କେଉଁ ତଥ୍ୟ ଆଧାରରେ ହେବ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି । ୧୯୭୮ ମସିହାର ତାଲିକାକୁ ଗୁରୁତ୍ୱ ଦିଆଯିବ ନା ପୁରୁଣା ତଥ୍ୟ ଉଖାରିବେ ରାଜ୍ୟ ସରକାର ଗଢ଼ିଥିବା ତଦାରଖ କମିଟି । ତେଣେ ବରିଷ୍ଠ ସେବକଙ୍କ ଦାବି କମିଟିରେ ଦେଉଳକରଣ ଓ ତଢଉ କରଣଙ୍କୁ ବି ସାମିଲ କରାଯାଉ । ଆଉ ଏସବୁ ଭିତରେ ଶ୍ରୀମନ୍ଦିର ଗର୍ଭଗୃହ ତଳେ ଆହୁରି ୨ଟି ରତ୍ନଭଣ୍ଡାର ଥିବା ଓ ଏହାକୁ ଶ୍ରୀମନ୍ଦିର ଗବେଷକ ବି ସମର୍ଥନ କରିବା, ସମସ୍ତଙ୍କୁ ଚମକାଇ ଦେଇଛି ।
ଶ୍ରୀମନ୍ଦିର ଗର୍ଭଗୃହ ତଳେ ଅଛି ଆହୁରି ୨ଟି ରତ୍ନଭଣ୍ଡାର । ମହାପ୍ରଭୁଙ୍କ ଭଣ୍ଡାର ଗୃହକୁ ଗୋଟିଏ ନୁହେଁ, ଅଛି ଦୁଇ ଦୁଇଟି ପ୍ରବେଶ ଦ୍ୱାର । ଗୋଟିଏ ସେବାୟତମାନେ ବ୍ୟବହାର କରୁଛନ୍ତି ତ ଅନ୍ୟଟି ପୁରା ବନ୍ଦ ରହିଛି । ଘଣ୍ଟି ଦ୍ୱାର ପାଖରେ ଏ ପ୍ରବେଶ ପଥରେ ଗୁପ୍ତରେ ଗଜପତି ମହାରାଜାମାନେ ଯାଆସ କରୁଥିଲେ, ଯାହାକି ୨୦୧୮ ମସିହାରେ ରତ୍ନଭଣ୍ଡାର ଯାଞ୍ଚ କମିଟିଙ୍କୁ ଦୃଶ୍ୟମାନ ହୋଇଥିଲା ।
ଏଭଳି ତଥ୍ୟ ଦେଇ ଚମକାଇ ଦେଇଛନ୍ତି ଖୋଦ୍ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି, ୧୯୭୮ ମସିହା ଅଳଙ୍କାର ଗଣତିର ଯେଉଁ ତାଲିକା ଅଛି, ତାଠୁ ଢେର ଗୁଣରେ ଅଧିକ ଅଳଙ୍କାର ଠାକୁରଙ୍କର ଅଛି । ଯେହେତୁ ୧୯୦୫ ମସିହା ରଘୁନାଥ ବେଶ ଅଳଙ୍କାରର ସୂଚନା ୧୯୭୮ ମସିହା ଲିଷ୍ଟରେ ନାହିଁ, ତେଣୁ ଏଭଳି ଭାବନା ସ୍ୱାଭାବିକ ।
Also Read
ତେଣୁ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ଓ ମଣତି ପାଇଁ ଯେଉଁ ତଦାରଖ କମିଟି ରାଜ୍ୟ ସରକାର ଗଢ଼ିଛନ୍ତି, ପ୍ରଥମେ ସେମାନେ ପୁରୁଣା ତାଲିକା ଖୋଜି ମେଳ କରାନ୍ତୁ ବୋଲି କହିଛନ୍ତି ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର । ଏଥିସହ ରଥଯାତ୍ରା ବେଳେ ମାତ୍ର ୯ଦିନ ଏଥିପାଇଁ ଆଦୌ ପର୍ଯ୍ୟାପ୍ତ ନୁହେଁ ବୋଲି ବି କହିଛନ୍ତି ରାମଚନ୍ଦ୍ର ।
