Advertisment

ଦଣ୍ଡ ଶୁଣାଇଲେ, ତଣ୍ଡ ଗଣିଲେ: ଗଣଶିକ୍ଷାମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନ ବେଳେ ରୋଚକ ସ୍ଥିତି

ବାଲେଶ୍ୱରରେ ଗଣଶିକ୍ଷାମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନ ବେଳେ ରୋଚକ ସ୍ଥିତି ପିଲାଏ ପଣିକିଆ କହି ନପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ, ବିଧାୟକଙ୍କ ସହ ବିନା ହେଲ୍‌ମେଟ୍‌ରେ ବୁଲିବା ବେଳେ ଧରାପଡ଼ି ଫାଇନ୍ ଦେଲେ...

 Special Story

Special Story

Advertisment

ତୃତୀୟ ଶ୍ରେଣୀରେ ପାଠ ପଢ଼ି ମଧ୍ୟ ପିଲାଏ ୩ କ ପଣକିଆ ଜାଣିନାହାଁନ୍ତି । ପଣକିଆ କହିଲା ବେଳେ ଥଙ୍ଗଉଛନ୍ତି ଗଣଶିକ୍ଷା ମନ୍ତ୍ରୀଙ୍କ ବାଲେଶ୍ୱର ମହାବୀର ନୋଡାଲ୍ ୟୁପି ସ୍କୁଲ୍‌କୁ ଅଚାନକ ଗସ୍ତ ବେଳେ ଏହି ଚିତ୍ର ସାମ୍ନାକୁ ଆସିଛି । ଯାହା ପରେ ୧୫ ଦିନରେ ୧୫ କ ପଣକିଆ ଶିଖାଇବାକୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ରୋଚକ ହେଉଛି, ସ୍କୁଲ୍‌ରେ ତଦାରଖ କରି ବାହାରୁ ବାହାରୁ ବିନା ହେଲ୍‌ମେଟ୍‌ଟ୍‌ରେ ବାଇକ୍‌ରେ ବୁଲିବା ଅଭିଯୋଗରେ ଟ୍ରାଫିକ୍ ପୋଲିସ୍ ହାବୁଡ଼ରେ ପଡ଼ିଗଲେ । ତଣ୍ଡ ବି ଗଣିଲେ ଉଭୟ ମନ୍ତ୍ରୀ ଓ ବିଧାୟକ ।

Advertisment

ସୂଚନା ଅନୁସାରେ, ପାଠ ପଢା କେମିତି ଚାଲିଛି ଓ ପିଲାଏ କେତେ ଦକ୍ଷ ହେଲେଣି, ତାକୁ ଜାଣିବା ପାଇଁ ସକାଳୁ ସକାଳୁ ଗଣଶିକ୍ଷା ମନ୍ତ୍ରୀ ସ୍କୁଲ୍‌ରେ ପହଞ୍ଚି ପିଲାଙ୍କୁ କ୍ଲାସ୍ ରୁମ୍‌ରେ ପଣକିଆ ପଚାରିଥିଲେ । ଚାରି ପାଞ୍ଚ ଜଣ ପିଲାଙ୍କୁ ପଚାରିଥିଲେ ସୁଦ୍ଧା କେହି ସମ୍ପୂର୍ଣ୍ଣ ପଣକିଆ କହିପାରିନଥିଲେ । ଆଉ ଏଥିରେ କ୍ଷୁବ୍ଧ ହୋଇ ମନ୍ତ୍ରୀ ଡିଇଓଙ୍କ ଜରିଆରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୧୫ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଇଛି । ଏହାସହ ୧୫ ଦିନ ଭିତରେ ପିଲାଙ୍କୁ ୧୫ କ ପଣକିଆ ମୁଖସ୍ତ କରାଇବା ଲାଗି ଟାସ୍କ ମଧ୍ୟ ଦେଇଛନ୍ତି ।

ତେବେ ଗୋଟିଏ ପଟେ ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ କର୍ତ୍ତବ୍ୟରେ ଅବହେଳା ପାଇଁ ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇଥିବାବେଳେ ଅନ୍ୟପଟେ ବିନା ହେଲମେଟ୍‌ରେ ସ୍ଥାନୀୟ ବିଧାୟକଙ୍କ ସହ ବାଇକ୍‌ରେ ବୁଲି ତଣ୍ଡ ଗଣିଛନ୍ତି ବାଲେଶ୍ୱର ଗସ୍ତରେ ଥିବା ଗଣଶିକ୍ଷା ମନ୍ତ୍ରୀ । ଆଜି ସକାଳୁ ଜିଲ୍ଲାର ୫ଟି ସ୍କୁଲ୍‌କୁ ଅଚାନକ ଗସ୍ତରେ ଯାଇଥିଲେ ମାତ୍ର ବିନା ହେଲମେଟ୍‌ରେ ସ୍ଥାନୀୟ ବିଜେଡି ବିଧାୟକ ସ୍ୱରୂପ ଦାସ ବାଇକ ଚଲାଉଥିବାବେଳେ ପଛ ସିଟ୍‌ରେ ବିନା ହେଲ୍ମେଟ୍‌ରେ ବସି ଯାତ୍ରା କରୁଥିଲେ ଗଣଶିକ୍ଷା ମନ୍ତ୍ରୀ । ଏହାରି ଭିତରେ ଗାଡି ମାଲିକ ପଙ୍କଜ ଅଗ୍ରଓ୍ୱାଲଙ୍କ ମୋବାଇଲ୍‌କୁ ଏକ ହଜାର ଟଙ୍କାର ଫାଇନ ମେସେଜ ଯାଇଥିଲେ । ଏହାପରେ ବିଧାୟକ ସ୍ୱରୂପ ଦାସ ତଣ୍ଡ ରାଶି ମଧ୍ୟ ପଇଠ କରିଛନ୍ତି ।ଏଠାରେ ପ୍ରଶ୍ନ ଉଠୁଛି ଦୁଇ ଦିନ ତଳେ କେନ୍ଦୁଝର ଗସ୍ତ ବେଳେ ସ୍କୁଲ୍ ବସ୍‌ରେ ଓଭର୍ ଲୋ଼ଡିଂ ଲାଗି ସ୍କୁଲ୍‌କୁ ମନ୍ତ୍ରୀ ନୋଟିସ୍ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ନିଜେ କିପରି ମୋଟର ଯାନ ଆଇନ୍ ପାଳନ କରିବାକୁ ଭୁଲିଗଲେ ?

Advertisment

ତେବେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ନବୀନ 6-T ଫର୍ମୁଲାରେ ଟୁର୍ କୁ ଫୋକସ୍ ଦେଇଛନ୍ତି । ଏଥିପାଇଁ ଗଣଶିକ୍ଷା ମନ୍ତ୍ରୀ ଏବେ ୨୮ ତାରିଖ ଯାଏଁ ୪ଜିଲ୍ଲା ଗସ୍ତରେ ଅଛନ୍ତି । ଏହି ଗସ୍ତ ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି କେତେ ସମାଧାନ ହେଉଛି ତାଉପରେ ନଜର ରହିଛି ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