ଓଡ଼ିଶାରୁ ଗୋଚାଲାଣରେ ପୋଲିସ କର୍ମଚାରୀଙ୍କ ଲିଙ୍କ୍ : ଦଲାଲଙ୍କ ସହ ଡିଲ୍ କରି ମୋଟା ଅଙ୍କର ଟଙ୍କା ନେଉଛନ୍ତି !

ଗୋରୁ ଚାଲାଣରେ ପୋଲିସ୍‌ର ବି ହାତ ? ମୋଟା ଅଙ୍କର ଟଙ୍କା ନେଇ ଦଲାଲକୁ ସହଯୋଗ କରୁଛନ୍ତି ପୋଲିସ୍‌ ଅଧିକାରୀ ।

୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସପି

ଓଡ଼ିଶାରୁ ଗୋରୁ ଚାଲାଣ ଅଭିଯୋଗ ମାମଲାରେ ପୋଲିସ କର୍ମଚାରୀଙ୍କ ଲିଙ୍କ୍ । ଦଲାଲଙ୍କ ସହ ଡିଲ୍ କରିବା ସହ ଓଡ଼ିଶାରୁ ଗୋରୁ ଚାଲାଣ ପାଇଁ ମୋଟା ଅଙ୍କର ଟଙ୍କା ବି ନେଉଛନ୍ତି। ଏଭଳି ଏକ ଅଡ଼ିଓ ଭାଇରାଲ୍ ପରେ ମୟୁରଭଞ୍ଜ ଏସପି ଝାଡ଼ପୋଖରିଆ ଥାନାର ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ଏଏସ ଆଇ ଏବଂ ଜଣେ କନେଷ୍ଟବଳ ଥିବା ଜଣାପଡ଼ିଛି । ଏଏସଆଇ ସ୍ମୃତି ରଂଜନ ସ୍ୱାଇଁ, ଚନ୍ଦନ ସିଂ ଏବଂ କନେଷ୍ଟବଳ ଦୀପକ କୁମାର ପାଲବାବୁଙ୍କୁ ନିଲମ୍ବନ କରିଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ ନିଳମ୍ବିତ ହୋଇଥିବା ନେଇ ମୟୁରଭଞ୍ଜ ଜିଲ୍ଲା ଆଡିସନାଲ ଏସିପି ସୁଚନା ଦେଇଛନ୍ତି ।

ସୂଚନା ଅନୁସାରେ, ନିଳମ୍ବିତ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ ଏଏସ୍ଆଇ ଗତ କିଛି ଦିନ ତଳେ ଏକ ଗୋରୁ ବେପାରୀଙ୍କ ସହ ଗୋରୁ ଚାଲାଣ ନେଇ ଡିଲ୍ କରୁଥିବାର ଅଡିଓ ଭାଇରାଲ ହୋଇଥିଲା । ଅଡିଓରେ ସଂପୃକ୍ତ ଏଏସ୍ଆଇ ଜଣଙ୍କ ଓଡ଼ିଶା ସୀମା ପାର କରାଇ ଦେବା ପାଇଁ ମୋଟା ଅଙ୍କର ଟଙ୍କା ପାଇଁ ଡିଲ କରିଥିଲେ । ଏହି ଅର୍ଥ ସମୁଦାୟ ୬ ଜଣ ଅଧିକାରୀଙ୍କ ମଧ୍ୟରେ  ଭାଗବଣ୍ଟା ହେବ । ଏହାପରେ ଗାଡ଼ି ସୁରଖୁରରେ ସୀମା କରି ପଳାଇ ଯାଇ ପାରିବ ବୋଲି ପୁଲିସ୍‌ ବାବୁଜଣକ ଦଲାଲଙ୍କୁ କହୁଥିବା ଶୁଣିବାକୁ ମିଳୁଛି ।

ଏହି ଘଟଣା ପରେ ମୟୁରଭଞ୍ଜ ଏସପି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରିପୋର୍ଟ ଆସିବା ପରେ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।  ୨ ଏଏସ୍ଆଇ ଏବଂ ଜଣେ କନେଷ୍ଟବଳଙ୍କୁ ଏସପି ନିଲମ୍ବନ କରିଛନ୍ତି । ୩ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଭାଇରାଲ ଅଡିଓରେ କୁହାଯାଇଥିବା ଅନ୍ୟ ଅଧିକାରୀଙ୍କ ବିରୋଧରେ ବି ଯାଞ୍ଚ ହେବ ।