ରାସ୍ତା ଗୋଟେ, କାମ ହେଇଛି ଆଉ ଗୋଟେ; ଅଧପନ୍ତରିଆ ରାସ୍ତା ଛାଡ଼ି ଠିକାଦାର ପାର୍

ଦୀପ ତଳ ଅନ୍ଧାର । ଅଧାପନ୍ତରିଆ ରାସ୍ତା ଛାଡ଼ି ପାର୍ ଠିକାଦାର । ଜୟପୁର ବ୍ଲକ କୁସୁମପୁଟ ଓ ଜଗନ୍ନାଥପୁର ଗାଁ ରାସ୍ତା ରାସ୍ତା ନୁହେଁ ତ ମରଣଯନ୍ତା ।

Rural road

ଗାଁ ଗହଳିର ଲୋକଙ୍କୁ ଭଲ ରାସ୍ତା ଖଣ୍ଡେ ଯୋଗାଇବାକୁ ସରକାରଙ୍କ ସୂଦୁରପ୍ରସାରୀ ଲକ୍ଷ୍ୟ-ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ହେଲେ କେମିତି ଏ ଯୋଜନାରେ ଚାଲିଛି ହରିଲୁଟ୍, ଯାହାର ଚାକ୍ଷୁସ ପ୍ରମାଣ ଧରାପଡ଼ିଛି କୋରାପୁଟ ଜିଲ୍ଲା ଜୟପୁରରେ । ରାସ୍ତାର ନାଁ ଗୋଟେ ତ କାର୍ଯ୍ୟାଦେଶ ଫଳକରେ କିନ୍ତୁ ଲେଖା ଆଉଗୋଟେ । ବ୍ୟୟ ଅଟକଳ ଯାହା ବାସ୍ତବ କାମ କିନ୍ତୁ ବଖାଣୁଛି ପୁରା ଅଲଗା ।

ଦୀପ ତଳ ଅନ୍ଧାର । ଅଧାପନ୍ତରିଆ ରାସ୍ତା ଛାଡ଼ି ପାର୍ ଠିକାଦାର । ଜୟପୁର ବ୍ଲକ କୁସୁମପୁଟ ଓ ଜଗନ୍ନାଥପୁର ଗାଁ ରାସ୍ତା ରାସ୍ତା ନୁହେଁ ତ ମରଣଯନ୍ତା । ରାସ୍ତାରେ କେଉଁଠି କଚା ମାଟି ତ କେଉଁଠି ଗେଟି ଟିକିଏ । ଅନ୍ୟମନସ୍କ ହେଲେ ଦୁର୍ଘଟଣା ନିଶ୍ଚିତ । ବଡ଼ କଥା ହେଲା ଏନଏଚ୍ ୨୬ କଡ଼ରୁ ୫ କିଲୋମିଟର ବିଶିଷ୍ଟ ଏହି ରାସ୍ତାକୁ କିନ୍ତୁ ମାତ୍ର ୧ କିଲୋମିଟର ୯୫୦ ମିଟର ଦର୍ଶାଇ ଫଳକ ମାରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ଯେଉଁଥିରେ ପ୍ରକଳ୍ପ ବ୍ୟୟ ଅଟକଳ ରହିଥିଲା ୧କୋଟି ୬ଲକ୍ଷ ୬୮ ହଜାର ଟଙ୍କା । ହେଲେ ମାତ୍ର ୫ଶହ ମିଟର ଅଧାପନ୍ତରିଆ କାମ କରି ଦ୍ୱାୟିତ୍ୱରେ ଥିବା SNS INFRACON ନାମକ ଘରୋଇ ଠିକା ସଂସ୍ଥା ଉଭାନ୍ । ଆହୁରି ରୋଚକ କଥା ହେଲା, ଫଳକରେ ରାସ୍ତାର ନାଁ କିନ୍ତୁ ଦର୍ଶାଯାଇଛି କଟା ଜଙ୍କସନ୍ । ଯାହାକି ଜୟପୁରଠାରୁ ୧୨ କିଲୋମିଟର ଦୂରରେ ଅଛି ଏବଂ ଜୟପୁର-ଗୁପ୍ତେଶ୍ୱର ରାସ୍ତା ମଝିରେ ପଡ଼େ ।

