍ଘ ୭୦ ବର୍ଷ ଧରି ଲାଗିଛି ଅଜବ ପ୍ରକାର ସାମାଜିକ କଟକଣା। ଏହି ଗାଁର ଧରମା ବିଶ୍ୱକର୍ମା ସମାଜର ୮୫ଟି ପରିବାରକୁ ଖଲ୍ଲିକୋଟ ବିଶ୍ୱକର୍ମା ତାଲୁକା ସମାଜ ବାସନ୍ଦ କରି ରଖିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ଫଳରେ ଏମାନେ ବର୍ଷ ବର୍ଷ ଧରି ସ୍ଥାନୀୟ ଅଞ୍ଚଳରେ ନା ଝିଅ ବାହା ଦେଇପାରୁଛନ୍ତି ନା ଆଖାପାଖ ଗାଁରୁ ବୋହୂଟିଏ ଆଣିପାରୁଛନ୍ତି।

Advertisment

ସ୍ୱାଧୀନତାର ୭୫ ବର୍ଷ ପରେ ବି ପରାଧୀନ ଭଳି ଜୀଉଛନ୍ତି ଧରମା ବିଶ୍ୱକର୍ମା ସମାଜ। ସେମାନଙ୍କୁ ଘାରୁଛି ସମାଜର ଭୟ, କୁଳ ପକ୍ଷରୁ ଅର୍ଥତଣ୍ଡର ଡର। ଗଞ୍ଜାମ ଖଲ୍ଲିକୋଟ NACରେ ଥାଇ ବି ଜାତିପ୍ରଥା ଓ ସାମାଜିକ ବାସନ୍ଦ ଭଳି ପୁରୁଣା ବ୍ୟାଧିର ଶିକାର ହୋଇଛନ୍ତି ଏ ଗାଁର ୮୫ ପରିବାର। ଏଠାରେ ବାସ କରୁଥିବା ଧରମା ବିଶ୍ୱକର୍ମା ସମାଜର ଅଭିଯୋଗ, ସେମାନଙ୍କ ଉପରେ ପିଢ଼ି ପିଢି ଧରି ଅଜବ ପ୍ରକାରର ସାମାଜିକ ବାସନ୍ଦ ଲଦି ଆସୁଛନ୍ତି ସେମାନଙ୍କ ଜାତି ତଥା କୁଳର ଖଲ୍ଲିକୋଟ ତାଲୁକା ସମାଜ।

ଖଲ୍ଲିକୋଟ ତାଲୁକା ସମାଜର କଡ଼ା କଟକଣା ହେଲା ଫାସୁଳା ଗାଁରେ ସ୍ଥାନୀୟ ଅଞ୍ଚଳର କୌଣସି ବିଶ୍ୱକର୍ମା ଜାତିର ଝିଅ ବୋହୂ ହୋଇ ଯିବେନି କି ଏ ଗାଁରୁ କୌଣସି ଝିଅ ଖଲ୍ଲିକୋଟ ଅଞ୍ଚଳରେ ବିବାହ କରିପାରିବେନି। ଯଦି ଏ ନିୟମ କିଏ ଖିଲାପ କଲା, ତେବେ ତା’ ଉପରେ ଲାଗୁଛି ମୋଟା ଅଙ୍କର ଆର୍ଥିକ ଜରିମାନା।

Advertisment

ଏଠାରେ ପ୍ରଶ୍ନ ଉଠୁଛି, ଏନ୍‌ଏସି ଏରିଆ ଭିତରେ ରହି ବି ଏକ ନିର୍ଦ୍ଦିଷ୍ଟ ଗ୍ରାମବାସୀଙ୍କ ଉପରେ ଏଭଳି ଅତ୍ୟାଚାର ଚାଲିଛି କେମିତି? କେଉଁ ଅପରାଧ ପାଇଁ ଫାସୁଳା ଗାଁର ଧରମା ବିଶ୍ୱକର୍ମା ସମାଜ ଲୋକେ ସାମାଜିକ ସୁଖ ସୁବିଧାରୁ ବଞ୍ଚିତ ହେଉଛନ୍ତି? କେଉଁ ଅଧିକାର ବଳରେ ଗାଁ ଲୋକଙ୍କ ଉପରେ ଏଭଳି ତାଲିବାନୀ ଶାସନ କରୁଛି ଖଲ୍ଲିକୋଟ ତାଲୁକା ସମାଜ? ଏ ପ୍ରଶ୍ନର ଉତ୍ତରରେ ଗାଁର ବହୁ ପୁରୁଖା ଲୋକେ ଯାହା କୁହନ୍ତି, ତାହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ।

ସେପଟେ ଗାଁରେ କିଛି ପରିବାର ନିୟମ ଉଲ୍ଲଂଘନ କରି ଖଲ୍ଲିକୋଟ ତାଲୁକା ସମାଜ ଦ୍ୱାରା ଦଣ୍ଡ ଭୋଗିବା ପରେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅଭିଯୋଗ ଶୁଣାଇଛନ୍ତି। ହେଲେ ବର୍ଷ ବର୍ଷ ଧରି ଲାଗି ରହିଥିବା ଏ ସମସ୍ୟାରୁ ନିସ୍ତାର ପାଇ ନାହାନ୍ତି। ତେବେ ଖଲ୍ଲିକୋଟ ତାଲୁକା ସମାଜର ସଭାପତି ବାସନ୍ଦ କଥାକୁ ସ୍ୱୀକାର କରିଥିଲେ ବି ସେମାନଙ୍କ ହଇରାଣ ହରକତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Advertisment

ଓଟିଭି କ୍ୟାମେରା ଟିମ୍ ଆଜି ଏ ପ୍ରସଙ୍ଗ ଉତ୍ଥାପନ କରି ଗଂଜାମ ଏସ୍‌ପିଙ୍କ ନଜରକୁ ଆଣିବା ପରେ ଏସ୍‌ପି କହିଛନ୍ତି, ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ। ଯିଏ ନ ମାନିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ଏବେ ଅପେକ୍ଷା ସଭ୍ୟ ସମାଜର ନଜର ଆଢୁଆଳରେ ରହିଯାଇଥିବା ୭୦ ବର୍ଷ ତଳର ଏ ସମସ୍ୟାର ସମାଧାନ କେବେ ହେଉଛି ଏବଂ ସାମାଜିକ ବନ୍ଧନ ଭିତରୁ କେବେ ମୁକୁଳୁଛନ୍ତି ଫାସୁଳା ଗାଁ ଲୋକେ?

(ରିପୋର୍ଟ : ଖଲ୍ଲିକୋଟରୁ ସିଲୁ ବିଶ୍ୱାଳ ଓ ଅଶୋକ ବ୍ରହ୍ମା)

Family Ostracised Ostracised Odisha Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