କୋରାପୁଟ (ସୁର୍ଯ୍ୟ ନାରାୟଣ ପଣ୍ଡା)-କୋରାପୁଟରେ ଅଧିକ ସଂଖ୍ୟାରେ ଥିବା ମନ୍ଦା ମଇଁଷିଙ୍କୁ ଜାତୀୟସ୍ତରର ପ୍ରଜାତି ମାନ୍ୟତା ମିଳିଛି । ଏହି ମଇଁଷିଙ୍କ ଉପରେ ବିସ୍ତୃତ ଅଧ୍ୟୟନ ପରେ ରାଷ୍ଟ୍ରୀୟ ପଶୁ ଆନୁବଂଶିକ ସଂଶାଧନ ବ୍ୟୁରୋ ଏମାନଙ୍କୁ ଦେଶର ୧୯ତମ ମଇଁଷି ପ୍ରଜାତି ମାନ୍ୟତା ଦେଇଛି । ମଇଁଷିର ଜର୍ମପ୍ଲାଜମାକୁ ନେଇ ପଶୁପାଳନ ବିଭାଗ ଓ ଓୟୁଏଟି ମିଳିତ ଭାବେ ଅଧ୍ୟୟନ କରିଥିଲେ। ସ୍ୱତନ୍ତ୍ର ପ୍ରଜାତି ମଇଁଷିର ଜୀବାଣୁ ସଂକ୍ରମଣକୁ ପ୍ରତିରୋଧ କରିବାର କ୍ଷମତା ରହିଛି। ପ୍ରତିରୋଧକ ଶକ୍ତି ଅଧିକ ହୋଇଥିବାରୁ ଏମାନେ କୌଣସି ରୋଗରେ ଆକ୍ରାନ୍ତ ହୁଅନ୍ତି ନାହଁ । ଏହି ପ୍ରଜାତି ମଇଁଷିର ପ୍ରଜନନ କ୍ଷମତା ବହୁତ ଭଲ ।
ଏହି ସ୍ୱତନ୍ତ୍ର ପ୍ରଜାତିର ମଇଁଷି ‘ମନ୍ଦା ମଇଁଷି’ ବର୍ଷା ଓ ଖରାକୁ ଖାତିର କରନ୍ତି ନାହିଁ । ପାହାଡ଼ରେ ବୁଲି ବୁଲି ଘାସ ପତ୍ର ଖାଆନ୍ତି । ଡଙ୍ଗର ପାହାଡରେ ଚଢି ପାହାଡିଆ ଜମିରେ ଘଂଟା ଘଂଟା ଧରି ପରିଶ୍ରମ କରନ୍ତି । ଚାଷରେ ସାହାଯ୍ୟ କରନ୍ତି । କ୍ଷୀର ବି ଦିଅନ୍ତି । ଜିଲ୍ଲାରେ ଦେଖାଯାଉଥିବା ଏହି ସ୍ୱତନ୍ତ୍ର ପ୍ରଜାତିର ମଇଁଷିକୁ ମିଳିଛି ଜାତୀୟ ମାନ୍ୟତା ।
ଆକାରରେ ଛୋଟ ହେଲେ ମଧ୍ୟ ମନ୍ଦା ମଇଁଷି ଦେଖିବାକୁ ବେଶ ହୃଷ୍ଟ ପୃଷ୍ଟ। ଧୂସର ପାଉଁଶିଆ ରଙ୍ଗର। ଆଣ୍ଠୁ ପାଖରୁ ତମ୍ବାଳିଆ ରଂଗର ଲୋମ ଦେଖାଯାଏ। ମଇଁଷିର ରହିଛି ସ୍ୱତନ୍ତ୍ର ପ୍ରଜଜନ କ୍ଷମତା । ଖାଲି ସେତିକି ନୁହେଁ, ଏହି ପ୍ରଜାତିକୁ ପ୍ରାୟତ କୌଣସି ସଂକ୍ରମଣ ହୋଇନଥାଏ।
ଅନ୍ୟ ପଶୁଙ୍କଠାରୁ ମନ୍ଦା ମଇଁଷିଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି ଅଧିକ । ୪ ବର୍ଷ ବୟସରେ ଏହି ମଇଁଷି ପ୍ରଜଜନ ଆରମ୍ଭ କରିଥାଏ ଏବଂ ୨୦ ବର୍ଷ ପର୍ଯ୍ୟନ୍ତ ପ୍ରଜଜନ କରିଥାଏ । ଦିନକୁ ୪ ଲିଟର ଯାଏଁ କ୍ଷୀର ଦିଏ। ଅନ୍ୟ ପ୍ରଜାତିଙ୍କ ଅପେକ୍ଷା ଅଧିକ ପରିଶ୍ରମୀ ଓ ସହନଶୀଳ । ମାଇ ଓ ଅଣ୍ଡିିରା ବର୍ଗର ଏହି ମାଣ୍ଡା ଜାତୀୟ ମଇଁଷି କୋରାପୁଟ , ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ରହିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହାର ଉଚ୍ଚତା ସାଢେ ତିନିରୁ ୪ ଫୁଟ। ଛୋଟ ହେଲେ ମଧ୍ୟ ଏହା ଖୁବ୍ ପରୀଶ୍ରମୀ। ବିଶେଷକରି ପାହାଡ଼ିଆ ଇଲାକାରେ ଏମାନେ ବେଶ ସହାୟକ ହୋଇଥାନ୍ତି। ଆଦିବାସୀମାନେ ସକାଳ ୫ଟାରୁ ହଳ ନେଇ ଯାଆନ୍ତି। ୧୨ରୁ ସାଢେ ୧୨ ମଧ୍ୟରେ ଘରକୁ ଫେରନ୍ତି। ଏତେ ସମୟ ହଳ କଲେ ମଧ୍ୟ ଏହି ମଇଁଷିମାନେ ଥକି ଯାଆନ୍ତି ନାହିଁ। ଅନ୍ୟ ମଇଁଷି, ପୋଢ ଅପେକ୍ଷା ଏମାନେ ଅଧିକ ଶକ୍ତିଶାଳୀ।
ଏହାର ବଂଶବୃଦ୍ଧି ପାଇଁ ଉଦ୍ୟମ ଚାଲିଥିବା କହିଛନ୍ତି CDVO ଗିରିଜା ପ୍ରସାଦ ତ୍ରିପାଠୀ।