ସେପଟେ ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି, ଦେଉଳକରଣ ଓ ତଢ଼ଉକରଣଙ୍କ ପାଖରେ ଶ୍ରୀମନ୍ଦିରର ସବୁ ପୁରୁଣା ଦସ୍ତାବିଜ୍ ରହିଛି । ତେଣୁ ସେମାନଙ୍କୁ ମଧ୍ୟ ଅଳଙ୍କାର ଯାଞ୍ଚ କମିଟିରେ ସାମିଲ କରାଯାଉ ଓ ସେମାନଙ୍କଠାରୁ ସବୁ ପୁରୁଣା ନଥିପତ୍ର ସଂଗ୍ରହ କରାଯାଉ ।
ଇଏ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ୧୯୭୮ ମସିହାର ଭିତର ଓ ବାହାର ରତ୍ନଭଣ୍ଡାର ଅଳଙ୍କାର ତାଲିକା । ସେ ବର୍ଷ ମେ ୧୩ରୁ ଜୁଲାଇ ୨୩ ଯାଏଁ ହୋଇଥିବା ଗଣତି ଅନୁସାରେ ଠାକୁରଙ୍କର ମୋଟ୍ ୪୫୪ ପ୍ରକାର ସୁବର୍ଣ୍ଣ ଅଳଙ୍କାର ରହିଛି, ଯାହାର ଓଜନ ୧୨ ହଜାର ୮୩୮ ଭରି ଓ ୨୯୩ ପ୍ରକାର ରୂପା ଅଳଙ୍କାରର ଓଜନ ୨୨ ହଜାର ୧୫୩ ଭରି ।
ତାସହ ଏ ତାଲିକାରେ ୩୭ଟି ଏରା ପକ୍ଷୀର ତଥ୍ୟ ଥିବାରୁ ଏଗୁଡ଼ିକ ହିଁ ବିଭିନ୍ନ ସମୟରେ ଗଜପତିଙ୍କ ଦ୍ୱାରା ପରାଜିତ ରାଜାମାନଙ୍କ ମୁକୁଟର ବୋଲି ସ୍ପଷ୍ଟ ଅନୁମାନ କରିଛନ୍ତି ଶ୍ରୀମନ୍ଦିର ଐତିହ୍ୟ ଗବେଷକ ସୁରେନ୍ଦ୍ର ମିଶ୍ର । ଯେହେତୁ ୭୮ ମସିହା ଅଳଙ୍କାର ତାଲିକାରେ ୩୭ଟି ମୁକୁଟ ସମ୍ପର୍କରେ କୌଣସି ସୂଚନା ନାହିଁ ତେଣୁ ସେଗୁଡ଼ିକ ଅନ୍ୟ କେଉଁ ଗୁପ୍ତ ଭଣ୍ଡାରରେ ଗଚ୍ଛିତ ଥିବା ଦାବି କରିଛନ୍ତି ସୁରେନ୍ଦ୍ର ।
ଏହାଛଡ଼ା ତତ୍କାଳୀନ ଗଜପତିମାନେ ସେତେବେଳେ ରାଜ୍ୟ ଜୟ କରି ବୋହି ଆଣିଥିବା ଧନରତ୍ନକୁ ଲୁଣ୍ଠନକାରୀଙ୍କ ଆଖିରୁ ଲୁଚାଇବାକୁ ଆଉ ଦୁଇଟି ଗୁପ୍ତ ଭଣ୍ଡାର ମଧ୍ୟ ଶ୍ରୀମନ୍ଦିରରେ ନିର୍ମାଣ କରିଥିବା ଇତିହାସରୁ ଜଣାପଡିଛି । ତେଣୁ ଗର୍ଭଗୃହ ତଳେ ଆଉ ୨ ଗୁପ୍ତ ଭଣ୍ଡାର ଥିବା ନେଇ ସୁଭଦ୍ରାଙ୍କ ବାଡ଼ଗ୍ରାହୀଙ୍କ ଦାବିକୁ ଏହା ଅଧିକ ବଳିଷ୍ଠ କରିଛି ।
ତାଛଡ଼ା ୧୫୭୭, ୧୭୩୯, ୧୮୦୯, ୧୮୩୩, ୧୮୪୨, ୧୮୫୦, ୧୮୯୩, ୧୮୯୬ ଓ ଶେଷଥର ପାଇଁ ୧୯୦୫ ମସିହାରେ ହୋଇଥିବା ରଘୁନାଥ ବେଶରେ ଲାଗିଥିବା ଅଳଙ୍କାର ସବୁର ହିସାବ ମଧ୍ୟ ମିଳିବା ଦରକାର ବୋଲି କହିଛନ୍ତି ଗବେଷକ । ସେପଟେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ପାଇଁ ରଥଯାତ୍ରା ସମୟ ଉକୃଷ୍ଟ ହେଲେ ବି ପର୍ଯ୍ୟାପ୍ତ ନୁହେଁ ବୋଲି କହିଲାଣି ଖୋଦ୍ ଏଏସ୍ଆଇ । ଏତେ ସବୁ ତଥ୍ୟ ଓ ହିସାବ ଭିତରେ ଏବେ ଅପେକ୍ଷା, କେଉଁ ଆଧାରରେ ହେଉଛି ମହାପ୍ରଭୁଙ୍କ ଅଳଙ୍କାର ଗଣତି ।