ବୃକ୍ଷରୋପଣ ନାଁରେ ଟଙ୍କା ହେରଫେର ଅଭିଯୋଗ : କାମ କରିନଥିବା କିଛି ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ଜମା ପରେ ଉଠାଣ

ଝାରସୁଗୁଡ଼ା ଜିଲ୍ଲା ବାଗଡିହି ଫରେଷ୍ଟ ରେଂଜ ଅଧୀନ ତାଲମୁଣ୍ଡା ଗାଁରେ ଭିଏସ୍ଏସ୍ ଆନୁକୂଲ୍ୟରେ ହୋଇଥିବା ବୃକ୍ଷରୋପଣରେ ଟଙ୍କା ହେରଫେର ଅଭିଯୋଗ ।

ଶ୍ରମିକ କାମ କରିନାହାନ୍ତି, କିନ୍ତୁ ସେମାନଙ୍କ ପାସବୁକରେ ଟଙ୍କା ଜମା କରି ଉଠାଣ ହୋଇଛି

News Summary

ଭିଏସଏସ୍ କମିଟି ସଭାପତି ଓ ସଭ୍ୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ଆରଟିଆଇରୁ ତଥ୍ୟ ମଗାଯିବା ପରେ ସାମ୍ନାକୁ ଆସିଛି ସତ

ଲଇକେରା(ଦେବେନ୍ଦ୍ର ବେହେରା) : ଝାରସୁଗୁଡ଼ା ଜିଲ୍ଲା ବାଗଡିହି ଫରେଷ୍ଟ ରେଂଜ ଅଧୀନ ତାଲମୁଣ୍ଡା ଗାଁରେ ଭିଏସ୍ଏସ୍ ଆନୁକୂଲ୍ୟରେ ହୋଇଥିବା ବୃକ୍ଷରୋପଣରେ ଟଙ୍କା ହେରଫେର ଅଭିଯୋଗ । ୨୦୨୦-୨୧ ବର୍ଷ ୫ହେକ୍ଟର ଜଙ୍ଗଲ ଜମିରେ ୧୨ ହଜାର ୫ ଶହ ଚାରା ରୋପଣ ପାଇଁ ଅନୁଦାନ ଆସିଥିଲା । ହେଲେ କାମ କରିନଥିବା କିଛି ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ଜମା କରି ଉଠାଣ କରାଯାଇଛି । ଭିଏସଏସ୍ କମିଟି ସଭାପତି ଓ ସଭ୍ୟଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଆରଟିଆଇରୁ ତଥ୍ୟ ମଗାଯିବା ପରେ ସାମ୍ନାକୁ ଆସିଛି ସତ ।

ଶ୍ରମିକ କାମ କରିନାହାନ୍ତି, କିନ୍ତୁ ସେମାନଙ୍କ ପାସବୁକରେ ଟଙ୍କା ଜମା କରି ଉଠାଣ ହୋଇଛି । ଜଣେ କି ଦୁଇ ଜଣ ନୁହେଁ, ଏଭଳି ୨୦ରୁ ଅଧିକ ଶ୍ରମିକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ଆଣିଛନ୍ତି ଶ୍ରମିକ । ଝାରସୁଗୁଡ଼ା ବାଗଡିହି ଫରେଷ୍ଟ ରେଂଜ ଅଧୀନ ତାଲମୁଣ୍ଡା ବନ ସୁରକ୍ଷା ସମିତି ସଭାପତି ଓ ସଭ୍ୟଙ୍କ ବିରୋଧରେ ଆସିଛି ଏମିତି ଅଭିଯୋଗ । ବୃକ୍ଷରୋପଣ ଗର୍ତ୍ତ ଖନନ କାମ କରାଯାଇଥିବା ବେଳେ ଶ୍ରମିକ କାମ ନକରି ତାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବା ଏବଂ ଚଞ୍ଚକତା କରି ଉଠାଇ ନିଆଯିବା ଘଟଣା ସାମ୍ନାକୁ ଆସିଥିଲା ଆରଟିଆଇରୁ ମଗାଯାଇଥିବା ରିପୋର୍ଟରୁ । ଏନେଇ ତାଲମୁଣ୍ଡା ଗ୍ରାମବାସୀ ଫରେଷ୍ଟର, ରେଂଜର, ଡିଏଫ୍ଓ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

ଚାରା ରୋପଣ ଓ ଗାତ ଖୋଳା ପାଇଁ ଆସିଥିବା ଅନୁଦାନ ଟଙ୍କା ହେରଫେର ସମ୍ପର୍କରେ ଭିଏସଏସ୍ କମିଟି ସଭାପତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ରେଂଜର କହିଛନ୍ତି, ଅଭିଯୋଗ ପରେ ତଦନ୍ତ ଚାଲିଛି । ବୃକ୍ଷରୋପଣ ପାଇଁ ଆସିଥିବା ଚାରା ଏବେ ବି ଏଣେ ତେଣେ ପଡିଥିବା ଦେଖିବାକୁ ମିଳିଛି । ଉପଯୁକ୍ତ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ଶ୍ରମିକ ଓ ଗ୍ରାମବାସୀ ।