Advertisment

ମମିତା ମେହେର ନିଖୋଜ ଘଟଣା: ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଅଣ୍ଡାରେ ଗାଧୋଇ ଦେଲା କଂଗ୍ରେସ

ମମିତା ମେହେର ମାମଲାରେ ବଢ଼ିଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମହାଲିଙ୍ଗ ସନ୍ସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଆଜି ଧରା ପଡ଼ିବା ପୂର୍ବରୁ ଦୁଇ ଦିନ ତଳେ ପୋଲିସ୍ ବାରାକରୁ ଚଂପଟ୍ ମାରିବା ଓ ମନ୍ତ୍ରୀଙ୍କ ସହ ତାଙ୍କ ନିବିଡ଼ତା ପଦାକୁ ଆସିବା ପରେ କ୍ୟାପଟେନଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରିଛନ୍ତି ବିରୋଧୀ

ଅଦ୍ୟତନ ହୋଇଛି
Dibya Shankar Mishra

Dibya Shankar Mishra

Advertisment

ବଲାଙ୍ଗିର: ମମିତା ମେହେର ମାମଲାରେ ବଢ଼ିଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମହାଲିଙ୍ଗ ସନ୍ସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଆଜି ଧରା ପଡ଼ିବା ପୂର୍ବରୁ ଦୁଇ ଦିନ ତଳେ ପୋଲିସ୍ ବାରାକରୁ ଚଂପଟ୍ ମାରିବା ଓ ମନ୍ତ୍ରୀଙ୍କ ସହ ତାଙ୍କ ନିବିଡ଼ତା ପଦାକୁ ଆସିବା ପରେ କ୍ୟାପଟେନଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରିଛନ୍ତି ବିରୋଧୀ। ଏପରିକି ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼ କରିଛି ଛାତ୍ର କଂଗ୍ରେସ୍ । ବିଧାୟକ ସନ୍ତୋଷ ସିଂ ସାଲୁଜା ଗୋବିନ୍ଦଙ୍କୁ ଓଡ଼ିଶାର ରାମ୍ ରହିମ୍ ବୋଲି କହିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସେପଟେ ମହାଲିଙ୍ଗସ୍ଥିତ ସ୍କୁଲ୍ ଓ କଲେଜରେ ଚାଲିଥିବା ବହୁ କେଳେଙ୍କାରୀ ବି ସାମ୍ନାକୁ ଆସିବାରେ ଲାଗିଛି।

Advertisment

ଗୋବିନ୍ଦ ସାହୁ ଫେରାର ଓ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମରୁ ମୃତଦେହ ଉଦ୍ଧାର ପରେ ମନ୍ତ୍ରୀ ଦିବ୍ୟଶଙ୍କର ବିରୋଧରେ ଜୋରଦାର ପ୍ରତିବାଦ ହୋଇଛି। ରାସ୍ତାରେ କଂଗ୍ରେସ୍‌ର ହଲ୍ଲାବୋଲ୍ ବି ଦେଖିବାକୁ ମିଳିଛି। ଆଉ ମନ୍ତ୍ରୀଙ୍କ ସରକାରୀ କ୍ୱାର୍ଟର ଉପରେ ଆଜି ଅଣ୍ଡାମାଡ଼ କରିଛି ଛାତ୍ର କଂଗ୍ରେସ୍। ଫାଟକ ଆଗରେ ଜୋରଦାର୍ ବିକ୍ଷୋଭ କରିଛନ୍ତି ଦଳୀୟ କର୍ମୀ। ମାଷ୍ଟର କ୍ୟାଣ୍ଟିନ୍ ଛକରେ ବି ଜୋରଦାର ପ୍ରତିବାଦ କରିଛି ଦଳ। ମନ୍ତ୍ରୀଙ୍କ ଜିଲ୍ଲା କଳାହାଣ୍ଡିରେ ବି ପ୍ରତିବାଦର ନିଆଁ ଦେଖିବାକୁ ମିଳିଛି। ଭବାନୀପାଟଣା ଟାଉନ ଥାନା ଆଗରେ କଂଗ୍ରେସ କର୍ମୀ ବିକ୍ଷୋଭ କରିବା ସହ ପୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କରଙ୍କ ପୋଷ୍ଟର।

