ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ, ୪ ବର୍ଷ ପରେ ବି କାମରେ ଆସୁନି

ଭୁବନେଶ୍ୱରରେ ବାଟବଣା କଂସେଇଖାନା ଯୋଜନା । ୨୦୧୭ ମସିହାରେ ରାଜଧାନୀର ଗାଡ଼କଣରେ କଂସେଇ ଘର ନିର୍ମାଣ ହୋଇଥିଲା, ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ।  କିନ୍ତୁ ଉଦଘାଟନର ସାଢେ ୪ ବର୍ଷ ପରେ ଏହା କାର୍ଯ୍ୟକ୍ଷମ ହୋଇପାରୁନି । ଫଳରେ ଏବେ ରାଜଧାନୀ ରାଜରାସ୍ତାରେ ସର୍ବସମ୍ମୁଖରେ ଚାଲିଛି ପଶୁ ହତ୍ୟା ।

Kansikhana Yojana in Bhubaneswar

News Summary

ବାଟବଣା କଂସେଇଖାନା ଯୋଜନା

ରାଜଧାନୀ ଭିତରେ ଲୋକେ ଦେଖିବେନି ପଶୁ ହତ୍ୟା । ସହରଠୁ ଦୂରରେ ସ୍ୱତନ୍ତ୍ର କଂସେଇଗୃହରେ ଅତ୍ୟାଧୁନିକ ପଦ୍ଧତିରେ ମାଂସ କଟାଯିବ, ସହର ଭିତରେ କେବଳ ବିକ୍ରି ହେବ ।  ଏହି ଉଦ୍ଦେଶ୍ୟ ନେଇ ଭୁବନେଶ୍ୱର ଗାଡକଣରେ ୨୦୧୭ ମସିହାରେ ଅତ୍ୟାଧୁନିକ କଂସେଇଗୃହ ନିର୍ମାଣ କରିଥିଲା ବିଏମସି ।

୭ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ବହୁ ଆଡମ୍ବରରେ ଖୋଦ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ହେଲେ ସବୁ ଫୁସ୍ । କଂସେଇଗୃହ କାର୍ଯ୍ୟକ୍ଷମ ହେଲା ନା ଲୋକେ ଏହାର ସୁଫଳ ପାଇଲେ । ଏବେ ଏହି କଂସେଇଗୃହ ଚାରିପଟେ ଏବଂ ମାଂସ କଟା ମେସିନ୍‌ରେ ଅନାବନା ଗଛ ମାଡିଗଲାଣି ।  ମେସିନରେ  କଳଙ୍କି ବି ଲାଗିଗଲାଣି । କଂସେଇଖାନା ଯୋଜନା ବିଫଳ ହୋଇଛି ।  ରାସ୍ତା କଡ଼ରେ, ହାଟ ମଝିରେ ବେଧଡକ୍ ଚାଲିଛି ପଶୁ ହତ୍ୟା ।

ସେପଟେ କଂସେଇଖାନାରେ କୋଟି କୋଟି ଟଙ୍କା ଅପବ୍ୟୟ ହୋଇଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସିଏଜି । ସଦ୍ୟତମ ରିପୋର୍ଟରେ ସିଏଜି କହିଛନ୍ତି, ନିଷ୍ପତ୍ତି ନେବା ପୂର୍ବରୁ ବିଏମସି, ପରାମର୍ଶଦାତାଙ୍କ ପରାମର୍ଶ ଗ୍ରହଣ କରନଥିଲା ।  ଏବେ ୭ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଅକାମୀ ହୋଇ ପଡିରହିଛି । ଅନ୍ୟପଟେ ବିଏମସିର ଯୁକ୍ତି, ପୁଣିଥରେ ଟେଣ୍ଡର ହେବ ।