ମଜୁରି ଖଟୁଛନ୍ତି ଜିଲ୍ଲା ଟପ୍ପର; ରମାଦେବୀର ଛାତ୍ରୀ, ଗାଁରେ ନିର୍ମାଣ ଶ୍ରମିକ

ଖାଲି କର୍ମା ନୁହଁନ୍ତି, ତାଙ୍କ ପରି ଅନ୍ୟ କିଛି ଯୁବତୀଙ୍କର ମଧ୍ୟ ସମାନ ଅବସ୍ଥା । +୩ ପ୍ରଥମ ବର୍ଷରେ ପଢ଼ୁଥିବା ବଣ୍ଡାଘାଟିର ସମିତା ମୁଦୁଲି ମଧ୍ୟ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ସେ ବି କର୍ମାଙ୍କ ହାତରେ ହାତ ମିଶାଇ ବାଲି ମୁଣ୍ଡେଇ ଦେଉଛନ୍ତି ।

IAS ହେବାର ସ୍ୱପ୍ନ ଆଗରେ ଦାରିଦ୍ର୍ୟ ଦଣ୍ଡ

ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିର ଯୁବତୀ କର୍ମା ମୁଦୁଲି । ମେ ମାସର ମୁଣ୍ଡଫଟା ଖରାରେ ମିକ୍ସଚର ମେଶିନରେ ମେଣ୍ଟାଲ୍ ପକାଉଛନ୍ତି । ମିକ୍ସଚର ମେଶିନ ଯେଡେ ଯୋରରେ ଚାଲିଛି କର୍ମା ସେତିକି ଯୋରରେ କାମରେ ଲାଗିପଡ଼ିଛନ୍ତି । ବାଲି ଗୋଡି ମୁଣ୍ଡରେ ବୋହି କଠିନ ପରିଶ୍ରମ କରୁଛନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ କର୍ମା ଜଣେ ସାଧାରଣ ଦିନ ମଜୁରିଆ ନୁହଁନ୍ତି, ବରଂ ସେ ହେଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳରେ +୩ ପଢ଼ୁଥିବା ଜଣେ ବାଣିଜ୍ୟ ଛାତ୍ରୀ। ଗତ ବର୍ଷ +୨ ପରୀକ୍ଷାରେ ୮୨.୬୬ ପ୍ରତିଶତ ମାର୍କ ରଖି ପାସ୍ କରିଥିବା ମାଲକାନାଗିରି ଜିଲ୍ଲାର କମର୍ସ ଟପର୍ ।

ବର୍ଷକ ତଳେ ଭଲ ନମ୍ବର ରଖି ପାସ୍ କରିଥିବା ବଣ୍ଡା ଘାଟିର ଏ ଝିଅ ଆଜି ସାଜିଛନ୍ତି ଦିନ ମଜୁରିଆ । ଖାସ୍ ଏଇଥି ପାଇଁ ଯେ, ସେ ଆଗକୁ ଆହୁରି ପାଠ ପଢ଼ି IAS ଅଫିସର ହେବାକୁ ଚାହୁଁଛନ୍ତି, ନିଜର ଉନ୍ନତି ସାଙ୍ଗକୁ ନିଜ ଅଞ୍ଚଳର ବିକାଶ କରି ରାଷ୍ଟ୍ର ନିର୍ମାଣରେ ପ୍ରମୁଖ ଭାଗ ନେବାକୁ ଚାହୁଁଛନ୍ତି । ହେଲେ ଦୁର୍ଭାଗ୍ୟ ଆଜି ସେ ପାଲଟି ଯାଇଛନ୍ତି ଜଣେ ନିର୍ମାଣ ଶ୍ରମିକ ।

ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଜଣେ ଅଣକୁଶଳୀ ଶ୍ରମିକର ଦିନକ ମଜୁରି ମଧ୍ୟ ୩୦୦ ଟଙ୍କାରୁ ଅଧିକ । ତା’ ଠାରୁ କମ୍ ମଜୁରୀରେ କେହି ଖଟିବାକୁ ବାଧ୍ୟ କରିପାରିବେ ନାହିଁ । କିନ୍ତୁ ଦୁର୍ଭାଗ୍ୟ ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବି ଏମିତି ଯେ, ଆଦିବାସୀ ଅଧ୍ୟୁଷିତ ଅନୁନ୍ନତ ଅଞ୍ଚଳରେ ବଢ଼ି କମର୍ସ ଟପ୍ପର ହୋଇଥିବା ଜଣେ ଝିଅ ବାଧ୍ୟବାଧକତାରେ ମଜୁରୀ ଖଟୁଛି ତା ପୁଣି ମାତ୍ର ୨୨୦ ଟଙ୍କାରେ ।

କର୍ମା ମୁଦୁଲିଙ୍କୁ ଗତ ବର୍ଷ ଜିଲ୍ଲା ପ୍ରଶାସନ ଡାକି ଆଣି ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲା । ଏକ ଦାତବ୍ୟ ଅନୁଷ୍ଠାନ ନିଜଆଡୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇ ଦେଇଥିଲା । ହେଲେ ଏବେ କର୍ମା ମୁଦୁଲିଙ୍କୁ ସମସ୍ତେ ଭୁଲି ଯାଇଛନ୍ତି । ୟୁନିଭରସିଟିରେ ନାଁ ସିନା ଲେଖାଇ ଦେଲେ ହେଲେ ତା ବାଦ୍ ହଷ୍ଟେଲରେ ରହି ପାଠ ପଢ଼ିଲେ ଅନ୍ୟାନ୍ୟ ଆନୁସଙ୍ଗିକ ଯେତେ ଖର୍ଚ୍ଚ ଅଛି ସେ ସୁବିଧା ଏବେ ହେଇ ପାରୁନି । ବାଧ୍ୟ ହୋଇ ଖରା ଛୁଟିରେ ନିଜ ଗାଁକୁ ଫେରି ଆସି ମଜୁରୀ ଖଟୁଛନ୍ତି କର୍ମା ।

ଖାଲି କର୍ମା ନୁହଁନ୍ତି, ତାଙ୍କ ପରି ଅନ୍ୟ କିଛି ଯୁବତୀଙ୍କର ମଧ୍ୟ ସମାନ ଅବସ୍ଥା । +୩ ପ୍ରଥମ ବର୍ଷରେ ପଢ଼ୁଥିବା ବଣ୍ଡାଘାଟିର ସମିତା ମୁଦୁଲି ମଧ୍ୟ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ସେ ବି କର୍ମାଙ୍କ ହାତରେ ହାତ ମିଶାଇ ବାଲି ମୁଣ୍ଡେଇ ଦେଉଛନ୍ତି । ଖରାରେ କଠିନ ପରିଶ୍ରମ କରୁଛନ୍ତି । ହେଲେ ଏମାନଙ୍କୁ ଆଜି ସମସ୍ତେ ଭୁଲି ଯାଇଛନ୍ତି । ନିଜ ବିକାଶର ଢୋଲ ପିଟୁଥିବା ଆମ ରାଜ୍ୟ ସରକାରଙ୍କ ପାଖରେ କଣ ଏମାନଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ ?

ତେବେ ଦେଖିବାର କଥା, ବଣ୍ଡା ଘାଟିର ଏ ମେଧାବୀ ଛାତ୍ରୀଙ୍କ ପାଇଁ ଆମ ସରକାର କି ବ୍ୟବସ୍ଥା କରୁଛନ୍ତି । ଏମାନଙ୍କ ସ୍ୱପ୍ନ ସାକାର ହେଉଛି ନା ମିକ୍ସଚର ମେଶିନରେ ବାଲି ସିମେଣ୍ଟ ଫେଣ୍ଟି ହେଲାପରି ୟାଙ୍କ ସ୍ୱପ୍ନ ସବୁ ବି ମିଳେଇଯାଉଛି ।