Advertisment

ଦାଦନର ଭୟଙ୍କର କାହାଣୀ: ବାପକୁ ଛାଡିଲା, ଝିଅକୁ ରଖିଲା ସର୍ଦ୍ଦାର..ଏପଟେ ସରକାର କହୁଛି..

ଦୁଆର ମୁହଁରେ ସେହି ମେହନତି ମଣିଷଙ୍କ ଶବ ପଡ଼ିଛି, ତେଲ ଲୁଣର ସଂସାର ଆଜି ଉଜୁଡ଼ିଯିବା ପରେ ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ।

undefined

Odia migrant worker

Advertisment

ଚା’ଖଣ୍ଡେ ପେଟ ପାଇଁ ଦି’ମୁଠା ଦାନା ଯୋଗାଡ଼ ଲାଗି ଦାଦନ ଯାଇଥିବା ପରିବାର ଆଜି ଉଚ୍ଛନ୍ନ। ସୁଦୂର ଆନ୍ଧ୍ରକୁ ଯାଇ ଇଟାଭାଟିର ଧାସରେ ଯିଏ ହାଡ଼ ମାଂସର ଶରୀରକୁ ସିଝାଇ ପରିବାର ମୁହଁରେ ଆହାର ଦେଉଥିଲେ, ସିଏ ଆଜି ଆଉ ନାହାଁନ୍ତି। ଦୁଆର ମୁହଁରେ ସେହି ମେହନତି ମଣିଷଙ୍କ ଶବ ପଡ଼ିଛି, ତେଲ ଲୁଣର ସଂସାର ଆଜି ଉଜୁଡ଼ିଯିବା ପରେ ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ। ପିଲାପିଲି କହିଲେ ମାତ୍ର ୨ ଜଣ ଝିଅ। ପାଖରେ ଥିବା ଦୃଷ୍ଟିବାଧିତ ଝିଅଟିଏ ଦାଦନ ସର୍ଦ୍ଦାର କବଳରୁ ଖସିଆସିଛି ସତ, କିନ୍ତୁ ଅନ୍ୟ ୧୧ ବର୍ଷିୟା ଝିଅ ବନ୍ଧକ ଦାଦନ ସର୍ଦ୍ଦାର ହାତରେ। ଯେଉଁ ଝିଅକୁ ଦାଦନ ସର୍ଦ୍ଦାର ଛାଡ଼ିଲାନି ବୋଲି ଶେଷରେ ସେହି ଝିଅକୁ ଝୁରି ଝୁରି ଆଜି ଆଖିବୁଜି ଦେଇଛନ୍ତି ବଲାଙ୍ଗିର ବେଲପଡ଼ା ବ୍ଲକ ସୁଲେକେଲା ଗାଁର ୩୫ ବର୍ଷିୟ କାହ୍ନ ମଲ୍ଲିକ।

Advertisment

ଗତ ୨ ମାସ ତଳେ ପତ୍ନୀ ସହ ୨ ଝିଅଙ୍କୁ ଧରି ଆନ୍ଧ୍ରପ୍ରଦେଶର ସାତନଗରକୁ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ କାହ୍ନୁ ମଲ୍ଲିକ। ଏଥିପାଇଁ ପୂର୍ବରୁ ତୁରେକେଲା ଥାନା ତେନ୍ତୁଳିଖୁଣ୍ଟିର ଦାଦନ ସର୍ଦ୍ଦାର ସମାରୁ ନାୟକ ଜରିଆରେ ଇଟାଭାଟି ମାଲିକ ଠାରୁ ୮୦ ହଜାର ଟଙ୍କା ବଇନା ନେଇଥିଲେ। କିଛିଦିନ କାମ କରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ କାହ୍ନ। ଅସୁସ୍ଥତା ସତ୍ତ୍ୱେ ଇଟାଭାଟି ମାଲିକ ଶଙ୍କର ନାୟକ ସହ ମିଶି ସର୍ଦ୍ଦାର ସମାରୁ ନାୟକ କାମ କରିବାକୁ ବାଧ୍ୟ କରୁଥିଲା। ତେଣୁ କାହ୍ନୁଙ୍କ ପତ୍ନୀ ଭିଟାମାଟି ଫେରିଯିବାକୁ ନିଷ୍ପତ୍ତି ନେବାରୁ ୧୧ ବର୍ଷିୟା ଝିଅକୁ ବନ୍ଧକ ରଖିଥିଲା ସମାରୁ ନାୟକ। ଆଉ ବଇନା ଟଙ୍କା ଫେରାଇବାକୁ ଦାବି କରିଥିଲା।

