ଖଟିଲେ ଖାଉଛନ୍ତି, କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଲେ ପୂର୍ବତନ ନାଏବ ସରପଞ୍ଚ

୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଘୁଷୁରାମାଲ ପଚାଂୟତରେ ଦୁର୍ଜନ ମୁଣ୍ଡା ନାଏବ ସରପଞ୍ଚ ଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ବସି ଅଞ୍ଚଳର ବିକାଶ ତଥା ସମସ୍ୟାର ବିଚାର କରୁଥିଲେ ।

ଦୁର୍ଦ୍ଦିନରେ ପୂର୍ବତନ ନାଏବ ସରପଞ୍ଚ

News Summary

ଜଣେ ଜନ ପ୍ରତିନିଧିଙ୍କ କରୁଣ କାହାଣୀ

 ଦିନେ ନିଜ ଅଂଚଳର ସମସ୍ୟା ସମାଧାନ କରୁଥିଲେ ଆଜି କୁଲିମଜୁରୀ ପେଟ ପୋଷୁଛନ୍ତି

ଦୀର୍ଘ ୫ବର୍ଷ ଧରି ପଞ୍ଚାୟତର ସୁଖଦୁଃଖରେ ସାମିଲ ଥିବା ମଣିଷ ଆଜି ଦୟନୀୟ ଅବସ୍ଥାରେ

ରେଢାଖୋଲ(ରମାକାନ୍ତ ମହାନନ୍ଦ) : ଦିନେ ସେ ଥିଲେ ପଞ୍ଚାତର ନାଏବ ସରପଞ୍ଚ । ନିଜ ଅଂଚଳର ସମସ୍ୟାର ସମାଧାନ ତଥା ବିକାଶରେ ତାଙ୍କର ଭାଗିଦାରୀ ଥିଲା । ଭାଗ୍ୟର ବିଡମ୍ବନାରେ ଆଜି ସେ ପୂରା ଅସହାୟ । ପର ହାତ ଟେକାକୁ ଭରସା କରି ତଥା ମୂଲମଜୁରୀ କରି ବଂଚିଛନ୍ତି । ଜଣେ ସ୍ୱାଭିମାନୀ ମଣିଷ ଭାବରେ ପରିଚିତ ନାଏବ ସରପଞ୍ଚ ଦୁର୍ଜନ ମୁଣ୍ଡା । ଆଜି ପର୍ଯ୍ୟନ୍ତ ସରକାରଙ୍କ କୌଣସି ଗୋଟିଏ ବି ଯୋଜନାର ଲାଭ ଉଠାଇ ପାରି ନାହାନ୍ତି ।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୁଷୁରାମାଲ ପଞ୍ଚାତତର ପୂର୍ବତନ ନାଏବ ସରପଞ୍ଚ ଦୁର୍ଜନ ମୁଣ୍ଡା । ସ୍ତ୍ରୀ ଓ ଝିଅ ମୃତ୍ୟୁ ପରେ ଏକମାତ୍ର ପୁଅ ବାହା ହେବା ପରେ ବାପାକୁ ଛାଡି ଅନ୍ୟତ୍ର ଚାଲିଗଲା । ଏତେ ବଡ଼ ଦୁନିଆରେ ଏକୁଟିଆ ହୋଇଗଲେ ଦୁର୍ଜନ ମୁଣ୍ଡା । ଆଗଭଳି ଦେହରେ ବଳ ନଥିଲେ ବି ନିଜେ ନିଜ କାମ ନିଜେ କରି ଚଳୁଛନ୍ତି । କେତେବେଳେ ମୂଲ ମଜୁରୀ ତ ଆଉ କେତେବେଳେ ପର ହାତଟେକାକୁ ଅପେକ୍ଷା କରି ଝାଟିମାଟି ଘରେ ନିଜ ବଳକା ଜୀବନକୁ କାଟୁଛନ୍ତି ଦୁର୍ଜନ ମୁଣ୍ଡା ।

