Advertisment

ପରଲୋକରେ ଗୀତା ମେହେଟ୍ଟା; ବଡ଼ ଭଉଣୀଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସ୍ତବ୍ଧ ନୂଆଦିଲ୍ଲୀର ଅବଦୁଲ କଲାମ୍ ରୋଡ୍ ସ୍ଥିତ ବାସଭବନ... ଶୋକାଭିଭୁତ ସାରା ଅଞ୍ଚଳ... ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ଗୀତା ମେହଟ୍ଟା ଆଉ ନାହାଁନ୍ତି... ପରଲୋକ ପରଠୁ ଦିଲ୍ଲୀ ବାସଭବନକୁ ଛୁଟୁଛି ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନଙ୍କ ସୁଅ...

ଅଦ୍ୟତନ ହୋଇଛି
undefined

Odisha CM Naveen Patnaik gets emotional on demise of elder sister Gita Mehta

Advertisment

କିଏ ତାଙ୍କୁ ଜାଣେ ବିଶ୍ୱସ୍ତରୀୟ ଲେଖିକା ଭାବେ, ଆଉ କିଏ ଜାଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଭାବେ । ସାମ୍ବାଦିକତାଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଯାଏଁ, ସିଦ୍ଧହସ୍ତ ଥିବା ଗୀତା ମେହଟ୍ଟାଙ୍କୁ ସାରା ବିଶ୍ୱ ଜାଣେ ଭିନ୍ନ ଭିନ୍ନ ପରିଚୟରେ । ସେହି ଅସୀମ ପ୍ରତିଭାର ଅଧିକାରିଣୀ ଆଜି ଅତୀତ, ଅମର । ୮୦ ବର୍ଷ ବୟସରେ ଆଖିବୁଜିଛନ୍ତି ସେ । ଏହି ଖବର ପରେ ଆତ୍ମୀୟ ପରିଜନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଅନ୍ତିମ ଦର୍ଶନ କରୁଛନ୍ତି । ଆସନ୍ତାକାଲି ଦିଲ୍ଲୀରେ ଗୀତା ମେହେଟ୍ଟାଙ୍କର ଅନ୍ତିମ ସତ୍କାର ହେବ ବୋଲି ସୂଚନା ମିଳିଛି ।

Advertisment

ସ୍ତବ୍ଧ ନୂଆଦିଲ୍ଲୀର ଅବଦୁଲ କଲାମ୍ ରୋଡ୍ ସ୍ଥିତ ବାସଭବନ... ଶୋକାଭିଭୁତ ସାରା ଅଞ୍ଚଳ... ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ଗୀତା ମେହଟ୍ଟା ଆଉ ନାହାଁନ୍ତି... ପରଲୋକ ପରଠୁ ଦିଲ୍ଲୀ ବାସଭବନକୁ ଛୁଟୁଛି ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନଙ୍କ ସୁଅ... ପୈତୃକ ବାସଭବନରେ ପହଞ୍ଚିଛନ୍ତି ଗୀତାଙ୍କ ବଡ଼ଭାଇ ପ୍ରେମ୍ ପଟ୍ଟନାୟକ, ପରେ ପରେ ଗୀତାଙ୍କ ଅତି ପ୍ରିୟ ଥିବା ସାନଭାଇ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଗୀତାଙ୍କ ଦେହାନ୍ତ ହୋଇଥିଲା ।

ପ୍ରବାଦ ପୁରୁଷ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଗୀତା ମେହଟ୍ଟା । ୧୯୪୩ରେ ଜନ୍ମିତ ଗୀତା କେମ୍ବ୍ରିଜ୍ ଯାଇଥିଲେ ଉଚ୍ଚଶିକ୍ଷା ପାଇଁ । ୧୯୭୦ରେ ଆମେରିକୀୟ ଟେଲିଭିଜନ ଚ୍ୟାନେଲ NBC ପାଇଁ ଯୁଦ୍ଧ ରିପୋର୍ଟିଂ କରି ବେଶ ପ୍ରଶଂସା ସାଉଁଟିଥିଲେ । ଆମେରିକା, ୟୁରୋପ, ଇଂଲଣ୍ଡର ବିଭିନ୍ନ ଟେଲିଭିଜନ୍ ନେଟୱର୍କ ପାଇଁ ବି ନିର୍ମାଣ କରିଥିଲେ ୧୪ଟି ଟିଭି ଡକ୍ୟୁମେଣ୍ଟାରୀ ।

