ସମୁଦ୍ରରୁ ମାଛ ମାରିବା ଉପରେ ଲାଗିଲା ସରକାରୀ କଟକଣା : ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ସରକାରଙ୍କ ଏହି ନିୟମ କିନ୍ତୁ ସମୁଦ୍ରକୁ ଯାଇ ମାଛମାରି ପରିବାର ଚଳାଉଥିବା ମତ୍ସଜୀବୀଙ୍କ ଉପରେ ବୋଝ ପାଲଟିଛି । ସମୁଦ୍ରକୁ ଯାଇ ମାଛମାରି ଦୁଇ ପଇସା ରୋଜଗାର କରୁଥିବା ମତ୍ସ୍ୟଜୀବି ଏବେ କେମିତି ପରିବାର ଚଳାଇବ ଏବେ ସେହି ଚିନ୍ତାରେ

ମାଛମରା କଟକଣା ଯୋଗୁଁ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ମାଛ ମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି । ଆଉ ଏଥିପାଇଁ ସୁମୁଦ୍ରରୁ ମାଛ ମାରିବା ପାଇଁ ଲାଗିଛି ସରକାରୀ କଟକଣା । ପ୍ରତିବର୍ଷ ପରି ଏପ୍ରିଲ ୧୫ ତାରିଖରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ମାରିବା ଉପରେ ରୋକ ଲଗା ଯାଇଛି । ଆସନ୍ତା ୬୧ ଦିନ ପର୍ଯ୍ୟନ୍ତ ବୋଟରେ ସମୁଦ୍ରରୁ ମାଛ ନଧରିବା ପାଇଁ ନିୟମ ଜାରି କରାଯାଇଛି । ହେଲେ ମତ୍ସ୍ୟ ବିଭାଗ ପକ୍ଷରୁ କରା ଯାଇଥିବା ଏହି ନିୟମ ପାଇଁ ହଜାର ହଜାର ମତ୍ସ୍ୟଜୀବି ଏବେ ହତବାନ୍ଧି ଘରେ ବସିବାକୁ ବାଧ୍ୟ ହୋଇଛନ୍ତି ।

ବାସୁଦେବପୁର ବ୍ଲକରେ ଥିବା ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳର ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ପରିବାର ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ସମୁଦ୍ରରୁ ମାଛ ଧରି ପରିବାର ଚଳାନ୍ତି । ବ୍ଲକର ଚୁଡାମଣି, ପଢୁଆଁ, କଷିଆ ଆଦି ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳ ଗୁଡିକରେ ମୁଖ୍ୟତଃ ସମୁଦ୍ରରୁ ମାଛମାରି ଆଦିକାଂଶ ପରିବାର ଚଳିଥାନ୍ତି । ମତ୍ସ୍ୟ ବିଶେଷଜ୍ଞଙ୍କ ଅନୁସାରେ ଏପ୍ରିଲରୁ ଜୁନ ମାସରେ ମୌସୁମୀ ଆସିଲେ ମାଛମାନେ ସମୁଦ୍ରରେ ସେମାନଙ୍କ ବଂଶ ବିସ୍ତାର କରିଥାନ୍ତି ।

ଏହି ସମୟରେ ମାଛ ମାନଙ୍କ ଅଣ୍ଡା ଦେବାରେ ପାଗ ବେସ ସହାୟକ ହୋଇଥାଏ । ଏଥିପାଇଁ ଏହି ସମୟକୁ ମାଛ ମାନଙ୍କ ପ୍ରଜନନ ଋତୁ ଭାବେ ଘୋଷଣା କରାଯାଇଛି । ତେବେ ଏହି ସମୟରେ ସମୁଦ୍ରକୁ ବୋଟ ନେଇ ଗଲେ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହେବ । ଏଥିପାଇଁ ସରକାର ସମୁଦ୍ରରୁ ମାଛ ମାରିବା ପାଇଁ ବାରଣ କରିଛନ୍ତି |

ସରକାରଙ୍କ ଏହି ନିୟମ କିନ୍ତୁ ସମୁଦ୍ରକୁ ଯାଇ ମାଛମାରି ପରିବାର ଚଳାଉଥିବା ମତ୍ସଜୀବୀଙ୍କ ଉପରେ ବୋଝ ପାଲଟିଛି । ସମୁଦ୍ରକୁ ଯାଇ ମାଛମାରି ଦୁଇ ପଇସା ରୋଜଗାର କରୁଥିବା ମତ୍ସ୍ୟଜୀବି ଏବେ କେମିତି ପରିବାର ଚଳାଇବ ଏବେ ସେହି ଚିନ୍ତାରେ । ଗତ ଦୁଇ ବର୍ଷ ପାଖାପାଖି କରୋନା କଟକଣା ପାଇଁ ମାଛ ଧରା ଉପରେ ରୋକ ଲଗାଯାଇଥିଲା । ଆଉ କରୋନା କଟକଣା ଉଠିବା ପରେ ମାଛ ଧରା ନିୟମ କୋହଳ ହୋଇଥିଲା । ହେଲେ ପାଗ ଅନୁକୂଳ ହେଉ ନଥିବାରୁ ସ୍ଵଭାବିକ ଭାବେ ମାଛ ଜାଲରେ ଆସୁନଥିଲେ ।

ଫଳରେ ଆଶାନୁରୂପକ ମାଛ ନପାଇ ମତ୍ସ୍ୟଜୀବୀ ନିରାଶରେ ସମୁଦ୍ରରୁ ଫେରୁଥିଲା । ବୋଟର ତେଲ ଖର୍ଚ୍ଚ ଛଡା ଅନ୍ୟାନ୍ୟ ଖର୍ଚ୍ଚ ଯାଇ ବହୁ କ୍ଷତି ସହିଥିଲା ମତ୍ସଜୀବୀ । ଆଉ ଏବେ ପାଗ ଅନୁକୂଳ ହେବା ସମୟରେ ପ୍ରଜନନ ଋତୁ ପାଇଁ କଟକଣା ମତ୍ସ୍ୟଜୀବିକୁ ହାତ ବାନ୍ଧି ଘରେ ବସିବାକୁ ବାଧ୍ୟ କରିଛି । ଏହି କଟକଣା ସମୟରେ ମତ୍ସ୍ୟଜୀବୀ ମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଦାବି କରାଯାଇଛି ।

ବାସୁଦେବପୁରରୁ କିରୀଟି ଦାସ, ଓଟିଭି