ସ୍ୱାଧୀନତାର ୭୫ ବର୍ଷ ପରେ ବି ପହଞ୍ଚିପାରିନି ପାଣି-ରାସ୍ତା, ପ୍ରତି ଘରେ ଜରିପାଲ

ସାମାନ୍ୟତମ ମୌଳିକ ସୁବିଧା ବି ଅପହଂଚ । ସରକାରୀ ଯୋଜନା ପହଁଚିବା ସାତ ସପନ ।

Vote

ଭୋଟ୍ ବେଳେ ଭଣ୍ଡେଇଥିବାରୁ ନେତାଙ୍କ ଉପରେ ଅସନ୍ତୋଷ ଓ କ୍ଷୋଭ । ସବୁ ଜାଣି ଅଜଣା ରହିଛି ପ୍ରଶାସନ । ବୟସର ଅପରାହ୍ଣରେ ଘର ପିଣ୍ଢା ସାଜିଛି ତାଙ୍କର ଆଶ୍ରୟ। ସେଇଠି ଦିନ-ରାତି, ସେଇଠି କଟେ ଖରା-ବର୍ଷା-ଶୀତ । ଘର ଖଣ୍ଡେ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଠାରୁ ସରପଂଚ, ବିଧାୟକ, ସମସ୍ତଙ୍କୁ ଗୁହାରି କରିଛନ୍ତି। ପ୍ରତିଶ୍ରୁତି ବି ମିଳିଛି, ହେଲେ କେବେ ପୂରଣ ହେଉନି।

ହେମଙ୍କ ଭଳି ସନାତନ ମଲ୍ଲିକଙ୍କ ସ୍ଥିତି ମଧ୍ୟ ସମାନ । ଫନି ବାତ୍ୟା ପରେ ଭଙ୍ଗା ଦଦରା ଘରେ ବିତୁଛି ଦିନ। ଘର ପାଇଁ ୨୦୨୦ରୁ କାର୍ଯ୍ୟାଦେଶ ମିଳିଛି। ହେଲେ ସେହି କାଗଜ ଖଣ୍ଡିକ ଧରି ସେ ୪ ବର୍ଷ ହେଲାଣି ଆଶା ବାନ୍ଧି ବସିଛନ୍ତି। ବ୍ଲକ ଅଫିସ ଗଲେ ଅଧିକାରୀ ଫେରାଇ ଦେଉଛନ୍ତି। ତେଣୁ ଏଥର ଭୋଟ୍ ବର୍ଜନ କରିବାକୁ ନେଇଛନ୍ତି ନିଷ୍ପତ୍ତି।

ସରକାରଙ୍କ ମାଳ ମାଳ ଯୋଜନା ଠାରୁ ବହୁ ଦୂରରେ ଟାଙ୍ଗୀ-ଚୌଦ୍ୱାର ବ୍ଲକର ବନ୍ଦାଳ ଗାଁ। ସହର ଠାରୁ ମାତ୍ର ୨୦ କିମି ଦୂର, ହେଲେ ଯୋଜନା କିନ୍ତୁ ପହଁଚି ପାରୁନି । ଗାଁରେ ରହୁଛନ୍ତି ୮୦ଟି ପରିବାର। ଏମାନଙ୍କ ପାଇଁ ସରକାରୀ ଯୋଜନା ତ ଦୂରର କଥା ନିତିଦିନିଆ ସୁବିଧା ବି ସାତସପନ।

ଗାଁ ଭିତରେ ପକ୍କା ରାସ୍ତା, ହେଲେ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ନ କହିଲେ ଭଲ। ବଡ କଷ୍ଟରେ ଆମ୍ବୁଲାନ୍ସ ଗାଁକୁ ଆସିଲେ ବି ଭିତରକୁ ପଶିପାରେନି। ତେଣୁ ରୋଗୀଙ୍କୁ ବାଇକରେ ବୁହା ହେବାକୁ ପଡେ। ଗାଁରେ ପିଇବା ପାଣିର ବ୍ୟବସ୍ଥା ବି ଅଜବ। ୮୦ ପରିବାରକୁ ଗୋଟିଏ ନଳକୂଅ। ତେଣୁ, ଲୋକଙ୍କ ଶୋଷ ମେଣ୍ଟାଏ ଦୂଷିତ ପୋଖରୀ। ନା ପିଇବାକୁ ପର୍ଯ୍ୟାପ୍ତ ପାଣି ଅଛି ନା ରହିବାକୁ ଘର ନା ପକ୍କା ରାସ୍ତା।

ଗାଁ ସାରା ଭରି ରହିଛି ନୂଆଣିଆ ପଲିଥିନ୍ ଘେରା ମାଟି ଘର। ଲୋକଙ୍କ ଅଭିଯୋଗ, ନିର୍ବାଚନ ଆସିଲେ ନେତାଙ୍କ ଦେଖା ମିଳେ, ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ବି ମିଳେ, ହେଲେ ଭୋଟ୍ ସରିଗଲେ ସମସ୍ୟା ଯେଉଁଠିକି ସେଇଠି। ପୁଣି ଆର ନିର୍ବାଚନକୁ ଅପେକ୍ଷା। ତେଣୁ ଏଥର ସେମାନେ ରୋକଠୋକ୍ ଶୁଣାଇଛନ୍ତି, ଘର ନାହିଁ ତ ଭୋଟ୍ ନାହିଁ। ସେପଟେ ବିଡିଓ କହିଛନ୍ତି, ସମସ୍ୟାର ତୁରନ୍ତ ସମାଧାନ କରାଯିବ।