୨୦୦୭ ରୁ ୨୦୧୨ମସିହା ପର୍ଯ୍ୟନ୍ତ ଘୁଷୁରାମାଲ ପଚାଂୟତରେ ଦୁର୍ଜନ ମୁଣ୍ଡା ନାଏବ ସରପଞ୍ଚ ଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ବସି ଅଞ୍ଚଳର ବିକାଶ ତଥା ସମସ୍ୟାର ବିଚାର କରୁଥିଲେ । ଜଣେ ସ୍ୱାଭିମାନୀ ସାଧାରଣ ଆଦିବାସୀ ନିରକ୍ଷର ଲୋକ ହୋଇ ମଧ୍ୟ ଜନମତ ସାଉଁଟି ସେ ପଞ୍ଚାୟତର ୱାର୍ଡ ମେମ୍ବର ହୋଇ ଶେଷରେ ନାଏବ ସରପଞ୍ଚ ହୋଇଥିଲେ । ଦୀର୍ଘ ୫ବର୍ଷ ଧରି ପଞ୍ଚାୟତର ସୁଖଦୁଃଖରେ ସାମିଲ ଥିବା ଏହି ମଣିଷ ଆଜି ଦୟନୀୟ ଅବସ୍ଥାରେ । କ୍ଷମତାରେ ଥିବାବେଳେ ସେ କେବେ ପଦବୀର ଅପବ୍ୟବହାର କରିନାହାଁନ୍ତି । ସେଥିପାଇଁ ତ ନିଜ ନାଁରେ ଏପର୍ଯ୍ୟନ୍ତ ତାଙ୍କ ନାମରେ ଗୋଟିଏ ବି ଯୋଜନା ନାହିଁ । ୭୨ବର୍ଷୀୟ ଦୁର୍ଜନଙ୍କୁ ନାଁ ମିଳିଛି ଘର, ରାସନକାର୍ଡ, ନାଁ ଭତ୍ତା ।

କେତେବେଳେ କେମିତି କାଠବାକ୍ସରୁ ପୁରୁଣା ଧୋତି,ସାର୍ଟ ବାହାର କରି ପିନ୍ଧିବା ସହ ହାତରେ ବ୍ୟାଗ ଟିଏ ଧରି ବାହାରି ପଡ଼ନ୍ତି ଗାଁ ଆଡ଼େ । ଆଉ କେତେବେଳେ ନିଜ ପଞ୍ଚାୟତ କାର୍ଯ୍ୟାଳୟ ଆଡ଼କୁ ଯାଇ ମୁହଁ ମାରି ଆସନ୍ତି, ବାଟରେ ଯାହାକୁ ଦେଖିଲେ ଭଲମନ୍ଦ ପଚାରି ଦିଅନ୍ତି । ନିଜ ଦୁଖ କାହାକୁ ନକହି ଆଜି ବି ଦୟନୀୟ ଅବସ୍ଥାରେ ରହିଛନ୍ତି ଦୁର୍ଜନ । ଗରିବ ଲୋକଙ୍କ ପାଇଁ ଏତେ ଯୋଜନା ଥିଲେ ସୁଦ୍ଧା କୌଣସି ସରକାରୀ ଯୋଜନାର ଲାଭ ଉଠାଇ ପାରୁନାହାନ୍ତି । ଖଟିଲେ ଖାଉଛନ୍ତି । ହେଲେ ଏବେ ଆଉ ବଳ ବୟସ ନାହିଁ । ସରକାରଙ୍କ କୌଣସି ବି ଗୋଟିଏ ଯୋଜନାର ଲାଭ ମିଳିଲେ ଭଲ ହୁଅନ୍ତା ବୋଲି କହିଛନ୍ତି ଦୁର୍ଜନ ମୁଣ୍ଡା । ସେପଟେ ତାଙ୍କୁ ନିଶ୍ଚିତ ଭାବରେ ସରକାରୀ ସାହାଯ୍ୟ ଦିଆଯିବ ବୋଲି ନାକଟିଦେଉଳ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।