ପାଣିପାଗ ଯୋଗୁଁ ମଣ୍ଡି ସମସ୍ୟା ହୋଇଥିବା ସ୍ୱୀକାର କଲେ ମନ୍ତ୍ରୀ

ଯେଉଁଠି ସମସ୍ୟା ଦେଖାଦେଉଛି, ସେଠାରେ ବିଭାଗ ଯୁଦ୍ଧକାଳୀନ ଭାବେ ସାମ୍ନା କରୁଛି ଏବଂ ଚାଷୀଙ୍କର ସୁବିଧା ହେବା ଭଳି ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Ranendra Pratap Swain

News Summary

ବିଭିନ୍ନ ସ୍ଥାନରେ ଧାନମଣ୍ଡି ଅବ୍ୟବସ୍ଥା ଅଭିଯୋଗ ପ୍ରସଙ୍ଗ

ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିକ୍ରିୟା

ଅଦିନିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଧାନ ଓଦା ହୋଇଛି

ଓଦା ଧାନ କିଣିବାକୁ ମିଲର୍ସ ଅମଙ୍ଗ ହେଉଥିବାରୁ ସମସ୍ୟା ହେଉଛି

ଧାନମଣ୍ଡି ଅବ୍ୟବସ୍ଥା ଅଭିଯୋଗ ନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି । ପାଣିପାଗ ଯୋଗୁଁ କିଛି ଜିଲ୍ଲାରେ ମଣ୍ଡି ସମସ୍ୟା ହୋଇଥିବା ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ । ଅଦିନିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଧାନ ଓଦା ହୋଇଛି । ଏହି ଓଦା ଧାନ କିଣିବାକୁ ମିଲର୍ସ ମାନେ ଅମଙ୍ଗ ହେଉଥିବାରୁ ସମସ୍ୟା ଦେଖାଦେଉଛି ।

ତେବେ ଯେଉଁଠି ଶୁଖିଲା ଧାନ ମଣ୍ଡିକୁ ଆସୁଛି, ସେଠାରେ କିଛି ସମସ୍ୟା ହେଉନି । ଯେଉଁଠି ସମସ୍ୟା ଦେଖାଦେଉଛି, ସେଠାରେ ବିଭାଗ ଯୁଦ୍ଧକାଳୀନ ଭାବେ ସାମ୍ନା କରୁଛି ଏବଂ ଚାଷୀଙ୍କର ସୁବିଧା ହେବା ଭଳି ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେପଟେ ଟୋକନ୍ ଅବଧି ଶେଷ ହେବାକୁ ବସିଲାଣି ହେଲେ ମଣ୍ଡିରୁ ଉଠୁନି ଧାନ । ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ଜଗମୋହନ ପଞ୍ଚାୟତରେ ଏହି ଘଟଣା ଦେଖିବାକୁ ମିଳିଛି । ଏକାଧିକ ଚାଷୀ ଆଜି ଧରାକୋଟ ତହସିଲଦାରଙ୍କ ସମ୍ମୁଖରେ ବିକ୍ଷୋଭ କରିବା ସହିତ ତହସିଲଦାରଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଗତ ମାସ ୨୯ ତାରିଖରୁ ଗଞ୍ଜାମରେ ମଣ୍ଡି ଖୋଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବ୍ଲକର ଅନେକ ଚାଷୀଙ୍କ ଧାନ ମଣ୍ଡିକୁ ଉଠିନି ।

ଏପଟେ ଚାଷୀଙ୍କ ଟୋକନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ ଏବେ ଧାନ କିପରି ମଣ୍ଡିକୁ ଯିବ ତାକୁ ନେଇ ଚିନ୍ତାରେ ଚାଷୀ । ମିଲର ମାନେ ଆଉ ଟାର୍ଗେଟ ନାହିଁ କହି ଚାଷୀଙ୍କ ଧାନ ନେଉନଥିବା ବେଳେ ଏହାର ସମାଧାନ ପାଇଁ ଜଗମୋହନ ପଞ୍ଚାୟତର ବହୁ ଚାଷୀ ଧରାକୋଟ ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।