Locals socially boycotted family on suspicion of witch craft in Gajapati
ଅନ୍ଧ ବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରୁନି ମଣିଷ। ବିଜ୍ଞାନ ଯୁଗରେ ଏବେବି ଅନ୍ଧବିଶ୍ୱାସର ଅନେକ ଚିତ୍ର ସାମ୍ନାକୁ ଆସୁଛି। କେଉଁଠି ଚିକିତ୍ସା ପରିବର୍ତ୍ତେ ଝଡାଫୁଙ୍କାକୁ ଲୋକେ ଆପଣାଉଛନ୍ତି ତ ଆଉ କେଉଁଠି ଗୁଣି ଗାରେଡ଼ି ସନ୍ଦେହରେ ଲୋକଙ୍କୁ ବାସନ୍ଦ କରାଯାଉଛି। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯେଉଁଠି ଗାଁ ଛାଡ଼ି ସ୍କୁଲ୍ ରୋଷେଇ ଘରେ ଆଶ୍ରୟ ନେଇଛନ୍ତି ଗୋଟିଏ ପରିବାର। ଦିନେ କି ଦୁଇ ଦିନ ନୁହେଁ ଦେଢ଼ ବର୍ଷ ହେଲାଣି ନ୍ୟାୟ ମିଳୁନଥିବାକୁ ଏଭଳି ସ୍ଥିତିରେ କଟୁଛି ଜୀବନ। ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଗରଡ଼ମା ପଞ୍ଚାୟତ ଗମ୍ଭାରୀଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଗତ ୨୦୨୦ ମସିହାରେ ଗାଁର ଜଣେ ନାବାଳିକା ମାନସିକ ରୋଗରେ ପୀଡ଼ିତ ହୋଇଥିଲେ। ଏହାପରେ ଗ୍ରାମବାସୀ ଗାଁର ଭାସ୍କର ଦଳପତି ନାମକ ଜଣେ ବ୍ୟକ୍ତିଙ୍କୁ ଗୁଣିଗାରେଡ଼ି ସନ୍ଦେହ କରି ଦୋଷାରୋପ କରିଥିଲେ। ଏହାସହ ନାବାଳିକାର ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଭାସ୍କରଙ୍କୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଭାସ୍କର ୨୦ ହଜାର ଖର୍ଚ୍ଚ କରି ନାବାଳିକାର ଚିକିତ୍ସା କରାଇଥିଲେ। ଏହାପରଠୁ ଗାଁର ଯେକୌଣସି ଲୋକ ରୋଗରେ ଆକ୍ରାନ୍ତ ହେଲେ ଗ୍ରାମବାସୀ ଭାସ୍କରଙ୍କୁ ଦୋଷାରୋପ କରି ଜୀବନରୁ ମାରି ଦେବାକୁ ଧମକ ଦେବାରୁ ସେ ପରିବାର ସହ ଭୟରେ ଗାଁ ଛାଡ଼ିଥିବା କହିଛନ୍ତି।
ଏହାପରେ ସେ ପାଟୁମା ସ୍ଥିତ ସ୍କୁଲର ଏକ ରୋଷେଇ ଘରରେ ଆଶ୍ରୟ ନେଇଥିଲେ। ଏନେଇ ଭାସ୍କର ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଗତ ୨୦୨୧ ଜୁନ ୬ ତାରିଖରେ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇ ରାଜିନାମା କରି ଛାଡ଼ି ଥିଲା। ଏହାପରେ ଭାସ୍କର ନିଜ ପରିବାରକୁ ନେଇ ଗାଁକୁ ଫେରିଥିଲେ। ହେଲେ ଗାଁକୁ ଯିବା ପରେ ଗ୍ରାମବାସୀ ଭାସ୍କରଙ୍କ ପରିବାରକୁ ଗାଁରୁ ବାସନ୍ଦ କରିବା ସହ ନିଆଁ ପାଣି ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ଫଳରେ ଭାସ୍କର ଭୟରେ ଗାଁ ଛାଡି ପାଟୁମାରେ ଆଶ୍ରୟ ନେଇଛନ୍ତି। ଗାଁରେ ବୈଠକ କରାଇ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରାଯିବା ସହ ଭାସ୍କର କିଭଳି ଗାଁକୁ ଫେରିବେ ସେନେଇ ଚେଷ୍ଟା କରିବେ ବୋଲି ସରପଞ୍ଚ କହିଛନ୍ତି। ଖବର ଲେଖାଯିବା ସୁଦ୍ଧା ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665739352.jpg)