Man son die after being hit by lightning in the middle of Chilika lake
ଚିଲିକାକୁ ମାଛ ମାରିବାକୁ ଯାଇଥିଲେ ବାପା,ପୁଅ। ହଠାତ୍ ମାଡ଼ି ଆସିଲା ବର୍ଷା, ପବନ। ଆଉ ଚିଲିକା ମଝିରେ ବଜ୍ରପାତ ହେବାରୁ ଚାଲିଗଲା ବାପା,ପୁଅଙ୍କ ଜୀବନ। ହେଲେ ଘରକୁ ଲୋକଙ୍କୁ କିଛିବି ଜଣାନଥିଲା। ବାପା, ପୁଅଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ ପରିବାର ଲୋକ। ମୃତକ ହେଲେ- ବାଲୁଗାଁ ସନ୍ୟାସୀ ନଗରର ବିଧାନ ବିଶ୍ୱାସ ଓ ତାଙ୍କ ପୁଅ ଉତ୍ତମ ବିଶ୍ୱାସ। କଳିଯୁଗେଶ୍ୱର ପାହାଡ଼ ନିକଟ ମଝି ଚିଲିକାରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି।
ଗତକାଲି ସନ୍ଧ୍ୟାରେ ମାଛ ଧରିବାକୁ ଯାଇ ବିଧାନ ଓ ଉତ୍ତମ ଘରକୁ ଫେରି ନଥିଲେ। ଆଜି ଖୋଜାଖୋଜି ପରେ ଚିଲିକାରେ ଡଙ୍ଗା ଉପରେ ମୃତଦେହ ପଡ଼ିଥିବା ବେଳେ ଡଙ୍ଗା ଭାସୁଥିଲା। ସୂଚନା ଅନୁସାରେ, ବିଧାନ ଓ ଉତ୍ତମ ଉଭୟ ବାପା, ପୁଅ ଚିଲିକାକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ବର୍ଷା, ପବନ ହୋଇଥିଲା। ଫଳରେ ଚିଲିକା ମଝିରେ ସେମାନେ ଫସି ଯାଇଥିଲେ।
ବଜ୍ରପାତ ହେବାରୁ ବିଧାନ ଓ ଉତ୍ତମଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଅନ୍ୟ ନାଉରିଆ ଡଙ୍ଗା ଉପରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଗୋଟିଏପଟେ ପରିବାର ଉପରେ ଦୁଃଖ ମାଡ଼ି ବସିଥିବା ବେଳେ ଅନ୍ୟପଟେ ଠିକ୍ ସେହି ସମୟରେ ଉତ୍ତମଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା। କାଲି ରାତିରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ଉତ୍ତମଙ୍କ ପତ୍ନୀ ଶ୍ୟାମଳୀ।
ଖୁସି ଖବର ଶୁଣାଇବା ପାଇଁ ସ୍ତ୍ରୀ ଶ୍ୟାମଳୀ ବାରମ୍ବାର ଫୋନ କରୁଥିଲେ ବି ଫୋନ୍ ଉଠାଇବାକୁ କେହି ନଥିଲେ। ଦୁଃଖଦ କଥା, ଝିଅ ଏବଂ ନାତୁଣୀ ମୁହଁ ଦେଖିବା ପୂର୍ବରୁ ଚାଲିଗଲା ବାପା, ପୁଅଙ୍କ ଜୀବନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1690790025.jpg)