Advertisment

ଏ ଯୁଗର ସାବିତ୍ରୀ : ସାତ ଦିନରେ ମରଣମୁହଁରୁ ସ୍ୱାମୀଙ୍କୁ ଆଣିଲେ ଫେରାଇ

ଜଣେ ସ୍ତ୍ରୀର ବିଶ୍ୱାସ ଓ ନିରୋଳା ଭଲପାଇବା ଆଗରେ ହାର ମାନିଛନ୍ତି ମାଓବାଦୀ । ଅପହରଣ କରି ନେବାର ଦୀର୍ଘ ୭ ଦିନ ପରେ ଇଞ୍ଜିନିୟରଙ୍କୁ ମୁକ୍ତ କରିଛନ୍ତି

ଅଦ୍ୟତନ ହୋଇଛି
Sabitri

Sabitri

Advertisment

ବିଜାପୁର : ଯମ ଦ୍ୱାରରୁ ସ୍ୱାମୀକୁ ଛଡ଼ାଇ ଆଣିଲେ ସ୍ତ୍ରୀ । ଜୀବନ ଓ ମୃତ୍ୟୁର ମଝିରେ ଝୁଲୁଥିଲା ସିନ୍ଦୂରର ଭବିଷ୍ୟତ । ଘଞ୍ଚ ଜଙ୍ଗଲ ଭିତରେ ତଥା ରକ୍ତମୁଖା ମାଓବାଦୀଙ୍କ ସାମ୍ନାରେ ଢ଼ାଲ ହୋଇ ଛିଡ଼ା ହୋଇଗଲେ । ଲାଲବାହିନୀର ବର୍ବରତାକୁ ଖାତିର ନକରି ନିଘଞ୍ଚ ଜଙ୍ଗଲରେ ପ୍ରବେଶ କରିଥିଲେ ଅର୍ପିତା ଲାକ୍ରା । ଆଖିର ଲୁହକୁ ଛାତିରେ ଚାପି ଧରି ସ୍ୱାମୀଙ୍କ ମୁକ୍ତି ପାଇଁ ଘୁରି ବୁଲୁଥିଲେ ସେ । ଆଉ ଏବେ ସେ ଇଞ୍ଜିନୟର ସ୍ୱାମୀକୁ ନୂଆ ଜୀବନ ଦେବା ସହ ଏ ଯୁବଗର ସାବିତ୍ରୀ ସାଜିଛନ୍ତି । ମାଓବାଦୀଙ୍କ କବଳରୁ ୭ ଦିନ ପରେ ସ୍ୱାମୀଙ୍କୁ ଫେରାଇ ଆଣିଛନ୍ତି ।

Advertisment

ଦେଖନ୍ତୁ ଏହି ଦୃଶ୍ୟକୁ ସ୍ୱାମୀଙ୍କୁ ସକୁଶଳ ଦେଖିବା ପରେ କିପରି ଅର୍ପିତା ଲାକ୍ରାଙ୍କ ଆଖିରୁ ଝରି ପଡ଼ୁଛି ଆନନ୍ଦର ଅଶ୍ରୁ । ଆଜି ଯେପରି ତାଙ୍କୁ କୋଟି ନିଧି ମିଳିଯାଇଛି । ନୂଆ ଜୀବନ ମିଳିଛି । ସ୍ୱାମୀଙ୍କୁ ପାଖରେ ପାଇଁ ବିଶ୍ୱାସ ହେଉନି । ସ୍ୱାମୀଙ୍କୁ କୁଣ୍ଢେଇ ଧରି ମନ ଭରି କାନ୍ଦୁଛନ୍ତି ସେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ଏ ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଉଛି ।

