ଦବଙ୍ଗ ପୋଲିସ ଅଫିସର : ନାଁ ଶୁଣିବା ମାତ୍ରେ ଥରହର ମାଫିଆଙ୍କ ସହ ଅପରାଧୀ

ନାଁ ଯେମିତି କାମ ବି ସେମିତି । ବର୍ଦ୍ଦିରେ ଦେଖିବା ମାତ୍ରେ ଥରହର ମାଫିଆ । ଚୋରା ମଦଠୁ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସେ ମାଷ୍ଟର । ଉଲ୍ଲେଖନୀୟ କାମ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମିଳିଛି ପୁରସ୍କାର।

Nayagarh

ଲୁକ୍‌ ଯେମିତି...କାମ ବି ସେମିତି । ନାଁ ଶୁଣିବା ମାତ୍ରେ ଅପରାଧୀ ଥରହର । ରାତି ହେଉ କି ଦିନ...ଫୋନ୍ ପାଇବା ମାତ୍ରେ ପହଞ୍ଚନ୍ତି । ଅପରାଧୀଙ୍କୁ ପାନେ ଦିଅନ୍ତି । ଉଲ୍ଲେଖନୀୟ କାର୍ଯ୍ୟ ଏବଂ ନିଷ୍ଠାପର କର୍ତ୍ତବ୍ୟ ପାଇଁ ମିଳିଛି ଶ୍ରେଷ୍ଠ ସବ-ଇନ୍ସପେକ୍ଟର ଆୱାର୍ଡ l ଯାହା ପାଇଁ ପୂରା ରାଜ୍ୟରେ ତାଙ୍କୁ ନେଇ ବଢୁଛି ଚର୍ଚ୍ଚା ।

ଦବଙ୍ଗ ପୋଲିସ ଅଫିସର l ନାଁ ଶୁଣିଲେ ଡ଼ରୁଛନ୍ତି ମାଫିଆ l ବ୍ରାଉନ ସୁଗାର, ବେଆଇନ ମଦ ଓ ଗଂଜେଇ କାରବାର ଆଦି ରୋକିବାରେ ସେ ମାଷ୍ଟର l ଏପରିକି ବଡ଼ବଡ଼ କ୍ରାଇମର ତଦନ୍ତରେ ସହଯୋଗ ପାଇଁ ତାଙ୍କୁ ମିଳେ ସ୍ୱତନ୍ତ୍ର ଦାୟିତ୍ୱ । ନୟାଗଡର ସେହି ଦବଙ୍ଗ ପୋଲିସ ଅଫିସର ହେଉଛନ୍ତି ସ୍ମୃତି ରଞ୍ଜନ ମହାନ୍ତି l ବର୍ତ୍ତମାନ ନୟାଗଡ଼ ସଦର ଥାନାରେ ସବ ଇନସ୍ପେକ୍ଟର ଭାବେ ସେ କାର୍ଯ୍ୟରତ l

ଜଗତସିଂହପୁର ଜିଲ୍ଲା ଅଣିଅଙ୍କ ଥାନା ବାଲିକୁଦା ଗାଁରେ ସ୍ମୃତିଙ୍କ ଘର l ପିଲାଟି ଦିନରୁ ପୋଲିସ ବିଭାଗରେ ଚାକିରି କରିବାକୁ ତାଙ୍କର ପ୍ରବଳ ଇଚ୍ଛାଥିଲା । ସେଇଥି ପାଇଁ ତ ପିଲାବେଳୁ ସେ କରୁଥିଲେ କସରତ । ପରେ ଯାଜପୁର ବରୀଠାରେ ପୋଲିସ ଟ୍ରେନିଂ ନେବା ପରେ ୨୦୧୭ ମସିହାରେ ସବଇନ୍ସପେକ୍ଟର ଭାବରେ ଚାକିରି ଆରମ୍ଭ କରିଥିଲେ । ୨୦୧୭ରୁ ୨୦୨୩...ନୟାଗଡରେ କାର୍ଯ୍ୟରତ ଅଛନ୍ତି ସ୍ମୃତି । ପ୍ରଥମେ ନୟାଗଡ ଟାଉନରୁ ସେ କାମ ଆରମ୍ଭ କରିଥିଲେ । ପରେ ୨୦୨୧ ଡିସେମ୍ବର ମାସରୁ ସ୍ପେଶାଲ ସ୍ୱ୍କାର୍ଡର ଇନଚାର୍ଜ ଭାବେ ତାଙ୍କୁ ତତ୍କାଳୀନ SP ଦାୟିତ୍ୱ ଦେଇଥିଲେ l

ଏସପିଙ୍କଠାରୁ ଗୁରୁଦାୟିତ୍ୱ ପାଇବା ପରେ ବ୍ରାଉନ ସୁଗାର, ଗଞ୍ଜେଇ, ବେଆଇନ ମଦ ବ୍ୟବସାୟ,ଚୋରି, ଡକାୟତି ରୋକିବା ପାଇଁ ସେ ଶପଥ ନେଇଥିଲେ । ଖାଲି ଶପଥ ନେଇଥିଲେ ତାହା ନୁହେଁ ବରଂ କାମ କରି ଦେଖାଇଥିଲେ । ଏମିତିକି ସ୍ମୃତିଙ୍କ କାମ ପାଇଁ ତାଙ୍କୁ ୨୦୨୨ ମସିହାରେ ଶ୍ରେଷ୍ଠ ସବ ଇନ୍ସପେକ୍ଟର ଆୱାର୍ଡ ନୟାଗଡ଼ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି l

ଅନେକ ସମୟରେ ଆମେ ଦେଖିଛନ୍ତି ପୋଲିସ ବାବୁମାନେ ନିଜ ଦାୟିତ୍ୱକୁ ଠିକ୍‌ରେ କରିପାରୁନାହାନ୍ତି । ଏନେଇ ଗଣମାଧ୍ୟମରେ ଖବର ବି ପ୍ରକାଶିତ ହୋଇଛି । ହେଲେ ସ୍ମୃତି ଏମିତି ଜଣେ ପୋଲିସ ଅଫିସର ଯିଏ କି ନିଜ ଜୀବନକୁ ବାଜିରେ ଲଗାଇ ସହରବାସୀକୁ ଦେଉଛନ୍ତି ସୁରକ୍ଷା । ସତରେ ଏମିତି ପୋଲିସ ଅଫିସର ଥିଲେ ନିଶ୍ଚୟ ସୁରକ୍ଷିତ ରହିବ ସହର...ସୁରକ୍ଷିତ ରହିବେ ଲୋକେ ।