Advertisment

ତେଣେ କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରେସ୍ ମିଟ୍ କରି ମହାଲିଙ୍ଗ କଲେଜରେ ସେକ୍ସ ରାକେଟ୍ ଚାଲିଥିବାର ଚାଂଚଲ୍ୟକର ଅଭିଯୋଗ ଆଣିଛନ୍ତି। କହିଛନ୍ତି ଛାତ୍ରୀମାନଙ୍କୁ ମାର୍କ ବଢ଼ାଇବାର ପ୍ରଲୋଭନ ଦେଖାଇ ଚାଲିଥିଲା ଦେହ ବେପାର। ସାଲୁଜା ଆହୁରି ଗୁରୁତର ଅଭିଯୋଗ ଆଣି କହିଛନ୍ତି, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରମ୍ବାର କଲେଜକୁ ଯାଉଥିଲେ, ଏପରିକି ସେଠାରେ ରାତ୍ରି ଯାପନ କରୁଥିଲେ। ଘଟଣାର ସିବିଆଇ ତଦନ୍ତ ଦାବି ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ସାଲୁଜା। ବିଜେପି ରାଜ୍ୟ ସଭାପତି ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଘଟଣାରେ ଯେଉଁମାନଙ୍କର ସଂପୃକ୍ତି ଅଛି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଦଳ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେପଟେ ଆଇନ ତା ବାଟରେ ଯିବ ଓ ଦୋଷୀ ନିଶ୍ଚିତ ଦଣ୍ଡ ପାଇବ ବୋଲି କହିଛି ବିଜେଡି ।

ସେପଟେ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟରେ ଚାଲିଥିବା କେଳେଙ୍କାରୀ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। କଲେଜକୁ ବିଭିନ୍ନ ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ମିଳିଛି ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ। ଏପରିକି ମହାଲିଙ୍ଗରେ ନିର୍ମାଣଧୀନ ଷ୍ଟାଡିୟମର ଠିକା କାମ ମଧ୍ୟ କଲେଜ ମାଲିକ ଗୋବିନ୍ଦ ସାହୁ ପାଇଥିଲେ। ଅଭିଯୋଗ ଅନୁସାରେ କଲେଜ୍ ପରିସରରେ ସେକ୍ସ ରାକେଟ୍ ଠୁ ଆରମ୍ଭ କରି ସବୁ ପ୍ରକାର ଅନୈତିକ କାମ ଚାଲୁଥିଲା। ୨୦୧୩ରେ ଏହି କଲେଜରୁ ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପରିଟେଣ୍ଡଣ୍ଟଙ୍କୁ ପୋଲିସ ଗରିଫ୍ କରିଥିଲା। କଲେଜରରେ ନାନା କେଳେଙ୍କାରୀ ଚାଲିଥିବା ସତ୍ତ୍ୱେ ଏହି ଅନୁଷ୍ଠାନକୁ ପ୍ରହୋତ୍ସାନ ଦେଉଥିଲେ ଖୋଦ୍ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। କେବଳ ଦିବ୍ୟଶଙ୍କର ନୁହନ୍ତି କଲେଜର ଏକ ଫଙ୍କସନରେ ମନ୍ତ୍ରୀ ପ୍ରତାପ ଜେନା ଓ ଜ୍ୟୋତି ପାଣିଗ୍ରାହୀ ମଧ୍ୟ ସାମିଲ୍ ହୋଇ ଗୋବିନ୍ଦଙ୍କ ଗୁଣ ଗାନ କରିଥଲେ। ମନ୍ତ୍ରୀଙ୍କ ବାରମ୍ବାର ଯିବା ଆସିବା ଦ୍ୱାରା ଅଞ୍ଚଳରେ ନିଜ ଦବଦବା ଜାହିର କରୁଥିଲେ ଗୋବିନ୍ଦ। ଏବେ ଅପେକ୍ଷା ରହିଛି, ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଘନିଷ୍ଠତାର ଅଭିଯୋଗ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଥିବା କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଲାଗି ଆଗକୁ କିଭଳି ମହଙ୍ଗା ପଡୁଛି, ଖାସ୍ କରି ବିଜେଡି ସୁପ୍ରିମୋ କିଭଳି ଆଭିମୁଖ୍ୟ ଆପଣାଉଛନ୍ତି।

Advertisment
Odisha Congress Balangir Dibya Shankar Mishra LadyTeacherMissingCase
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