ଜଣେ ସ୍ତ୍ରୀର ବିଶ୍ୱାସ ଓ ନିରୋଳା ଭଲପାଇବା ଆଗରେ ହାର ମାନିଛନ୍ତି ମାଓବାଦୀ । ଅପହରଣ କରି ନେବାର ଦୀର୍ଘ ୭ ଦିନ ପରେ ଇଞ୍ଜିନିୟରଙ୍କୁ ମୁକ୍ତ କରିଛନ୍ତି । ଏହା କେବଳ ତାଙ୍କ ପତ୍ନୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ସମ୍ଭବ ହୋଇପାରିଛି । ପୁରାଣ ଯୁଗରେ ମୃତ ସତ୍ୟବାନଙ୍କୁ ଯମ କବଳରୁ ଜୀବନ୍ତ ଉଦ୍ଧାର କଲା ପରି ଆଜି ସେ ଲାଲବାହିନୀଙ୍କୁ ଜିତିଛନ୍ତି ।

Advertisment

୭ ଦିନ ପୂର୍ବରୁ ସୀମାନ୍ତ ବିଜାପୁର ଜିଲ୍ଲା ମନକେଲି ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ତଦାରଖ କରିବାକୁ ଯାଇଥିଲେ ଇଞ୍ଜିନିୟର ଅଜୟ ରୋଷନ ଲାକ୍ରା ଓ ଜଣେ କର୍ମଚାରୀ ଲକ୍ଷ୍ମଣ ପତ୍ରଗିରି । ହେଲେ ଇଞ୍ଜିନିୟରଙ୍କୁ ଠିକାଦାର ଭାରି ପ୍ରାୟ ୨୫ରୁ ୩୦ ଜଣ ମାଓବାଦୀ ଉଭୟଙ୍କୁ ଅପହରଣ କରି ନେଇଥିଲେ । ପରେ ଲକ୍ଷ୍ମଣଙ୍କୁ ଛାଡି ଦେଇଥିବା ବେଳେ ଇଞ୍ଜିନିୟରଙ୍କୁ ପ୍ରଜାକୋର୍ଟରେ ବନ୍ଦ କରି ରଖିଥିଲେ ।

ସ୍ୱାମୀଙ୍କ ଅପହରଣ ସମ୍ପର୍କରେ ଜାଣିବା ପରେ ସ୍ତ୍ରୀ ଅର୍ପିତା ଲାକ୍ରାଙ୍କ ମନ ବ୍ୟାକୁଳ ହୋଇ ଉଠିଲା । କାରଣ ଲାଲବାହିନୀ କବଳରୁ ଜୀବନ ଧରି ଫେରିବା ଅସମ୍ଭବ ବୋଲି ସେ ଜାଣିଥିଲେ । ହେଲେ ସିନ୍ଦୂରର ଭବିଷ୍ୟତ ପାଇଁ ସେ ମନକୁ ଟାଣ କରି ବାହାରି ଯାଇଥିଲେ । କାଖରେ ୩ ବର୍ଷର ଶିଶୁପୁତ୍ରକୁ କାଖେଇ ବିଭିନ୍ନ ଘଞ୍ଚ ଜଙ୍ଗଲ ପାହାଡ ରାସ୍ତାରେ ସ୍ୱାମୀଙ୍କୁ ଖୋଜିଥିଲେ। ଏହା ଗଣମାଧ୍ୟମ ପ୍ରତିନିଧି ଜାଣିବା ପରେ ସେମାନେ ମଧ୍ୟ ଇଞ୍ଜିନିୟରଙ୍କୁ ମୁକ୍ତ କରିବା ପାଇଁ ମାଓବାଦୀଙ୍କୁ ଅନୁରୋଧ କରିଥିଲେ। ଶେଷରେ ଆଜି ଅର୍ପିତାଙ୍କ ବିଶ୍ୱାସର, ଭଲପାଇବାର, ପ୍ରେମର ବିଜୟ ହୋଇଛି । ମାଓବାଦୀଙ୍କ କବଳରୁ ସ୍ୱାମୀଙ୍କୁ ମୁକୁଳାଇ ଆଣିଛି ଏ ଯୁଗର ସାବିତ୍ରୀ ।

Advertisment
Odisha Malkangiri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