Advertisment

ବାଂଲାଦେଶ ବିପ୍ଲବକୁ ନେଇ ତାଙ୍କ ଦ୍ୱାରା ନିର୍ମିତ ଡକ୍ୟୁମେଣ୍ଟାରୀ ଡେଟଲାଇନ୍ ବାଂଲାଦେଶ ବେଶ ଚର୍ଚ୍ଚିତ ହୋଇଥିଲା ଦେଶ ବିଦେଶରେ । କେବଳ ଏତିକି ନୁହେଁ ତାଙ୍କ ଦ୍ୱାରା ଲିଖିତ କର୍ମକୋଲା: ମାର୍କେଟିଂ ଦ ମିଷ୍ଟିକ୍ ଇଷ୍ଟ, ଏ ରିଭର୍ ସୂତ୍ର, ମାଉଣ୍ଟେନ ସୂତ୍ର, ସ୍ନେକ୍ସ ଆଣ୍ଡ୍ ଲ୍ୟାଡର୍ସ, ଇଟର୍ନାଲ୍ ଗଣେଶ ଆଦି ବହୁ ପୁସ୍ତକ ବି ଆଦୃତ ଲାଭ କରିଛି ବିଶ୍ୱବ୍ୟାପୀ ।

ପ୍ରସିଦ୍ଧ ଭାରତୀୟ-ଆମେରିକୀୟ ଲେଖିକା ଗୀତା ୧୯୬୫ରେ ସୁପ୍ରତିଷ୍ଠିତ ସାମ୍ବାଦିକ ତଥା ପ୍ରକାଶକ ସୋନି ମେହଟ୍ଟାଙ୍କୁ ବିବାହ କରିଥିଲେ । ଯାହାଙ୍କ ଦେହାନ୍ତ ଘଠିଥିଲା ୨୦୧୯ରେ । ଆଦିତ୍ୟ ସିଂ ମେହଟା ତାଙ୍କର ଏକମାତ୍ର ପୁଅ, ଯିଏ ରୁହନ୍ତି ବିଦେଶରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବେଶ୍ ନିକଟତର ଥିଲେ ଗୀତା । କୁହାଯାଏ, ରାଜନୀତି ସହ ପ୍ରତ୍ୟକ୍ଷ ସଂପୃକ୍ତି ନଥିଲେ ବି ନବୀନଙ୍କ ରାଜନୈତିକ କ୍ଷେତ୍ରରେ ଓ ଦଳଗତ ନିଷ୍ପତ୍ତି ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ ଗୀତା ।

Advertisment

୨୦୧୯ରେ ପଦ୍ମ ପୁରସ୍କାରକୁ ବିନମ୍ରତାର ସହ ପ୍ରତ୍ୟଖାନ କରି ଗୀତା ଚର୍ଚ୍ଚାକୁ ଆସିଥିଲେ । ସେହି ସମୟରେ ନିର୍ବାଚନ ଥିବାରୁ ଭୁଲ ବାର୍ତ୍ତା ଯିବାର ଆଶଙ୍କା କରି ପଦ୍ମ ପୁରସ୍କାରକୁ ସେ ଗ୍ରହଣ କରିନଥିଲେ । ଆଦିବାସୀ କଳା ସଂସ୍କୃତି ପ୍ରତି ବେଶ୍ ରୁଚି ରଖୁଥିବା ଗୀତା ଆଦିବାସୀ ହସ୍ତକଳା ଉପରେ ଗବେଷଣା କରୁଥିଲେ । ୨୦୧୮ରେ ଭୁବନେଶ୍ୱର ଜାଗମରା ଆସି କଂସା ପିତଳ ସଂଗ୍ରାହକ ସୁଦର୍ଶନ ସାହୁଙ୍କୁ ଭେଟିଥିଲେ । ତା’ସହ କିଛି ଆଦିବାସୀ ଅଳଙ୍କାର କିଣିଥିବା କହିଛନ୍ତି ସୁଦର୍ଶନ ।

ଆଜିଠୁ ଗୀତା ମେହେଟ୍ଟା ଅତୀତ । ହେଲେ ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର ନିର୍ମାଣ ଓ ପ୍ରକୃତି ସୁରକ୍ଷା କ୍ଷେତ୍ରରେ ଛାଡ଼ିଯାଇଥିବା ଛାପକୁ ସମସ୍ତେ ମନେ ପକାଉଛନ୍ତି । ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ ଏକ୍ସରେ ଗୀତାଙ୍କ ସ୍ମୁତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶୋକସନ୍ତପ୍ତ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଗୀତା ମେହେଟ୍ଟାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Naveen Patnaik Odisha CM Gita Mehta
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