ଭିନ୍ନ କାହାଣୀ । କାହାଣୀର ମୁଖ୍ୟ ଚରିତ୍ର ‘ଗୁଲୁପାପା’। ନାଁ ଶୁଣିଲା କ୍ଷଣି ଏହା ଜଣେ ମଣିଷ ବୋଲି ଭାବୁଥିବେ । କିନ୍ତୁ ନା । ସେ ସାଧାରଣ କୁକୁରଟିଏ । ଯିଏ ଆପଣାର ମଣିଷ ଭଳି ୧୨ ବର୍ଷ ଧରି ଚଳିଆସୁଥିଲା, କେତେ ଗେଲବସରରେ ବଢିଥିଲା, ତା’ର କଳନା ନାହିଁ । ହେଲେ ସେ ଏବେ ଆରପାରିରେ । ତା’ ଆତ୍ମାର ସଦଗତି ଏବଂ ସ୍ମୃତି ପାଇଁ ତା’ ମାଲିକ ଯେଉଁ ନିଆରା ଭାବ ଆଉ ଆବେଗ ଦେଖାଇଛନ୍ତି, ବୋଧହୁଏ ବିରଳ ।
ତା’ବିନା ଖାଁ ଖାଁ ଘରଦ୍ୱାର । ଶୂନ୍ୟ ଲାଗୁଛି ପ୍ରତ୍ୟେକ ସଦସ୍ୟଙ୍କ ପ୍ରାଣପିଣ୍ଡ । ଆଜି ସବୁକିଛି ଅଛି, କିନ୍ତୁ ଗୁଲୁପାପା ନାହିଁ । ଯିଏ ଦିନେ ପରିବାରର ଥିଲା ନୟନ ପିତୁଳା, ନୀରବି ଯାଇଛି ସବୁଦିନ ପାଇଁ । ଆଉ ସେ ଫେରିବନି କୋଳକୁ, ଘଷି ମାଜି ହୋଇ ଆଉ ଗେଲ ହବନି, ଗୁଲୁପାପା ବୋଲି କାହା ଡାକ ଶୁଣିଲେ ଆଉ ଦୌଡ଼ି ବି ଆସିବନି ସେ ।
Also Read
କାରଣ ସେ ଫେରିଯାଇଛି ଅଫେରା ରାଇଜକୁ । ସେଥିପାଇଁ ତ ତା’ର ସ୍ମୃତିରେ ଏହି ଆୟୋଜନ । ଲାଗିଛି ସାମିୟାନା... ଫ୍ଲେକ୍ସରେ ଲେଖାଯାଇଛି ଗୁଲୁପାପା । ଗୁଲୁପାପା ଆଉ କେହି ନୁହଁ, ଆପଣଙ୍କ ସାମ୍ନାରେ ଫଟୋରେ ଥିବା ଏହି ଗୁଲୁଗୁଲିଆ ଚେହେରାର କୁକୁରଟିଏ । ଦୀର୍ଘ ୧୩ ବର୍ଷ ଧରି ଖୋର୍ଦ୍ଧା ଗାନ୍ଧି ପଡ଼ିଆ ଅଞ୍ଚଳର ଚନ୍ଦ୍ରଶେଖର ମହାପାତ୍ରଙ୍କ ପରିବାରରେ ସାଜିଥିଲା ପୁଅ । ହେଲେ ସେହି ୧୩ ବର୍ଷର ସ୍ନେହ, ଶ୍ରଦ୍ଧା ଓ ସମ୍ପର୍କକୁ ପଛକରି ଗତ ୫ ତାରିଖରେ ଚାଲିଯାଇଛି ପରପାରିକୁ । ଇତିମଧ୍ୟରେ ୭ ଦିନ ବିତିଯାଇଥିବାବେଳେ ତା’ ଆତ୍ମାର ସଦଗତି ପାଇଁ ମହାପାତ୍ର ପରିବାର ପକ୍ଷରୁ ସ୍ମୃତିସଭା ସହ ବ୍ରାହ୍ମଣ ଭୋଜନର ଆୟୋଜନ କରାଯାଇଛି । ଅତିଥିଙ୍କୁ ନିମନ୍ତ୍ରଣ କରି ଭୋଜିଭାତ ହୋଇଛି ।
୨୦୧୧ ଜାନୁୟାରୀ ୨୭ ତାରିଖ । ୧୨ ବର୍ଷ ତଳର କଥା । ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଲାବ୍ରାଡର୍ ପ୍ରଜାତିର ଏହି କୁକୁରକୁ ଛୁଆ ଅବସ୍ଥାରେ ଆଣିଥିଲେ ବ୍ୟବସାୟୀ ଚନ୍ଦ୍ରଶେଖର । ସ୍ନେହ ସରାଗ ଦେଇ ବଢ଼ାଇଲେ, ଆପଣାର କଲେ । ଶ୍ରଦ୍ଧାରେ ତା ନାଁ ରଖିଥିଲେ ଗୁଲୁପାପା । ମଣିଷ ସିନା ନଥିଲା ସେ, ହେଲେ ମଣିଷଠୁ କିଛି କମ୍ ଦାୟିତ୍ୱ ନିଭାଉନଥିଲା । ସେଥିପାଇଁ ଗୁଲୁପାପା ହାତରେ ଏବଂ ଭରସାରେ ଘର ଜଗିବାର ଦାୟିତ୍ୱ ଦେଇ ବାହାରକୁ ଯାଉଥିଲେ ପରିବାର ସଦସ୍ୟ ।
ସେ ବି ବଫାଦାର ସାଜି ଜୀବଦଶା ମଧ୍ୟରେ ମାଲିକଙ୍କ ବିଶ୍ୱାସକୁ ଜିତିଥିଲା । ହେଲେ ସେହି ଦାୟିତ୍ୱ ସମ୍ପନ୍ନ ଗୁଲୁପାପା ଆଜି ଆଉ ନାହିଁ । ଅନ୍ୟ ସାଥୀମାନେ ଆଜି ଗୁଲୁପାପାକୁ ଝୁରୁଛନ୍ତି । ଗୁଲୁପାପାର ବିୟୋଗ ପରେ ଭାବବିହ୍ୱଳ ହୋଇ ଖବର କାଗଜରେ ଏଭଳି ବିଜ୍ଞାପନ ଦେଇଥିଲେ ଚନ୍ଦ୍ରଶେଖର। ଯେଉଁଥିରେ ଗୁଲୁପାପାର ମୂଳ ମାଲିକ ତଥା ଟଙ୍କପାଣିର ଦାସ ବାବୁଙ୍କୁ ଯୋଗାଯୋଗ ପାଇଁ ବାର୍ତ୍ତା ବି ଦେଇଥିଲେ । ଆଗକୁ ଗୁଲୁପାପାର ସ୍ମୃତିରେ ଘର ସାମ୍ନାରେ ଏକ ମାର୍ବଲର ମୂର୍ତ୍ତି ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି ପରିବାର ସଦସ୍ୟ ।
ସ୍ୱାର୍ଥପର ଦୁନିଆରେ ମଣିଷ ଯେତେବେଳେ ଆଉ ଜଣେ ମଣିଷକୁ ପର କରିଦେଉଛି, ସେହି ସମୟରେ ଏକ ପଶୁ ପ୍ରତି ଖୋର୍ଦ୍ଧାର ଚନ୍ଦ୍ରଶେଖରଙ୍କ ଏଭଳି ଅନାବିଳ ସ୍ନେହ, ସମାଜ ପାଇଁ ନିଶ୍ଚିତ ଏକ ନିଆରା ଉଦାହରଣ ।