ଶେଷରେ ସଂପୃକ୍ତ କୁନିଝିଅକୁ ଛାଡ଼ି ସପରିବାର ଗାଁକୁ ଫେରିଆସିଥିଲେ। ଆଉ ଜମିବାଡ଼ି ବିକ୍ରି କରି ଫୋନ୍ ଫେ ଜରିଆରେ ୫୦ ହଜାର ଟଙ୍କା ପଠାଇଥିଲେ। ଏହାପରେ ବି ବଳକା ୩୦ ହଜାର ଟଙ୍କା ପଠାଇଲେ ଯାଇ ଝିଅକୁ ଛାଡ଼ିବି କହିଥିଲା ଦାଦନ ସର୍ଦ୍ଦାର। କିନ୍ତୁ ନା ଆଉ ଟଙ୍କା ଯୋଗାଡ଼ କରିପାରିଲେ କାହ୍ନ, ନା ସର୍ଦ୍ଦାର କବଳରୁ ମୁକ୍ତ ହୋଇଥିଲା ଝିଅ। ଶେଷରେ ଝିଅକୁ ଝୁରି ଝୁରି ପ୍ରାଣ ହରାଇଛନ୍ତି ଅସୁସ୍ଥ କାହ୍ନୁ ମଲ୍ଲିକ।

Advertisment

ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକରୁ ୮ଟି ବ୍ଲକ ଦାଦନ ପ୍ରବଣ। ନୂଆଖାଇ ପୂର୍ବରୁ ସର୍ଦ୍ଦାର ହାତରୁ ବଇନା ନେଇ ଦଶହରାବେଳକୁ ଦାନା ପାଇଁ ଦାଦନ ଯାଆନ୍ତି ଶ୍ରମିକମାନେ। ଏହି ଜିଲ୍ଲାରୁ ପ୍ରାୟ ୪୦ ହଜାର ପରିବାରର ୨ ଲକ୍ଷ ଲୋକ ପ୍ରତିବର୍ଷ ଦାଦନ ଖଟିବାକୁ ଯାଆନ୍ତି। ତାହାରି ଭିତରେ କିଏ ସର୍ଦ୍ଦାର ଦ୍ୱାରା ତ କିଏ ମାଲିକ ଦ୍ୱାରା ନିର୍ଯାତିତ ହୁଅନ୍ତି। ଏଇ ଯେମିତି କାହ୍ନ ମଲ୍ଲିକ। ଏ ସଂପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ଆନ୍ଧ୍ରରୁ ବନ୍ଧକ ଝିଅକୁ ମୁକୁଳାଇ ବଲାଙ୍ଗିର ଫେରୁଥିବା ସୋସିଆଲ ମିଡିଆ Xରେ ଉଲ୍ଲେଖ କରିଛି ରାଜ୍ୟ ଶ୍ରମ ବିଭାଗ।

ଦାଦନ ସମସ୍ୟାର ସମାଧାନ ନାଁରେ ଗୋଲାପୀ ଚିତ୍ର ଦେଖାଉଛନ୍ତି ରାଜ୍ୟ ସରକାର। କିନ୍ତୁ କାହ୍ନ ମଲ୍ଲିକଙ୍କ ଦୁର୍ଦ୍ଦଶାର କାହାଣୀ ହିଁ କହୁଛି ବାସ୍ତବତା।

Advertisment
Odia Migrant Worker
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