ଧ୍ୱଂସ ସ୍ତୂପ ପାଲଟିଲାଣି ଶିଖରଚଣ୍ଡୀ ପାହାଡ଼, ସବୁଜ ବନାନୀ ଏବେ ଟାଙ୍ଗରା ଭୂଇଁ

ବେଧଡ଼କ ଚାଲିଛି ଗଛକଟା, ପାହାଡ଼ ଫଟା । ନଷ୍ଟ ହୋଇଗଲାଣି ଅନେକ ଔଷଧୀୟ ବୃକ୍ଷ । ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା ।

Sikharchandi hill

ରାଜଧାନୀର ଛାତି ଉପରେ ଥିବା ଶିଖରଚଣ୍ଡୀ ପାହାଡ଼ରେ ନଷ୍ଟ ହୋଇଗଲାଣି ଅନେକ ଔଷଧୀୟ ବୃକ୍ଷ । ଉଜୁଡି ଗଲାଣି ବନ୍ୟଜନ୍ତୁଙ୍କ ବାସସ୍ଥଳ। ବେଧଡକ ଭାବେ ଗଛ କଟା ଚାଲିଛି, ପାହାଡ଼ ଫଟା ଚାଲିଛି । ସବୁଜ ବନାନୀ ଧୀରେ ଧୀରେ ଟାଙ୍ଗରା ପାଲଟି ଗଲାଣି। କିଏ କହୁଛି ପାଣିଟାଙ୍କି ହେବ । କିଏ କହୁଛି ସୌନ୍ଦର୍ଯ୍ୟକରଣ କରାଯିବ ? କାହାଠୁ ସ୍ପଷ୍ଟ ଉତ୍ତର ନପାଇ ସ୍ଥାନୀୟ ଗ୍ରାମବାସୀ ଏନଜିଟିଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ଗ୍ରୀନ ଟ୍ରିବ୍ୟୁନାଲରେ ହୋଇପାରେ ଶୁଣାଣି। ...

ଶିଖରଚଣ୍ଡୀ ପାହାଡ଼ ବା ହନୁମାନ ପାହାଡ଼ରେ ବୁଲଡୋଜର ସହାୟତାରେ ପଥର ଫଟାଇ ପାହାଡ଼ ସଫା କରାଯାଉଛି । କୁହାଯାଉଛି ଏକ ବିଶାଳ ପାଣି ଟାଙ୍କି ନିର୍ମାଣ କରାଯିବ । ସମଗ୍ର ଭୁବନେଶ୍ୱରକୁ ଏଠାରୁ ପାଣି ଯୋଗାଯିବ। ଏଭଳି ପ୍ରକଳ୍ପକୁ ଏବେ କରାଯାଉଛି ବିରୋଧ । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ଦ୍ୱାରସ୍ଥ ହୋଇଛନ୍ତି । ସ୍ଥାନୀୟ ୨୪ ଖଣ୍ଡ ମୌଜାର ଲୋକେ ଏହାକୁ ବିରୋଧ କରିଛନ୍ତି, କହିଛନ୍ତି ବିକାଶ ନାଁରେ ବିନାଶ କରାନଯାଉ ।

ପୂର୍ବଘାଟ ପର୍ବତମାଳାର ଅଂଶ ବିଶେଷ ଥିବା ଏହି ପାହାଡ଼ ଜୈବ ବିବିଧତାରେ ପରିପୂର୍ଣ୍ଣ । ବାଣୀବିହାର ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ୱାରା ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ, କେବଳ ଶିଖରଚଣ୍ଡୀ ପାହାଡରେ ୨ ଶହ ୨୦ପ୍ରକାରର ଔଷଧୀୟ ବୃକ୍ଷ ରହିଛି। ଅନେକ ଜୀବଜନ୍ତୁ ବି ରହିଛନ୍ତି । ପାହାଡ଼ ନଷ୍ଟ ସହ ଏସବୁ ଅବକ୍ଷୟ ହେଉଥିବା ଅଭିଯୋଗ ହୋଇଛି ।

ଦୀର୍ଘ ଏକ ମାସରୁ ଅଧିକ ଦିନ ହେଲା କାର୍ଯ୍ୟ ଚାଲିଛି । ଏପର୍ଯ୍ୟନ୍ତ ପାହାଡର ଅନେକ ଅଂଚଳ ସଫା କରିଦିଆଗଲାଣି । ବିନା ପଲ୍ଲୀସଭାରେ ଏପରି କାର୍ଯ୍ୟକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।