ଏଣେ ମରଣଯନ୍ତା ସମ ରାସ୍ତାରେ ଦୀର୍ଘବର୍ଷ ହେଲା କଲବଲ ହେଉଥିବା କୁସୁମପୁଟ ଓ ଜଗନ୍ନାଥପୁର ଗାଁ । ଲୋକଙ୍କ ରାଗ ବି ମୁଣ୍ଡକୁ ଚଢ଼ିଲାଣି । ଭୋଟ୍ ବେଳେ ପ୍ରତିଶୃତି ପରେ ପ୍ରତିଶ୍ରୁତି ଓଜାଡ଼ି ପକାଉଥିବା ନେତାଙ୍କୁ ଏଥର ପାନେ ଦେବାକୁ ମନ ବଳାଇଲେଣି । ତେବେ ସୂଚନା ଫଳକରେ ତାଙ୍କ ଗାଁ ରାସ୍ତାର ନାଁ ୧୦ କିଲୋମିଟର ଦୂରରେ ଥିବା କଟା-ଜଙ୍କସନ୍ ବୋଲି ଲେଖାଥିବାରୁ ଏହା ପଛରେ ବଡ଼ ଧରଣର ହରିଲୁଟ୍ ହୋଇଥିବା ସନ୍ଦେହ କରୁଛନ୍ତି ।

 

ଗାଁ ଲୋକଙ୍କ ସନ୍ଦେହ ହେବା ପରେ ଓଟିଭି ପ୍ରତିନିଧି ବି ସତ କଣ ଅନୁସନ୍ଧାନ ପାଇଁ ବାଇକ୍ ଯୋଗେଁ କୁସୁମପୁଟ ଛକରୁ କୋଟା ଜଙ୍କସନ ଯାଇଥିଲେ । ୧୦ କିଲୋମିଟରରୁ ଅଧିକ ଲମ୍ବର ରାସ୍ତାକୁ କେମିତି ୧ କିଲୋମିଟର ୯୫୦ ମିଟର ଲେଖାଯାଇଛି ବୋଲି ଜାଣିବାକୁ ଚାହିଁଥିଲେ । କଟା-ଜଙ୍କସନ ରାସ୍ତା ଜାତୀୟ ରାଜପଥରେ ଥିବାବେଳେ କେମିତି ଗ୍ରାମ୍ୟ ଉନ୍ନୟନ ବିଭାଗ କାମ ହାତକୁ ନେଲା ?

ପ୍ରକୃତ କଥା ଜାଣିବାକୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିଥିଲେ । ହେଲେ ସେ ସବୁ ତଥ୍ୟ ଠିକା ସଂସ୍ଥା ଏନବିସିସି ପାଖରେ ଥିବା କହି ଦୋଷ ଠେଲିଦେଇଥିଲେ । ପରେ କୋରାପୁଟ ସ୍ଥିତ ଏନବିସିସି ଅନ୍ତର୍ଗତ SNS INFRACON ଠିକା ସଂସ୍ଥା ଅଫିସ୍‌କୁ ଯାଇ ଆଲୋଚନା କରିବାବେଳେ ଦାୟିତ୍ୱରେ ଥିବା ମ୍ୟାନେଜର କ୍ୟାମେରା ଦେଖି ଗର ଗର ହୋଇଥିଲେ ଓ ଆରଡି ଡିପାର୍ଟମେଣ୍ଟ ଯାହା ଡିପିଆର ଦେଇଛି, ସେମିତି କରିଥିବା କହିଥିଲେ । ଏହାପରେ ସୁନାବେଡ଼ା ସ୍ଥିତ ଅଧୀକ୍ଷଣ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ବି ଚାହିଁଥିଲେ, ହେଲେ ତାହା ବି ସମ୍ଭବ ହୋଇନଥିଲା ।

(ରିପୋର୍ଟ- ଟି. ଗୌରୀଶଙ୍କର, ଜୟପୁର)