ବଦଳିବ କଣ୍ଟିଲୋ ନୀଳମାଧବ ପୀଠର ରୂପରେଖ : ଆଲୋକାମାଳାରେ ଝଲସି ଉଠିବ ମନ୍ଦିର

ଯୋଜନା ଅନୁସାରେ ଶ୍ରୀନୀଳମାଧବ ମନ୍ଦିରର ଚାରିପାଖରେ ଉନ୍ନୟନ କାମ କରାଯିବ । ଶ୍ରଦ୍ଧାଳଙ୍କ ପାଇଁ ପୀଠର ପଶ୍ଚିମ ଦ୍ୱାର ନିକଟରେ ଏକ ବଡ଼ ହଲ‌ ନିର୍ମାଣ କରାଯିବ । ମନ୍ଦିରକୁ ପ୍ରବେଶ ପାଇଁ ଲିଫ୍ଟର ସୁବିଧା ରହିବ

ବଦଳିବ କଣ୍ଟିଲୋ ନୀଳମାଧବ ପୀଠ

ବଦଳିବ କଣ୍ଟିଲୋ ନୀଳମାଧବ ପୀଠର ରୂପରେଖ । ବହୁଦିନର ଦାବି ପରେ ଜଗନ୍ନାଥଙ୍କ ଆଦ୍ୟ ଲୀଲାକ୍ଷେତ୍ର ନୀଳମାଧବ ପୀଠର ବିକାଶ କରାଯିବ । ନୀଳମାଧବ ପୀଠର ଇତିହାସରେ ଯୋଡ଼ି ହେବ ଆଉ ଏକ ନୂଆ ଅଧ୍ୟାୟ । ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ ପାଇଁ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି । ତେବେ ଏହି ଉନ୍ନତିକରଣ ଯୋଜନାରେ ମନ୍ଦିର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ଗତକାଲି ନୀଳମାଧବ ମନ୍ଦିର ଗସ୍ତରେ ଯାଇଥିଲା । ଆଉ ସେଠାରେ ମନ୍ଦିରର ବିକାଶ ସଂପର୍କରେ ବରିଷ୍ଠ ଅଧିକାରୀ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

ଯୋଜନା ଅନୁସାରେ ଶ୍ରୀନୀଳମାଧବ ମନ୍ଦିରର ଚାରିପାଖରେ ଉନ୍ନୟନ କାମ କରାଯିବ । ଶ୍ରଦ୍ଧାଳଙ୍କ ପାଇଁ ପୀଠର ପଶ୍ଚିମ ଦ୍ୱାର ନିକଟରେ ଏକ ବଡ଼ ହଲ‌୍ ନିର୍ମାଣ କରାଯିବ । ମନ୍ଦିରକୁ ପ୍ରବେଶ ପାଇଁ ଲିଫ୍ଟର ସୁବିଧା ରହିବ । କେବଳ ଏତିକି ନୁହେଁ ଜୋତା ଷ୍ଟାଣ୍ଡ, ପାର୍କିଂ ବ୍ୟବସ୍ଥା, ଶୌଚାଳୟ ନିର୍ମାଣ ଆଦି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପୀଠର ପାହାଚ ଗୁଡ଼ିକ ଆଉ ଥରେ ନିର୍ମାଣ କରାଯିବ । ଚାରିଆଡ଼େ ଆଲୋକ ବ୍ୟବସ୍ଥା କରାଯିବାର ଯୋଜନା ରହିଥିବା ବେଳେ ଝଲସି ଉଠିବ ମନ୍ଦିର ।

ବର୍ତ୍ତମାନ ଆଗୁଆ ଭାବେ ଚନ୍ଦନ ପୁଷ୍କରିଣୀ ପୁନଃରୁଦ୍ଧାର କାମ ଚାଲୁ ରହିଥିବା ବେଳେ ଏହାର ଚାରିପାଖକୁ ସୁସଜ୍ଜିତ କରାଯିବ । ତେବେ ପ୍ରାଥମିକ ଭାବେ ମନ୍ଦିର ଚାରି ପାଖରେ ଥିବା ୬୫ ପରିବାରକୁ ଉଚ୍ଛେଦ କରାଯିବ । ଏହି ପରିଧି ଭିତରେ ଅଧିକାଂଶ ସେବାୟତ ପରିବାର ଥିବାରୁ ପାଣ୍ଡିଆନ୍ ସେମାନଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ ଗତକାଲି ସକାଳ ପ୍ରାୟ ସାଢେ ୬ଟାରେ ଭିକେ ପାଣ୍ଡିଆନ କଣ୍ଟିଲୋରେ ପହଞ୍ଚିଥିଲେ । ସେଠାର ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ଏସପି ସିଦ୍ଧାର୍ଥ କଟାରିଆ ତାଙ୍କୁ ସ୍ଵାଗତ କରିଥିଲେ । ତେବେ ପ୍ରଥମେ ପ୍ରଭୁ ନୀଳମାଧବଙ୍କ ଦର୍ଶନ କରି ଆର୍ଶୀବାଦ ଲାଭ କରିବା ସହ ସେବାୟତଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।