Advertisment

ଘରଠୁ ତାରକା ହୋଟେଲ୍, ଯୁଆଡେ ଦେଖିବ ପଖାଳ

ପଖାଳ ନଖାଇଲେ କୁଆଡେ ରାତିରେ ନିଦ ଆସେନି ମହାପ୍ରଭୁଙ୍କୁ।

Pakhala Prema

Pakhala Prema

Advertisment

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠ ନିସୃତ କାଳଜୟୀ ଗୀତ ବଖାଣେ, ପ୍ରତି ଓଡ଼ିଆଙ୍କ ପଖାଳ ପୀରତି କଥା। ଆଉ ଆଜି ଯେତେବେଳେ ଖୋଦ୍ ପଖାଳ ଦିବସ। ଆୟୋଜନ ବି ସେମିତି ହେବ ନା? ହୋଇଥିଲା ବି... କେଉଁଠି ମାଟି ହାଣ୍ଡି ପଖାଳ..., ତ ଆଉ କେଉଁଠି ପଖାଳରେ ଦହି, ପଞ୍ଚଫୁଟଣ-ଭୃସଙ୍ଗପତ୍ର ଛୁଙ୍କ, କଞ୍ଚାଲଙ୍କା, ତା ସାଙ୍ଗକୁ ଆମ୍ବକସି ଅଦାର ବାସ୍ନା। ଏ ଦୃଶ୍ୟ ସମ୍ବଲପୁର ଟାମ୍ପରକେଲାର। ଏଠି ମହେଶ୍ୱର ଯୁବକ ସଂଘ ପାଳିଛି ଗଣ-ପଖାଳ ଦିବସ। ଆଉ ଯିଏ ପଖାଳ ଖିଆ ଭିଡିଓ ୟୁଟ୍ୟୁବ୍‌ରେ ଛାଡ଼ି ଲକ୍ଷ ଲକ୍ଷ ଲୋକଙ୍କ ସହ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରଶଂସା ସାଉଁଟିଥିଲେ, ସମ୍ବଲପୁରର ସେଇ ଚର୍ଚ୍ଚିତ ୟୁଟ୍ୟୁବର ଇସାକ୍ ମୁଣ୍ଡା ବି ଆଜି ସଜନା ଶାଗ ଭଜା ଓ ଟମାଟୋ ଚଟଣି ସହ ପଖାଳ ଖାଇଛନ୍ତି।

Advertisment

ଘରେ ଘରେ ତ ପଖାଳର ଆସର ଜମିଥିଲା। ଭୁବନେଶ୍ୱର, କଟକ, ରାଉରକେଲା ସମେତ ରାଜ୍ୟର ସବୁ ସହରର ତାରକା ହୋଟେଲ୍ ବି ମଉକା ଛାଡ଼ି ନଥିଲେ। ସବୁଠି ସ୍ୱତନ୍ତ୍ର ଆୟୋଜନ ଗ୍ରାହକଙ୍କ ପଖାଳ କଂସା ଚାରିକଡ଼କୁ ବେଢିଥିଲା ଭଳିକି ଭଳି ସାଇଡ୍ ଆଇଟମ୍। ଯେମିତିକି ବଡ଼ି ଚୁରା, ଆଳୁ ଚଟଣୀ, ବାଇଗଣା ଭର୍ତ୍ତା, କଖାରୁ ଫୁଲ ଭଜା, ମାଛ ଭଜା, ଚୂନା ମାଛ ଓ ଚିପ୍ସ ଏମିତି କେତେ କଣ।

ରାଜନେତାଙ୍କ ମଧ୍ୟାହ୍ନ ଭୋଜନରେ ବି ଆଜି ସାମିଲ ହୋଇଛି ପଖାଳ କଂସା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଅନ୍ତୁ ଅବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବିଜେପି ବିଧାୟକ ମୋହନ ମାଝୀ, କଂଗ୍ରେସ ବିଧାୟକ ସୁର ରାଉତରାୟ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ପଖାଳ ଖାଇ ପାଳିଛନ୍ତି ଆଜିର ଦିବସ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପଖାଳ ଦିବସ ଶୁଭେଚ୍ଛା ଜଣାଇବା ସହ ପଖାଳ ଓ ତୋରାଣିର ସ୍ୱାଦ ଶ୍ରେଷ୍ଠ ଓ ବିରଳ ବୋଲି ଟୁଇଟ୍ କରିଛନ୍ତି।

Advertisment

ଖାଲି ଓଡ଼ିଆ ନୁହଁନ୍ତି, ପ୍ରତି ଓଡ଼ିଆଙ୍କ ପ୍ରାଣ, ବ୍ୟଞ୍ଜନପ୍ରିୟ କାଳିଆ ଠାକୁର ବି ଭାରି ପଖାଳ ଲୋଭୀ। ପଖାଳ ନଖାଇଲେ କୁଆଡେ ରାତିରେ ନିଦ ଆସେନି ମହାପ୍ରଭୁଙ୍କୁ। ଖାଲି ସେତିକି ନୁହେଁ, ଡାଏଟିସିଆନ୍ ବି କୁହନ୍ତି ଓଡ଼ିଆଙ୍କ ପଖାଳ ଓ ତୋରାଣି ଶରୀର ପାଇ ଭାରି ହିତକାରକ। ନିଦାଘର ପାରା ବଢ଼ିବା ସହ ପଖାଳ ଖିଆ ବି ବଢ଼ିବ। ହେଲେ ସମସ୍ତଙ୍କ ଅପେକ୍ଷା ରହିବ, ପୁଣି ଆସନ୍ତାବର୍ଷ ମାର୍ଚ୍ଚ ୨୦, ପଖାଳର ଦିନକୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