ଷ୍ଟିଲ୍‌ସିଟିରେ ହଇଜା ଭୟ; ଗଲାଣି ୬ ଜୀବନ, ହଜାରେରୁ ଅଧିକ ଆକ୍ରାନ୍ତ

ଝାଡ଼ାବାନ୍ତି ନୁହେଁ, ଷ୍ଟିଲ ସିଟିରେ ମାଡ଼ିଚାଲିଛି ହଇଜା । ବୋଲ ମାନୁନି । ଅଣାୟତ୍ତ ହେଲାଣି ସ୍ଥିତି । ଗତକାଲି ସୁଦ୍ଧା ଏ ସ୍ମାର୍ଟସିଟିରେ ୧ ହଜାର ୨୫ ଜଣ ରୋଗୀ ଚିହ୍ନଟ ହେଲେଣି ।

Cholera

ଇସ୍ପାତ ନଗରୀ ରାଉରକେଲାରେ ହଇଜା ଆତଙ୍କ । ଘୁ ଘୁ ହୋଇ ମାଡ଼ିଚାଲିଛି, ଘାତକ ହେଉଛି । ଭୁବନେଶ୍ୱରରୁ ଫୁଡ୍ ସେଫ୍ଟି ଟିମ୍ ପହଞ୍ଚି ରାଉରକେଲା ସହରର ବିଭିନ୍ନ ସ୍ଥାନରୁ ଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରୁଛି । ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ହଇଜା ସ୍ଥିତିର ସମୀକ୍ଷା କରି ଏହାକୁ ରୋକିବା ଲାଗି ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଝାଡ଼ାବାନ୍ତି ନୁହେଁ, ଷ୍ଟିଲ ସିଟିରେ ମାଡ଼ିଚାଲିଛି ହଇଜା । ବୋଲ ମାନୁନି । ଅଣାୟତ୍ତ ହେଲାଣି ସ୍ଥିତି । ଗତକାଲି ସୁଦ୍ଧା ଏ ସ୍ମାର୍ଟସିଟିରେ ୧ ହଜାର ୨୫ ଜଣ ରୋଗୀ ଚିହ୍ନଟ ହେଲେଣି । ଆଜି ବି ଡାକ୍ତରଖାନାକୁ ରୋଗୀଙ୍କ ସୁଅ ଛୁଟୁଛି । ଏ ଭିତରେ ୬ ଜଣଙ୍କ ମୁଣ୍ଡ ବି ନେଲାଣି ଡାଇରିଆ ଓ କଲେରା । ରାଉରକେଲା ସରକାରୀ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି, ଝାଡ଼ାବାନ୍ତିର କାରଣ ଖୋଜିବାକୁ ଡିସେମ୍ବର ୧୦ରୁ ୧୮ ତାରିଖ ଭିତରେ ୩୯ ଜଣ ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୧୮ଟି ନମୁନାରେ ଭିବ୍ରିଓ କଲେରା ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି । ଏବେ ଅନ୍ୟ ରୋଗୀଙ୍କ ନମୁନା ବି ପରୀକ୍ଷା ପାଇଁ ପଠାଯାଇଛି । ଏ ରିପୋର୍ଟ ଆସିବା ପରେ ହଇଜା ରୋଗୀଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ବି ବଢ଼ିଛି ।

ଏପଟେ ରାଉରକେଲା ସହରରେ ଭୁବନେଶ୍ୱର ଫୁଡ୍ ସେଫ୍ଟି ଟିମ୍ ପହଞ୍ଚି ବିଭିନ୍ନ ହୋଟେଲ ଓ ଗୁପ୍‌ଚୁପ୍ ଷ୍ଟଲରୁ ଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରୁଛନ୍ତି । ରାଉରକେଲାରେ ବ୍ୟାପୁଥିବା ହଇଜା ରାଜ୍ୟର ଅନ୍ୟ ଅଞ୍ଚଳକୁ ବି ବ୍ୟାପିବାର ଆଶଙ୍କା ରହିଛି । ଏଣୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣରେ ରାଉରକେଲା ହଇଜା ସ୍ଥିତିର ସମୀକ୍ଷା କରି ତୁରନ୍ତ ଏହାକୁ ରୋକିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।