ପାଣି ପାଇଁ ନାଟ: ‘ଗାଁକୁ ଆସିଲେ ଏଣିକି ଜୋତାମାଳ ସହ ମିଳିବ ଝାଡ଼ୁ ପାହାର’

କହି କହି କେହି ଶୁଣିଲେନି । ଏଣିକି ଯିଏ ଗାଁକୁ ଆସିବ ତାକୁ ଜୋତାମାଳ ସହିତ ଦିଆଯିବ ଝାଡୁ ପାହାର । କିଛି ଏମିତି କହୁଛନ୍ତି କେନ୍ଦ୍ରାପଡା ଆଳିର ମେଢ଼ପୁର ପଂଚାୟତର ୭ ନମ୍ବର ୱାର୍ଡ ଗାଁ ଲୋକେ ।

Water Problem

ପିଇବା ପାଣି ଲାଗି ବାରମ୍ବାର ଗୁହାରି ପରେ ବି କେହି ଶୁଣିଲେ । ତେଣୁ ଏଥର ଆଉ ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସିଧା ନେତାଙ୍କୁ ଶୁଣାଉଛନ୍ତି ଚରମବାଣୀ । ପିଇବା ପାଣି ଲାଗି ବଡ଼ ଦହଗଂଜ ହେଉଛନ୍ତି ଲୋକେ । ବୈଶାଖ ଯାଇ ଆଷାଢ ହେଲା କିନ୍ତୁ ଲୋକଙ୍କୁ ପିଇବା ପାଇଁ ମିଳିଲା ନାହିଁ ଟୋପାଏ ପାଣି । ପିଇବା ପାଇଁ ଲାଗି ପ୍ରଶାସକଙ୍କଠାରୁ ନେତାଙ୍କ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲେଣି ହେଲେ ପାଣି ମିଳିଲା ନାହିଁ । ତେଣୁ ଏବେ ଯିଏ ଭୋଟ୍‌ ମାଗିବାକୁ ଆସିବ ତାକୁ ଝାଡୁ ଧରି ପିଟିବା ସହିତ ଜୋତାମାଳ ପିନ୍ଧାଇବାକୁ ନିଷ୍ପତ୍ତି ନେଇଛନ୍ତି ଗାଁ ମହିଳାମାନେ ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ମେଢ଼ପୁର ପଂଚାୟତର ୭ ନମ୍ବର ୱାର୍ଡର ଦୃଶ୍ୟ । ପିଇବା ପାଣି ଟୋପାଏ ପାଇଁ ସକାଳ ହେବା ମାତ୍ରେ ଗାଁରେ ଥିବା ଏଇ ଗୋଟିଏ ନଳକୂଅ ସାମ୍ନାରେ ଲୋକଙ୍କର ପ୍ରବଳ ଗହଳି ଲାଗେ । କାରଣ ଏଇଠୁ ପାଣି ନେଲେ ରୋଷେଇ ହେବ, ପେଟକୁ ଦାନା ଯିବ । କିନ୍ତୁ ନଳକୂଅର ପରିବେଶ ଦେଖିଲେ ପାଣି ନେବେ କଣ ପାଖକୁ ଯିବାକୁ ଇଚ୍ଛା ହେବନି । କିନ୍ତୁ ଏମାନଙ୍କ ପାଖରେ ଉପାୟ ବି କିଛି ନାହିଁ । ତେଣୁ ବାଧ୍ୟ ହୋଇ ଗୋଳିଆ ପାଣି ଭିତରୁ ନେଉଛନ୍ତି ପିଇବା ପାଣି ।

ଜାଣି ଆଶ୍ଚର୍ଯ୍ୟ ହେବେ କି, ଗାଁରେ ତିନୋଟି ନଳକୂଅ ଥିଲା । ହେଲେ ସେଥି ମଧ୍ୟରୁ ୨ଟି ଅଚଳ ହେବା ପରେ ଏବେ ଏଇ ଗୋଟିଏ ମାତ୍ର ନଳକୂଅ ହିଁ ଗାଁ ଲୋକଙ୍କ ସାହାଭରସା । ତେଣୁ ଏହି ନଳକୂଅ ଆଗରେ ନିଇତି ଲୋକଙ୍କର ଲାଗୁଛି ଲମ୍ବା ଲାଇନ୍‌ ।

ସମସ୍ୟା ଏତିକିରେ ସରିନି ବରଂ ପ୍ରତି ୱାର୍ଡକୁ ପାଣି ଦେବାକୁ ପାଇପ୍‌ ସଂଯୋଗ କରାଯାଇଥିଲା । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଅର୍ଥାତ୍‌ ପାଇପ୍‌ ଲାଗିଗଲା ପାଣି ଦେବାକୁ ହେଲେ ପାଣି ଆସୁନାହିଁ । ପିଇବା ପାଣି ପାଇଁ ପ୍ରଶାସକଙ୍କଠାରୁ ଆରମ୍ଭ କରି ନେତାଙ୍କୁ ବାରମ୍ବାର ଭେଟି ଦାବି କରିବା ପରେ ମଧ୍ୟ କିଛି ଲାଭ ହେଲାନି । ତେଣୁ ଏବେ ରାଗରେ ଗାଁର ମହିଳାମାନେ କହୁଛନ୍ତି ଭୋଟ୍‌ ନେବାକୁ ଯିଏ ଆସିବ ତାକୁ ଜୋତାମାଳ ସହିତ ଛାଞ୍ଚୁଣିରେ ମାଡ ହେବ ।

ସେପଟେ ଗାଁରେ ଥିବା ପାନୀୟଜଳ ସମସ୍ୟା ସମ୍ପର୍କରେ ଆମେ ଆଳି ବିଡିଓଙ୍କୁ ଅବଗତ କରିଥିଲୁ । ଏମିତିକି କେବେ ପିଇବା ପାଣି ମିଳିବ ସେନେଇ ପ୍ରଶ୍ନ କରିଥିଲୁ । ଆଉ ବିଡିଓ କହିଛନ୍ତି, ଖୁବଶୀଘ୍ର ସମସ୍ୟାର ସମାଧାନ ହେବା ସହିତ କେମିତି ପାନୀୟ ଜଳ ମିଳିବ ସେନେଇ ବ୍ୟବସ୍ଥା କରାଯିବ ।