Nuapada Farmer
ଚାଷୀଙ୍କ ଘରେ ଏବେ ପହଞ୍ଚୁଛି ଧାନ । ବିହନରେ ଭର୍ତ୍ତି ହୋଇଛି ଗାଡ଼ି, ଧାଡିଧାଡି ହୋଇ ଯାଉଛି ଚାଷୀଙ୍କ ଘରକୁ । ଏମିତି ଦୃଶ୍ୟ ଦେଖିବା ପରେ ହଠାତ୍ କିଛି ବୁଝାପଡିବନି । ଆଉ ମନରେ ପ୍ରଶ୍ନ ଆସୁଥିବ ଚାଷୀଙ୍କ ଘରକୁ ଏ ସବୁ ଯାଉଛି କାହିଁକି? ହେଲେ ଘଟଣା ପଛର ସତ ଜାଣିବା ପରେ ଏମିତି ବ୍ୟବସ୍ଥାକୁ ଆପଣ ବି ପସନ୍ଦ କରିବେ ।
ଏବେ ନୁହେଁ ବରଂ କିଛି ଦିନ ହେବ ଗାଁ ଗାଁରେ ପହଂଚୁଛି ବିହନ ଧାନ ଭର୍ତ୍ତି ଗାଡି । ଆଉ ସେସବୁ ପହଞ୍ଚୁଛି ଗାଁର ଗଳି କନ୍ଦିରେ । ସମବାୟ ସମିତିର କର୍ମକର୍ତ୍ତାଙ୍କ ସହ ଡାଇରେକ୍ଟର ମଧ୍ୟ ଘରକୁ ଘର ଯାଇ ଚାଷୀଙ୍କୁ ଡାକୁଛନ୍ତି । କାରଣ ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଚାଷ କାମ । ତେଣୁ ଚାଷ ପୂର୍ବରୁ ଚାଷୀଙ୍କ ଘରେ ଧାନ ପହଞ୍ଚାଉଛି ନୂଆପଡା କୃଷି ସମବାୟ ଲିଃ । ଆଉ ଘର ଦୁଆର ମୁହଁରେ ବିହନ ପହଞ୍ଚୁଥିବାରୁ ଚଷାପୁଅ ବି ଭାରି ଖୁସି ।
ନୂଆପଡା କୃଷି ସମବାୟ ସମିତି ଲିଃରେ ପ୍ରାୟ ୩୦ଟି ଗାଁରେ ୫ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଅଛନ୍ତି । ଆଉ ସମସ୍ତଙ୍କ ଘରେ ପହଞ୍ଚିବ ବିହନ । ତେଣୁ ସମବାୟ ସମିତିକୁ ଚାଷୀଙ୍କୁ ଆଉ ଆସିବାକୁ ପଡିବ ନାହିଁ । ଜାଣି ଆଶ୍ଚର୍ଯ୍ୟ ହେବେ ପୂରା ରାଜ୍ୟରେ ନୂଆପଡା ଜିଲ୍ଲା ପ୍ରଥମଥର ଭାବରେ ଚାଷୀଙ୍କ ଘର ପାଖରେ ବିହନ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛି । ଖାଲି ଧାନ ବିହନ ନୁହେଁ ବରଂ ଆଗାମୀ ଦିନରେ ଚାଷୀଙ୍କ ଘରେ ସାର ଓ କୀଟନାଶକ ମଧ୍ୟ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଥିବା କୁହାଯାଉଛି । ତେବେ ଚାଷୀଙ୍କ ଘରେ ଏମିତି ସୁବିଧା ପହଞ୍ଚାଉଥିବାରୁ ନୂଆପଡା କୃଷି ସମବାୟ ସମିତିକୁ ସବୁଆଡୁ କରାଯାଉଛି ପ୍ରଶଂସା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687082105.jpg)