ଜୀବନ ନେଉଛି ମୋବାଇଲ୍‌ : ଗେମ୍‌ ଖେଳିବାକୁ ମନା କରିବାପରେ ନାବାଳକର ଆତ୍ମହତ୍ୟା ଅଭିଯୋଗ

ନାବାଳକ ପୁଅକୁ କଡ଼ା ତାଗିଦ୍ କରିଥିଲେ ତାର ମା

ମୋବାଇଲ ପାଇଁ ଚାଲିଗଲା ଜୀବନ

ମୋବାଇଲ ପାଇଁ ଚାଲିଗଲା ଜୀବନ । ଗେମ୍‌ ଖେଳିବାକୁ ମନା କରିବା ପରେ ନାବାଳକର ଆତ୍ମହତ୍ୟା ଅଭିଯୋଗ । ନବରଙ୍ଗପୁର ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଘଟିଛି । ମୋବାଇଲ ପାଇଁ ଘର ଲୋକଙ୍କ ତାଗିଦ୍ ପରେ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମୃତ ଛାତ୍ରଙ୍କ ନାଁ ସୁମିତ ମିର୍ଦ୍ଧା, ବୟସ ୧୪ ବର୍ଷ । ଘର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଭାରସୁଣ୍ଡି ଗାଁରେ । ସୁମିତ ରାଇଘରରେ ଥିବା ବାପା ବିଶ୍ୱଜିତଙ୍କ ମୋବାଇଲ ଦୋକାନରୁ ତାଙ୍କ ଅଜାଣତରେ ଏକ ମୋବାଇଲ ଆଣିଥିଲା ଏବଂ ମୋବାଇଲରେ ଭିଡିଓ ଗେମ୍ ଖେଳୁଥିଲା । ଏହା ଦେଖି ସୁମିତଙ୍କ ମା ମୋବାଇଲ କେଉଁଠୁ ଆଣିଲୁ ବୋଲି ପଚାରିବା ସହ କଡ଼ା ତାଗିଦ କରିଥିଲେ l ଏହାପରେ ସୁମିତ ଗାଧୁଆ ଘରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିଲା ।

ଘର ଲୋକେ ତୁରନ୍ତ ଉଦ୍ଧାର କରି ରାଇଘର ଚିକିତ୍ସାଳୟକୁ ନେଉଥିଲେ, କିନ୍ତୁ ମେଡିକାଲ ପହଞ୍ଚିବା ପରେ ସୁମିତକୁ ମୃତ ଘୋଷଣା କରିଥିଲେ ଡାକ୍ତର । ରାଇଘର ପୋଲିସ ବ୍ୟବଚ୍ଛେଦ କରି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ରାଇଘର ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ତେବେ ଏନେଇ ପୋଲିସ କିମ୍ବା ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।