ବିନା ହେଲ୍‌ମେଟରେ ଯିବାବେଳେ ଧରିଲା ପୋଲିସ୍ : ହଜାରେ ଟଙ୍କା ତଣ୍ଡ ଗଣିଲେ ମନ୍ତ୍ରୀ ଓ ବିଧାୟକ

ବିନା ହେଲମେଟରେ ବାଇକରେ ଉଭୟ ଯାଉଥିବାରୁ ଜରିମାନା

ଗଣଶିକ୍ଷା ମନ୍ତ୍ରୀ ଓ ବାଲେଶ୍ୱର ବିଧାୟକଙ୍କୁ ଧରିଲା ଟ୍ରାଫିକ୍ ପୋଲିସ

ହେଲ୍‌ମେଟ ପିନ୍ଧି ନଥିବାରୁ ତଣ୍ଡ ଗଣିଲେ ମନ୍ତ୍ରୀ ଓ ବିଧାୟକ । ବିନା ହେଲମେଟରେ ବାଇକରେ ବସିବା ଅଭିଯୋଗରେ ତାଙ୍କୁ ଫାଇନ୍ ଦେବାକୁ ପଡ଼ିଛି । ଗଣଶିକ୍ଷା ମନ୍ତ୍ରୀଙ୍କୁ ପଛରେ ବସାଇ ବାଇକ ଚଳାଉଥିଲେ ବିଧାୟକ ସ୍ୱରୂପ ଦାସ । ବିଭିନ୍ନ ସ୍କୁଲକୁ ଯାଞ୍ଚ ପାଇଁ ଯିବା ବେଳେ ସେମାନେ ଧରାପଡ଼ିଛନ୍ତି ।

ଆଇନ୍‌ ଭଙ୍ଗ କରିଥିବାରୁ ଉଭୟଙ୍କୁ ଜରିମାନା କରାଯାଇଛି । ଏଥିପାଇଁ ବାଇକ୍ ମାଲିକଙ୍କ ନାଁରେ ୧ ହଜାର ଟଙ୍କାର ଚାଲାଣ କାଟିଥିଲା ଟ୍ରାଫିକ ପୋଲିସ । ତେଣୁ ଟ୍ରାଫିକ ଥାନାରେ ପହଞ୍ଚି ୧ ହଜାର ଟଙ୍କା ଫାଇନ ଦେଇଥିଲେ । ଆଜି ସକାଳେ ବାଲେଶ୍ୱରରେ ଏହି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଆଜି ବାଲେଶ୍ୱର ହେମକାପଦା ଛକରେ ଜଣେ ସାଧାରଣ ବ୍ୟକ୍ତି ଉଭୟ ମନ୍ତ୍ରୀ ଓ ବିଧାୟକଙ୍କୁ ଅଟକାଇ ହେଲମେଟ୍‌ ନପିନ୍ଧି କେମିତି ଯାଉଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ । ପରେ ଟ୍ରାଫିକ ପୋଲିସ ତରଫରୁ ମଧ୍ୟ ଉଭୟଙ୍କୁ ହେଲମେଟ୍‌ ପିନ୍ଧିନଥିବା ନେଇ ଫୋନ୍‌ ଆସିଥିଲା।

ଏହାପରେ ବିଧାୟକ ଓ ମନ୍ତ୍ରୀ ନିଜ ଭୁଲ୍‌କୁ ସ୍ୱୀକାର କରିଥିଲେ । ଟ୍ରାଫିକ୍‌ ପୋଲିସ ଥାନାକୁ ଯାଇ ଏକ ହଜାର ଟଙ୍କା ଫାଇନ୍‌ ଦେଇଥିବା ବିଧାୟକ ସ୍ୱରୂପ ଦାସ କହିଛନ୍ତି । ଉକ୍ତ ଚାଲାଣଟି ବାଇକ୍‌ ମାଲିକ ପଙ୍କଜ ଅଗ୍ରୱାଲଙ୍କ ନାଁରେ କଟାଯାଇଥିଲା ।