ଜମିଜମା ବିବାଦରେ ପଡ଼ିବ କି ପୂର୍ଣ୍ଣଚ୍ଛେଦ ? ସହଜ ହେବ କି ଉତ୍ତରାଧିକାରୀଙ୍କୁ ସତ୍ତ୍ୱ ହସ୍ତାନ୍ତରଣ ?

ସତ୍ତ୍ୱ ହସ୍ତାନ୍ତରଣ ପାଇଁ ରାଜସ୍ୱ ବିଭାଗର ନୂଆ ଉଦ୍ୟମ । କ୍ୟାମ୍ପ କୋର୍ଟ ଜରିଆରେ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।

Land, Property

ଦୀର୍ଘଦିନ ଧରି ପଡ଼ି ରହିଥିବା ଜମିଜମା ବିବାଦରେ ପଡ଼ିବ କି ପୂର୍ଣ୍ଣଛେଦ ? ସହଜ ହେବ କି ଉତ୍ତରାଧିକାରୀଙ୍କୁ ସତ୍ତ୍ୱ ହସ୍ତାନ୍ତରଣ ? ପୈତୃକ ସଂପତ୍ତିରୁ ପ୍ରକୃତ ଉତ୍ତରାଧିକାରୀଙ୍କୁ ମିଳିବ ତ ଅଧିକାର ? ଏସବୁ ପ୍ରଶ୍ନର ଉତ୍ତରକୁ ହଁର ରୂପ ଦେବାକୁ, ପୈତୃକ ସଂପତ୍ତିରେ ଉତ୍ତରାଧିକାରୀଙ୍କୁ ହକ୍ ଦେବାକୁ ରାଜସ୍ୱ ବିଭାଗର ନୂଆ ନିର୍ଦ୍ଦେଶନାମା । ସମସ୍ତ ଜିଲ୍ଲାପାଳଙ୍କୁ ଜାରି ଏ ନିର୍ଦ୍ଦେଶନାମାରେ ଦର୍ଶାଯାଇଛିି ଯେ, ୧୯୯୦ ଅର୍ଥାତ ଦୀର୍ଘ ୩୨ ବର୍ଷ ଭିତରେ ଆଉ ସେଟେଲ୍‌ମେଣ୍ଟ ହୋଇନାହିଁ । ଯାହା ଫଳରେ ପୈତୃକ ସତ୍ତ୍ୱାଧିକାର ସେମାନଙ୍କ ଉତ୍ତରାଧିକାରୀଙ୍କ ପାଖକୁ ହସ୍ତାନ୍ତରଣରେ ସମସ୍ୟା ଉପୁଜିଛି ।

ଏପରିକି ପିଏମ୍ କିଷାନ୍ ଭଳି ସରକାରୀ ଯୋଜନା, ଯେଉଁଥିରେ ଚାଷୀଙ୍କ ନାଁରେ ସତ୍ତ୍ୱ ବା ଜମିପଟା ଥିବାର ସର୍ତ୍ତାବଳି ରହୁଛି, ସେ କ୍ଷେତ୍ରରେ ଏସବୁ ଯୋଜନାରେ ସାମିଲ ହେବାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ସେହିପରି ଚାଷୀଙ୍କୁ ଇନ୍‌ପୁଟ୍ ସବ୍‌ସିଡି ଓ ବ୍ୟାଙ୍କରୁ ଋଣ ନେବାରେ ମଧ୍ୟ ସମସ୍ୟା ହେଉଛି । ଉକ୍ତ ସଂପତ୍ତିର ରାଜସ୍ୱ ମଧ୍ୟ ଠିକଣା ଭାବେ ମିଳିପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ଜମିର ମାଲିକାନା ପରିବର୍ତ୍ତନ ବେଳେ ରାଜସ୍ୱ ନିିରୀକ୍ଷକମାନେ ସଂପୂର୍ଣ୍ଣ ରାଜସ୍ୱ ସଂଗ୍ରହ କରି ଠିକଣା ସତ୍ତ୍ୱ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିବେ ।

ନିର୍ଦ୍ଦେଶନାମାରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ରାଜସ୍ୱ ବିଭାଗର ଭୂ-ସଂସ୍କାର ଆଇନ୍ ୧୯୬୦ ଅନୁଯାୟୀ ଜମି ବଣ୍ଟନ ବେଳେ ସବୁ ଅଂଶୀଦାରମାନେ ସ୍ୱାକ୍ଷର ଦେଲେ ଏହାର ବଣ୍ଟନ ହୋଇପାରିବ । ସେହି ଅନୁଯାୟୀ ପ୍ରଶାସନିକ ଅଧିକାରୀମାନେ ପୈତୃକ ସଂପତ୍ତିର ମାଲିକାନା ପରିବର୍ତ୍ତନ ଦିଗରେ ପଦକ୍ଷେପ ସ୍ୱତନ୍ତ୍ର ଅଭିଯାନ କରିବେ । ଏଥିଲାଗି ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ସ୍ୱତନ୍ତ୍ର କ୍ୟାମ୍ପକୋର୍ଟ ଜରିଆରେ ସତ୍ତ୍ୱ ଅଧିକାରକୁ ନେଇ ଥିବା ବିବାଦର ଅନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତରଣ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଏପରିକି ରାଜସ୍ୱ ରଥ ଜରିଆରେ ଲୋକଙ୍କୁ ସଚେତନ କରି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଏବଂ ଜରୁରୀକାଳୀନ ଭିତ୍ତିରେ ଏହି ସମସ୍ତ ବିବାଦର ସମାଧାନ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବାକୁ ଚିଠିରେ ଉଲ୍ଲେଖ ରହିଛି ।

ତେବେ ଦୀର୍ଘ ୩୨ ବର୍ଷ ପରେ ପୈତୃକ ସଂପତ୍ତିରୁ ସତ୍ତ୍ୱାଧିକାର ହସ୍ତାନ୍ତରଣ ନେଇ ହେବାକୁ ଯାଉଥିବା ରାଜସ୍ୱ ବିଭାଗର ଏ ନୂଆ ଅଭିଯାନ କେତେଦୂର ଫଳପ୍ରଦ ହେଉଛି, ଏବେ ତା ଉପରେ ନଜର ।

(ରିପୋର୍ଟ- ହରିହର ଚାନ୍ଦ, ଭୁବନେଶ୍ୱର)